ଶେଷରେ ସିଲ ହେଲା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର, ଅନ୍ତେବାସୀଙ୍କୁ ଥଇଥାନ ପାଇଁ ଦାବି

୯ବର୍ଷରେ ଅବନୀଙ୍କ ନାମରେ ରହିଛି ୯ଟି ବିଚାରାଧୀନ ମାମଲା

ବାରିପଦା : ବାରିପଦାର ବିବାଦୀୟ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରକୁ ସୋମବାର ପୁଲିସ ସିଲ କରିଛି। ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯ୍ୟାତନା ଘଟଣାରେ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ପୂର୍ବକ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ଘରକୁ ପଠାଇବା ପରେ ଟାଉନ ପୁଲିସ କେନ୍ଦ୍ରକୁ ସିଲ କରିଛି। ନିଶା ନିବାରଣ କରୁଥିବା କେନ୍ଦ୍ରର ମୁଖ୍ୟ ଅବନୀ ପତି ନିଶାସକ୍ତ ଅବସ୍ଥାରେ ଅନ୍ତେବାସୀଙ୍କୁ ମ୍ୟୁଜିକର ତାଳେ ତାଳେ ମାଡ ମାରିବା ଓ ଅକଥନୀୟ ନିର୍ଯ୍ୟାତନା ଦେବା ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହାପରେ କେନ୍ଦ୍ରକୁ ବନ୍ଦ କରିବା ସହ ଅନ୍ତେବାସୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିର୍ଦ୍ଦେଶକୁ ବେଖାତିର କରି ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ଅବନୀ ପତି ଜାମିନ ଆସିବା ପରେ ପୁନର୍ବାର କେନ୍ଦ୍ର ଚଳାଇଥିଲେ। ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରକୁ ବନ୍ଦ କରିବା ସହ ସିଲ କରାଯାଇଛି।

ବାରିପଦା ତହସିଲଦାର ବିକ୍ରମ କେଶରୀ ପରିଡା ଓ ଟାଉନ ଥାନାଧିକାରୀ ବୀରେନ୍ଦ୍ର ସେନାପତି ସଦଳବଳେ ଉପସ୍ଥିତ ରହି ୩୨ଜଣ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ କେନ୍ଦ୍ରରେ ଥିବା ୪୨ଅନ୍ତେବାସୀକୁ ହସ୍ତାନ୍ତର କରିବା ସମୟରେ ବହୁ ଅନ୍ତେବାସୀ କାନ୍ଦି କାନ୍ଦି ଦୁଃଖ ବଖାଣିବା ସହିତ ମୁକ୍ତ କରିବାକୁ ହାତଯୋଡି ଅନୁରୋଧ କରିଥିଲେ। ନିମ୍ନମାନର ଖାଦ୍ୟ ସାଙ୍ଗକୁ ଅନ୍ତେବାସୀକୁ ଖୁଣ୍ଟରେ ବାନ୍ଧି ଗୋଇଠା ମାଡ ମାରିବା ସହ ପିନ କଣ୍ଟା ବାଡେଇ ଲହୁଲୁହାଣ କରିବା ଭଳି ଅମାନବୀୟ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ଅବନୀଙ୍କ ନାମରେ ୨୦୧୩ ଠାରୁ ଅଦ୍ୟାବଧି ୯ଟି ମାମଲା ରୁଜୁ ହୋଇ ବିଚାରାଧୀନ ରହିଛି। ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇବା ସହ ମାଡ ମାରିବା ଭଳି ମାମଲା ଗୁଡିକ ରହିଛି। ଅବନୀ ନିର୍ଯ୍ୟାତନା ଦେବା ସମୟରେ ସମସ୍ତ ଦୃଶ୍ୟ ରେକଡ଼ିଂ କରିଥାନ୍ତି। ସେହି ରେକର୍ଡ଼ିଂ ଭିଡ଼ିଓ ଏବେ ତାଙ୍କ ପାଇଁ କାଳ ସାଜିଛି। ତେବେ ମିଳିଥିବା ଏକାଧିକ ଭିଡ଼ିଓରେ ଆପତ୍ତି ଜନକ ଦୃଶ୍ୟ ମଧ୍ୟ ରହିଛି, ଯାହାକି ମୋବାଇଲରୁ ମୋବାଇଲ ଘୁରି ବୁଲୁଛି।

ଏପରି ସ୍ଥଳେ ତାଙ୍କର ଜାମିନ ମଞ୍ଜୁର ହେବା ପରେ ସେ ପୁର୍ନବାର କେନ୍ଦ୍ର ପରିଚାଳନା କରିବା ତଦନ୍ତ ସାପେକ୍ଷ। ପୁର୍ନବାର ନିଶା ନିବାରଣ କେନ୍ଦ୍ର ପରିଚାଳନା ଜାରି ରଖିବା ପାଇଁ ଅବନୀ ବିଭିନ୍ନ ସ୍ତରରେ ମସୁଧା ଚଲାଇଥିବା ବେଳେ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଅନ୍ତେବାସୀମାନଙ୍କୁ ଥଇଥାନ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

Leave a comment