ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ଦିନଟିଏ ‘ପ୍ରଥମାଷ୍ଟମୀ’

ପ୍ରଥମାଷ୍ଟମୀ ଅଥବା ପୋଢୁଆଁଷ୍ଟମୀ ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ଭାରତୀୟ ସଂସ୍କୃତିରେ ଗୋଟିଏ କଥା ଅଛି – ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ । ସେହି କ୍ରମରେ ଓଡ଼ିଆ ଘରେ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ଜଣାଶୁଣା। ଅତୀତରେ, ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଏ।

ଓଡ଼ିଆ ପରମ୍ପରା ଅନୁଯାୟୀ, ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୂବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ, ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତା ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି । ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ । ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଉଣୀ ଘରକୁ ଯାଇ ଭଣଜା ଭାଣିଜୀକୁ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ‘ଅଷ୍ଟମୀ ବନ୍ଧୁ’ ବୋଲି କୁହାଯାଏ ।

ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘରର ସମସ୍ତ ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ। ତେଣୁ ତାଙ୍କୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଓଡ଼ିଆ ପରମ୍ପରାରେ ପ୍ରଚଳିତ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପର୍ବରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର କରାଯାଏ। ଛେନା, ନଡ଼ିଆପୁର, ଗୁଡ଼, ଉଆପକ୍ଷିଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ଏଣ୍ଡୁରି ପିଠା ତିଆରି କରାଯାଏ। ଏଣ୍ଡୁରିପିଠା ପାଇଁ ଯେଉଁ ସ୍ୱତନ୍ତ୍ର ଅଥାର ହାଣ୍ଡି ପ୍ରସ୍ତୁତ କରାଯାଇଥାଏ, ସାତଦିନ ଧରି ତାହା ରହେ ଏବଂ ତହିଁରେ ପିଠା ପ୍ରସ୍ତୁତ ହୁଏ। ସପ୍ତମ ଦିନ ଏହି ଅଥାର ହାଣ୍ଡି ଭଙ୍ଗାଯାଏ।

ପ୍ରଥମାଷ୍ଟମୀ ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠକୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ । ପୂର୍ବ କାଳରେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କୃଷକଟିଏ ଏହି ସମୟରେ ଶସ୍ୟ ଅମଳ କରିଥାଏ। ଏହା ତା’ ପାଇଁ ଅତ୍ୟନ୍ତ ସୌଭାଗ୍ୟର କଥା । ସେ ଅତି ଆନନ୍ଦରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଥାଏ । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ। ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଏବେ ଏହି ପୂଜା ଲୁପ୍ତ ବୋଲି ବିଶ୍ବାସ କରାଯାଏ।

Leave A Reply

Your email address will not be published.