ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନ, କେବେ ଜାଗା ପାଇଁ ଚିଠି ଲେଖିଛି ରେଳବାଇ ?

ବରଗଡ : ଆଜି ପଦ୍ମପୁର ଉପନିର୍ବାଚନରେ ପ୍ରଚାର ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, କାଲି ରାଜ୍ୟ ସରକାର ଜାଗା ଦେଲେ ପହରଦିନ ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ପ୍ରକଳ୍ପ କାମ ଆରମ୍ଭ ହେବ। ଜାଗା ଓଡ଼ିଶା ସରକାରଙ୍କର, ଜାଗା ନ ଦେଲେ ରେଲ ଲାଇନ୍ କିପରି ହେବ। କେନ୍ଦ୍ର ରେଳମନ୍ତ୍ରୀଙ୍କ ଏହି ବୟାନ ପରେ ତାଙ୍କୁ ଉଚିତ ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କେନ୍ଦ୍ରମନ୍ତ୍ରୀମାନେ ନିର୍ବାଚନ ଜିତିବା ପାଇଁ ଆଉ କେତେ ମିଛର ସାହାରା ନେବେ। ଲୋକଙ୍କୁ ଠକିବା ଏବଂ ମିଛ ପ୍ରତିଶୁ୍ରତି ଦେବାରେ ମାହିର ବିଜେପିର ନେତା ପୁଣିଥରେ ପଦ୍ମପୁରରେ ମିଛ କହି ଲୋକଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ କହୁଛନ୍ତି। କିନ୍ତୁ ଜନତା ବୋକା ନୁହନ୍ତି। ସେମାନେ ସବୁ ଜାଣନ୍ତି,ଆଉ ସେମାନେ ସଠିକ ସମୟରେ ମିଛୁଆ ନେତାଙ୍କୁ ସଠିକ ଜବାବ ଦେବେ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ପଦ୍ମପୁର ରେଳ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କ ଉପରେ ଯେଉଁ ଦୋଷ ଲଦିଥିଲେ ତାହାର ପ୍ରତିଜବାବ ରଖିଛନ୍ତି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ସରକାର କାଲି ଜମି ଦେଲେ ପହରଦିନ ଠାରୁ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଜମି ମାଗିବାର ଫୋରମ ନିର୍ବାଚନୀ ସଭା ନୁହେଁ । କିନ୍ତୁ ଏଭଳି କହି ଲୋକଙ୍କୁ କାହିଁକି ବୋକା ବନାଉଛ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।

ରେଳ ପ୍ରକଳ୍ପ ହେଲେ ଜମିର ଆବଶ୍ୟକତା ରହିଛି । ଆଉ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଜମି ଦେବେ । କିନ୍ତୁ ନିର୍ବାଚନୀ ସଭାରେ ଜମିକୁ ନେଇ ରେଳମନ୍ତ୍ରୀ ଯାହା କହିଲେ ସେ ବାବଦରେ ଓଡ଼ିଶା ସରକାରଙ୍କୁ କେବେ ଚିଠି ଲେଖିଥିଲା କେନ୍ଦ୍ର ? ପ୍ରକଳ୍ପର କାମ ରାଜନୀତି ସଭାରେ କରାଯାଏ ନାହିଁ । ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ରହିଛି । ସେ ପ୍ରକ୍ରିୟା କେନ୍ଦ୍ର ଅବଲମ୍ବନ କରିଛି କି? ଯଦି କରିଛି ତେବେ ରାଜ୍ୟବାସୀଙ୍କୁ ତାହାର ପ୍ରମାଣ ଦିଅନ୍ତୁ । କେଉଁଠି ଜମି ଦେବୁ ତାହାର ସର୍ଭେ କେନ୍ଦ୍ର କରିଛି କି? ଯଦି କରିନାହିଁ ତେବେ ଜମି କେମିତି ମାଗୁଛି? କେଉଁ ପଥ ଦେଇ ରେଳଲାଇନ ଯିବ ସେନେଇ କେନ୍ଦ୍ର ଯେତେବେଳେ ସ୍ପଷ୍ଟ କରିନାହିଁ ସେତେବେଳେ ଜମି ପ୍ରସଙ୍ଗ ଉଠାଇ କିଭଳି ମିଛ ରାଜନୀତି କରୁଛି? ଏନେଇ ନିର୍ଦ୍ଦିଷ୍ଟ ଭାବେ କେନ୍ଦ୍ର ପକ୍ଷରୁ କେବେ ଦାବି କରାଯାଇଛି କି? ନିର୍ବାଚନ ସମୟରେ ଏଭଳି ଭେଳିକି ସୃଷ୍ଟି କରିବା ସଂଘୀୟ ବ୍ୟବସ୍ଥାରେ ସ୍ପୃହଣୀୟ ନୁହେଁ ।

