ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଙ୍ଗାଳ ଶ୍ରୀଲଙ୍କା ଓ ପାକିସ୍ତାନରେ ବି ତେଲ ଦର ଭାରତଠାରୁ କମ୍‌, ଭାରତର ଅଧା ମୂଲ୍ୟରେ ମିଳୁଛି ପେଟ୍ରୋଲ

ନୂଆଦିଲ୍ଲୀ : ସମ୍ପ୍ରତି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ତୈଳ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଅତିଷ୍ଠ ହୋଇଗଲେଣି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିବା ଆରମ୍ଭ ହୋଇଛି। ଏଥିଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଦର ବୃଦ୍ଧି ଘଟିବାରେ ଲାଗିଛି। ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ହେଲେ ସବୁଠାରୁ କୌତୂହଳର ବିଷୟ ହେଉଛି ଯେ ସମ୍ପ୍ରତି ଆର୍ଥିକ ଦୁର୍ଗତରେ ଥିବା ପଡ଼ୋଶୀ ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ବି ଭାରତରେ ତେଲ ତାତି ଅଧିକ। ଚୀନ୍‌ର ଋଣ ଜାଲରେ ଛନ୍ଦି ହୋଇପଡିଥିବା ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଭୂଷୂଡି ପଡିଛି। ଆମଦାନୀ ପାଇଁ ଦେଶ ନିକଟରେ ବିଦେଶୀ ମୁଦ୍ରା ନାହିଁ। ପେଟ୍ରୋଲ ପମ୍ପରେ ତେଲ ନାହିଁ। ଡିଜେଲ ସଙ୍କଟର ମୁକାବିଲା ପାଇଁ ଭାରତ ସେଠାକୁ ଚାରିଥର ଡିଜେଲ ପଠାଇଲାଣି। କିନ୍ତୁ ଏସବୁ ସତ୍ତ୍ବେ ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲ ଦର ଭାରତ ତୁଳନାରେ ବହୁତ କମ୍ ରହିଛି।

ବିଶ୍ବ ବଜାରରେ ଅଶୋଧିତ ତୈଳ ଦରର ଦ୍ବାହି ଦେଇ କେନ୍ଦ୍ର ସରକାର ଘରୋଇ ବଜାରରେ ତୈଳ ଦର ସ୍ଥିର କରୁଥିବା ନେଇ ଖାଉଟିଙ୍କୁ ସଫେଇ ଦେଇଚାଲିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ସିଲନ୍ ପେଟ୍ରୋଲିୟମ କର୍ପୋରେସନ୍ (ସିପିସି) ଗତ ମାସରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛି। ଏହି ବୃଦ୍ଧି ପରେ ସେଠାରେ ପେଟ୍ରୋଲର ମୂଲ୍ୟ ୨୫୪ ଟଙ୍କା (ଶ୍ରୀଲଙ୍କା ଟଙ୍କା ହିସାବ) ଏବଂ ଡିଜେଲର ମୂଲ୍ୟ ୧୭୬ ଟଙ୍କାରେ ପହଞ୍ଚିଛି। ବର୍ତ୍ତମାନର ମୂଲ୍ୟ ଅନୁଯାୟୀ ବିଚାର କଲେ ଭାରତର ୧ ଟଙ୍କାର ମୂଲ୍ୟ ଶ୍ରୀଲଙ୍କାର ୩.୯୨ ଟଙ୍କା ସହିତ ସମାନ। ଏହି ଅନୁଯାୟୀ ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଭାରତୀୟ ମୁଦ୍ରା ଟଙ୍କା ଅନୁଯାୟୀ ପ୍ରାୟ ୬୪ ଟଙ୍କା ଏବଂ ଡିଜେଲ ୪୫ ଟଙ୍କା। ତେବେ ଭାରତରେ ଏବେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୮୨ ପଇସା ଏବଂ ଡିଜେଲ ଲିଟର ୧୦୧ ଟଙ୍କା ୫୦ ପଇସା ହୋଇଛି।

