ପୋଷ୍ଟ ଅଫିସରେ ଜମା ଥିବା ୧୫ଲକ୍ଷ ନେଇ ପୋଷ୍ଟ ମାଷ୍ଟର ଫେରାର, ନିଖୋଜ ଥିବା ଥାନାରେ ଏତଲା ଦେଲେ ପତ୍ନୀ

ଆରଡି:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ସବ ପୋଷ୍ଟ ଅଫିସରେ କାର୍ଯ୍ୟରତ ସବ ପୋଷ୍ଟ ମାଷ୍ଟର ସତ୍ୟମ ସୁନ୍ଦରମ ମଙ୍ଗଳମ ଦାସ ୧୫ ଲକ୍ଷ ଟଙ୍କା ନେଇ ଫେରାର ଥିବା ଜଣାପଡିଛି। ଶୁକ୍ରବାର ପୋଷ୍ଟ ଅଫିସରେ ଜମା ଥିବା ୧୫ଲକ୍ଷ ଟଙ୍କା ନିଜ ସ୍କୁଟର ସାହାଯ୍ୟରେ ୮୦ କିମି ଦୂରରେ ଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସକୁ ନେଇ ଯାଇଥିଲେ। ଅପରାହ୍ନ ୪ଟା ସମୟରେ ଭଦ୍ରକ ମୁଖ୍ୟ ପୋଷ୍ଟ ମାଷ୍ଟରଙ୍କୁ ଫୋନରେ କଥା ହୋଇ ବାହାରି ଥିଲେ । ରାତି ୮ଟା ପର୍ଯ୍ୟନ୍ତ ଭଦ୍ରକ ମୁଖ୍ୟ ଡାକ ଘରେ ସବ୍ ପୋଷ୍ଟ ମାଷ୍ଟର ପହଞ୍ଚି ନଥିଲେ।

ଗତକାଲିଠୁ ମଧ୍ୟ ସବ ପୋଷ୍ଟ ମାଷ୍ଟର ସତ୍ୟମ ସୁନ୍ଦରମ ମଙ୍ଗଳମ ଦାସଙ୍କ ମୋବାଇଲ ମଧ୍ୟ ସୁଇଚ୍‌ଅଫ୍‌ ରହିଥିବା ଜଣାପଡିଛି। ମୋବାଇଲ ଟ୍ରାକିଙ୍ଗ୍ କରିବା ପରେ ପୁଲିସ ଜାଣିବାକୁ ପାଇଲେ ମାର୍କୋଣା ଥାନା ଅଞ୍ଚଳରେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ହୋଇଛି। ଏହି ଘଟଣାରେ ଭଦ୍ରକ ମୁଖ୍ୟ ପୋଷ୍ଟ ମାଷ୍ଟର ଭଦ୍ରକ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ଜଣାଇ ଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଧାମରା ସବ ପୋଷ୍ଟ ମାଷ୍ଟରଙ୍କ ପତ୍ନୀ ଏହି ଘଟଣାକୁ ନେଇ ଧାମରା ଥାନାରେ ସ୍ୱାମୀ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଛନ୍ତି। ଧାମରା ଥାନା ଏହି ଅଭିଯୋଗ ଅନୁଯାୟୀ ଏକ କେଶ ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a comment