ଅନ୍ୟପଟେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ପଦ୍ମପୁର ରେଳ ପ୍ରକଳ୍ପ ଲାଭଜନକ ନୁହେଁ ବୋଲି କେନ୍ଦ୍ର ରେଳ ମନ୍ତ୍ରାଳୟ ଚିଠି ଲେଖି ସ୍ପଷ୍ଟ କରିଛି । ଏପରିକି ଲାଭଜନକ ହୋଇନଥିବାରୁ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ୩ ବର୍ଷ ପୂର୍ବେ ଏନେଇ ଚିଠି ଲେଖିଥିଲା ରେଳବିଭାଗ । କିନ୍ତୁ ଏହି ପ୍ରକଳ୍ପକୁ ନେଇ ନିର୍ବାଚନୀ ସଭାରେ କିଏ ମିଛ କହୁଥିଲେ ତାହା ରେଳବିଭାଗ ଲେଖିଥିବା ଚିଠି ହିଁ ପ୍ରମାଣିତ କରୁଛି । ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ଲାଭଜନକ ନୁହେଁ ବୋଲି କହି ଏହାକୁ ବନ୍ଦ କରିବାକୁ ରେଳବିଭାଗ ଚିଠି ଲେଖିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ମାଗଣା ଜମି ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ । ଜମି ପାଇଁ କେନ୍ଦ୍ରକୁ ଟଙ୍କାଟିଏ ବି ଦେବାକୁ ପଡିନଥାନ୍ତା । ଏପରିକି ଏହି ପ୍ରକଳ୍ପ ପାଇଁ ଅତିରିକ୍ତ ୩୦୦ କୋଟି ଟଙ୍କା ଦେବାକୁ ମଧ୍ୟ ରାଜ୍ୟ ପ୍ରସ୍ତୁତ ଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆଉ କଣ ବା ସହଯୋଗ କରିପାରିଥାନ୍ତା । କିନ୍ତୁ ଯିଏ ପ୍ରକଳ୍ପ ବନ୍ଦ କରିବାକୁ କହୁଥିଲେ ସେ ନିର୍ବାଚନୀ ସଭାରେ ଜମି ମାଗୁଛନ୍ତି । ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ କଥା ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେପଟେ ରାଜ୍ୟରେ ରେଳ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିପୁଳ ଅନୁଦାନ ଦେଉଥିବା ରାଜ୍ୟ ବିଜେପି ନେତାମାନେ ଘଣ୍ଟ ପିଟୁଛନ୍ତି। ଗତ ୭ବର୍ଷ ମଧ୍ୟରେ ରେକର୍ଡ଼ ୧୪ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହୁଛନ୍ତି। ମୋଦୀ ସରକାରରେ ରେଳ ବଜେଟରେ ଓଡ଼ିଶାକୁ ଅଧିକ ଅନୁଦାନ ଦିଆଯାଉଛି କହି ବିଜେପି ନେତାମାନେ ବାହାଃ ବାହାଃ ନେଉଥିବା ବେଳେ ସେମାନେ ଭୁଲି ଯାଉଛନ୍ତି ଯେ ଗତ ୫ ବର୍ଷ ଭିତରେ ୧ ଲକ୍ଷ ହଜାର କୋଟି ଟଙ୍କାର ରାଜସ୍ୱ ଓଡ଼ିଶାରୁ ନେଇଛି କେନ୍ଦ୍ର । କିନ୍ତୁ ଦେଇଛି କେତେ । ହିସାବ ଦିଅନ୍ତୁ ଓଡ଼ିଶାରୁ ନେଇଛ କେତେ, ଦେଇଛ କେତେ? ରାଜସ୍ୱ ବାବଦକୁ ଓଡ଼ିଶାରୁ ହାତୀ ନେଇଛ ପିମ୍ପୁଡି ଦେଉଛ । ଏହା ହିଁ ହେଉଛି ଓଡ଼ିଶା ପ୍ରତି ରେଳବିଭାଗର ଅବହେଳା । ବରଗଡ-ନୂଆପଡା ରେଳପ୍ରକଳ୍ପ ଓଡ଼ିଶାର ବହୁଦିନର ଦାବି । ସବୁପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ରାଜି । କିନ୍ତୁ କେନ୍ଦ୍ର ପ୍ରକଳ୍ପ ଆରମ୍ଭ ନକରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି। କେନ୍ଦ୍ରମନ୍ତ୍ରୀ ଆଉ ମିଛ ନକହି ତୁରନ୍ତ ଏହି ପ୍ରକଳ୍ପର କାମକୁ ଆରମ୍ଭ କରନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Leave A Reply

Your email address will not be published.