ତେବେ ଶ୍ରୀଲଙ୍କା ମଧ୍ୟ ଭାରତ ଭଳି ଏକ ତୈଳ ଆମଦାନୀକାରୀ ରାଷ୍ଟ୍ର। ଦେଶର ଏଭଳି ଆର୍ଥିକ ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ଭାରତର ମୂଲ୍ୟର ଅଧା ରହିବା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରଶ୍ନ ହେଉଛି, ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲ ଦର ଭାରତ ତୁଳନାରେ ଏତେ ଶସ୍ତା କେମିତି ହେଉଛି। ଏହାର ମୁଖ୍ୟ କାରଣ ହେଉଛି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାରତରେ ଅଧିକ ଟିକସ ନିଆଯାଇଥାଏ। ଏପ୍ରିଲ ପହିଲାରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୧୦୧ ଟଙ୍କା ୮୧ ପଇସା ରହିଥିଲା। ଏଥିରେ ପେଟ୍ରୋଲର ମୂଳ ମୂଲ୍ୟ ହେଉଛି ୫୩ ଟଙ୍କା ୩୪ ପଇସା। ଏଥିରେ ଲିଟର ପିଛା ୨୦ ପଇସା ମାଲ ପରିବହନ ଚାର୍ଜ ପାଇବା ପରେ ଡିଜେଲର ଏହି ମୂଲ୍ୟ ୫୩ ଟଙ୍କା ୫୪ ପଇସା ଟଙ୍କା ପର୍ଯ୍ୟନ୍ତ ପଡୁଛି। ଆହୁରିମଧ୍ୟ ଏଥିରେ ୨୭ ଟଙ୍କା ୯୦ ପଇସା ଉତ୍ପାଦ ଶୁଳ୍କ, ୩ ଟଙ୍କା ୮୩ ପଇସାର ଡିଲର କମିଶନ ଏବଂ ୧୬ ଟଙ୍କା ୫୪ ପଇସାର ଭାଟ୍ ଯୋଡାଯାଇ ମୋଟ ମୂଲ୍ୟ ୧୦୧ ଟଙ୍କା ୮୧ ପଇସା କରାଯାଇଛି। ଅର୍ଥାତ୍ ହେଉଛି ୫୩ ଟଙ୍କା ୩୪ ପଇସାର ପେଟ୍ରୋଲକୁ ଗ୍ରାହକ ପେଟ୍ରୋଲ ପମ୍ପରେ ୧୦୧ ଟଙ୍କା ୮୧ ପଇସା ଦେଇ କିଣୁଛନ୍ତି।

ଅପରପକ୍ଷେ ଶ୍ରୀଲଙ୍କାରେ ଡିଜେଲ ଉପରେ ଟିକସ ପରିମାଣ ହେଉଛି ୧୩ ଟଙ୍କା ୫୦ ପଇସା, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪ ଟଙ୍କା ୫୦ ପଇସା। ସେହିଭଳି ସେଠାରେ ପେଟ୍ରୋଲ ଉପରେ ଟିକସ ହେଉଛି ୩୯। ଶ୍ରୀଲଙ୍କା ଟଙ୍କା ଯାହା ଭାରତୀୟ ମୁଦ୍ରା ହିସବାରେ ପାଖାପାଖି ୧୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କାର ପାର୍ଥକ୍ୟ ଥିବାବେଳେ ଶ୍ରୀଲଙ୍କାରେ ପେଟ୍ରୋଲର ମୂଲ୍ୟ ଡିଜେଲ ତୁଳନାରେ ପ୍ରାୟ ୪୦ ପ୍ରତିଶତ ଅଧିକ। ସାମ୍ପ୍ରତିକ ସଙ୍କଟ ପୂର୍ବରୁ ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଭଲ ରହିଥିଲା। ୨୦୨୦ରେ ମୁଣ୍ଡପିଛା ଜିଡିପି ୩,୬୭୯ ଡଲାର ରହିଥିବାବେଳେ ଭାରତରେ ଏହା ୧୯୬୫ ଡଲାର ରହିଥିଲା।

ଅନ୍ୟପକ୍ଷରେ ଗତ ୧୫ ଦିନରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୩ ଥର ବୃଦ୍ଧି ପାଇଛି। ଏହି ୧୩ ଥରରେ ପେଟ୍ରୋଲ ଲିଟର ପିଛା ୧୦ଟଙ୍କା ୦୪ ପଇସା ଏବଂ ଡିଜେଲ ଲିଟର ୯ ଟଙ୍କା ୮୮ ପଇସା ମହଙ୍ଗା ହୋଇଛି। ଦୈନିକ ତେଲ ଦର ବୃଦ୍ଧି ଯୋଗୁଁ ରାଜସ୍ଥାନର ଶ୍ରୀଗଙ୍ଗାନଗରଠାରେ ଏବେ ପେଟ୍ରୋଲ ଦର ଲିଟର ପିଛା ୧୨୨ ଟଙ୍କା ୬୩ ପଇସା ହୋଇଛି, ଯାହାକି ଦେଶରେ ସର୍ବାଧÒକ। ମାଲକାନଗିରିର କାଲିମେଳାଠାରେ ପେଟ୍ରୋଲ ଲିଟର ପିଛା ୧୧୮ ଟଙ୍କା ୧୬ ପଇସା ଏବଂ ଡିଜେଲ ୧୦୭ ଟଙ୍କା ୬୩ ପଇସା ପହଞ୍ଚିଛି।

Leave A Reply

Your email address will not be published.