ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ମଧୁର କଟାକ୍ଷ: ‘ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି’

ଭୁବନେଶ୍ୱର: ଏକ ରାଜନୈତିକ ବୟାନବାଜି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧୁର କଟାକ୍ଷ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି କଟାକ୍ଷ ଓ ଧର୍ମେନ୍ଦ୍ରଙ୍କ ଉକ୍ତି ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହୋଇଛି । ଘଟଣାଟି ହେଲା, ଏବେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଫିଦା । ଉତ୍କଳ କେଶରୀ ଡା. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ଅନୁବାଦକୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚିତ କରିବା ପରଠୁ ବିଜେପିର ଭର୍ତ୍ତୃହରି ପ୍ରୀତି ଦେଖିବାକୁ ମିଳୁଛି ।
ଡ. ହରେକୃଷ୍ଣ ମହତାବ ସଂସ୍କୃତି ଓ ପରମ୍ପରାକୁ ଶ୍ରେଷ୍ଠ ସମ୍ମାନ ଦେଉଥିଲେ । ଏହି ପରମ୍ପରାରୁ ସେ ଆରମ୍ଭ କରିଥିଲେ ଏକ ଅଭିନବ ସାଂସ୍କୃତିକ ପର୍ବ ‘ବିଷୁବ ମିଳନ’ । ଆଜି ଏହି ଉତ୍ସବରେ ସାମିଲ ହୋଇ ଓଡ଼ିଶାର ସବୁ ବର୍ଗର ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମାଲୋଚକଙ୍କୁ ଭେଟି ଆନନ୍ଦିତ । pic.twitter.com/RsXQAvxOJj
— Dharmendra Pradhan (@dpradhanbjp) April 12, 2021
ସୋମବାର ଦିନ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ କଟକ ଠାରେ ଆୟୋଜିତ ବିଷୁବ ମିଳିନ କାର୍ଯ୍ଯକ୍ରମରେ ମଧ୍ୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏଠାରେ ନିଜ ଅଭିଭାଷଣ ପ୍ରଦାନ ବେଳେ ଭର୍ତ୍ତୃହରି ମହତାବଙ୍କୁ ଜଣେ ପ୍ରାଜ୍ଞ ଓ ବିଜ୍ଞ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ । କେବଳ ସେତିକି ନୁହେଁ, ଭର୍ତ୍ତୃହରିଙ୍କ ପ୍ରଜ୍ଞା ଓ ଜ୍ଞାନକୁ ବିଜେଡି କାହିଁକି କାମରେ ଲଗାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ।
ଭାଇ @dpradhanbjp, ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।
— Pranab Prakash Das (@pranabpdas) April 13, 2021
ହେଲେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଟ୍ବିଟରରେ ଧର୍ମେନ୍ଦ୍ରଙ୍କୁ ଏନେଇ ଏକ ମଧୁର କଟାକ୍ଷ କରି ଲେଖିଛନ୍ତି ଯେ, ଭାଇ ଧର୍ମେନ୍ଦ୍ର ଆପଣ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ମୋର ଅନୁରୋଧ ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୁରଲୀ ମନୋହର ଯୋଶୀଙ୍କ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିପରି ସଦୁପଯୋଗ କରନ୍ତୁ । ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।
ସୂଚନା ଯୋଗ୍ୟ ଯେ, ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଭଳି ତୁଙ୍ଗ ନେତାଙ୍କୁ ବିଜେପି ଅଣଦେଖା କରିଆ ସୁଛି । ଏପରିକି ଲାଲକୃଷ୍ଣଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ନକରିବା ବିଶେଷ ଚର୍ଚ୍ଚାର ଖୋରକ ଯୋଗାଇଥିଲା । ବସ୍ତୁତଃ ଏ ଦୁଇ ତୁଙ୍ଗ ନେତା ବିଜେପିକୁ ପରିଚୟ ଦେବା ସହ ଲୋକାଦୃତ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ତେବେ ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା ଘଟଣା ଏବେ ଭିନ୍ନ ରାଜନୈତିକ ସମୀକରଣ ଆଡ଼କୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।