ଧର୍ମେନ୍ଦ୍ରଙ୍କୁ ଧନ୍ଯବାଦ ଜଣାଇବା ସହ ମେଡିକାଲ କଲେଜ କଥା ଭୁଲିଗଲେ ବୋଲି କହିଲେ ପ୍ରଣବ

ଭୁବନେଶ୍ୱର: ରାଉରକେଲାରେ ଆଇଜିଏଚ୍ ସୁପର ସ୍ପେସିଆଲିଟି ହସ୍ପିଟାଲ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ତେବେ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି କଥା ମଧ୍ୟ ମନେ ପକାଇଛନ୍ତି ପ୍ରଣବ।
ସେ ଟ୍ୱିଟ୍ କରି ପରୋକ୍ଷରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ଦେଇଥିବା ପ୍ରତିଶ୍ରୁତି ଏବେ ସୁଦ୍ଧା ପାଳନ ହେଲା ନାହି । ମୋଦି କହିଥିଲେ ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ହେଲେ ଏବେ ସୁଦ୍ଧା ସେଥିପାଇଁ କୌଣସି ପଦକ୍ଷେପ ନିଆଯାଇଥିବା ଦେଖାଯାଉ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପ୍ରତି ଦୃଷ୍ଟି ରଖିଥିବେ ବୋଧ ହୁଏ ।
ତେବେ ପ୍ରଣବ ନିଜ ଟ୍ୱିଟ୍ରେ ଲେଖିଛନ୍ତି ଯେ, ‘ଭାଇ ଧର୍ମେନ୍ଦ୍ର, ଆଇଜିଏଚ୍ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଧନ୍ୟବାଦ । ମାନ୍ୟବର ପ୍ରଧାନମନ୍ତ୍ରୀ ରାଉରକେଲାରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଁ ନିଶ୍ଚିତ ଯେ, ଆପଣ ଏଦିଗରେ ପ୍ରୟାସ କରୁଥିବେ । ଓଡ଼ିଶାର ବିକାଶରେ ବହୁମୂଲ୍ୟ ଅବଦାନ ଥିବା ସୁନ୍ଦରଗଡ଼ବାସୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବାର ହକଦାର୍ ।’
ଭାଇ @dpradhanbjp, ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଧନ୍ୟବାଦ। ମାନ୍ୟବର ପ୍ରଧାନମନ୍ତ୍ରୀ ରାଉରକେଲାରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଁ ନିଶ୍ଚିତ ଯେ, ଆପଣ ଏଦିଗରେ ପ୍ରୟାସ କରୁଥିବେ। ଓଡ଼ିଶାର ବିକାଶରେ ବହୁମୂଲ୍ୟ ଅବଦାନ ଥିବା ସୁନ୍ଦରଗଡ଼ବାସୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇବାର ହକଦାର୍!
— Pranab Prakash Das (@pranabpdas) March 21, 2021
ସୂଚନାଯୋଗ୍ୟ, ୨୦୧୫ରେ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିବା ବେଳେ ସୁନ୍ଦରଗଡ଼ରେ ମେଡିକାଲ କଲେଜ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ସୁଦ୍ଧା ତାହା ହୋଇପାରିଲା ନାହିଁ । ଆଇଜିଏଚ ମେଡିକାଲ କଲେଜ କରାଯାଉ ନଥିବାରୁ ରାଉରକେଲାରେ ଅସନ୍ତୋଷ ରହିଛି ।