ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜନୀତି ମୋ ପାଇଁ ବୃତ୍ତି ନୁହେଁ; ଏକ ଆଧ୍ୟାତ୍ମିକ ଯାତ୍ରା : ନବୀନ ପଟ୍ଟନାୟକ

‘ଦି ୱିକ୍‌‌’ କଭର ପୃଷ୍ଠାରେ ନବୀନ

ଭୁବନେଶ୍ୱର : ରାଜନୀତିରେ ନମ୍ର, ପ୍ରଶାସନରେ ଦକ୍ଷ, ଲୋକକଲ୍ୟାଣ କାର୍ଯ୍ୟକ୍ରମରେ ଉଦାହରଣୀୟ ଓ ରାଜ୍ୟର ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ଅଦମିତ ଯୋଦ୍ଧା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ରାଜନୀତିର ଗ୍ରାଣ୍ଡମାଷ୍ଟର’ ଭାବେ ଖ୍ୟାତିସମ୍ପନ୍ନ ଇଂରାଜୀ ପତ୍ରିକା ‘ଦି ୱିକ୍‌‌’ ଅଭିହିତ କରିଛି। ରାଜନୀତିରେ ଅପ୍ରତ୍ୟାଶିତ ପ୍ରବେଶ ସତ୍ତ୍ବେ ଗତ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପଣ କରିଥିବା ନବୀନ ଇତିମଧ୍ୟରେ କ୍ଷମତା ରାଜନୀତିର ସତରଞ୍ଜ ଖେଳରେ ନିଜକୁ ଧୂରୀଣ ସାବ୍ୟସ୍ତ କରିଛନ୍ତି।

ଏକ ଆଞ୍ଚଳିକ ଦଳର ନେତୃତ୍ୱ ନେଉଥିବା ସତ୍ତ୍ବେ ଜାତୀୟ ରାଜନୀତିରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସମର୍ଥ ହୋଇଛନ୍ତି। ରାଜ୍ୟ ରାଜନୀତିରେ ଅଢ଼େଇ ଦଶନ୍ଧି ଧରି ଅଦ୍ୱିତୀୟ, ଅଦମନୀୟ ଓ ଅପରାଜେୟ ନେତା ଭାବରେ ନିଜକୁ ଅଧିଷ୍ଠିତ କରିବାରେ ସେ ସଫଳ ହୋଇଛନ୍ତି। ବିଚକ୍ଷଣ ରାଜନୈତିକ ଗୋଟିଚାଳନା, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ଲୋକଙ୍କ ଜୀବନରକ୍ଷା କ୍ଷେତ୍ରରେ ଯୋଜନାବଦ୍ଧ ପଦକ୍ଷେପ, ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକ୍ରମ ନବୀନଙ୍କୁ ଦେଇଛି ଅନ୍ତର୍ଜାତୀୟ ସ୍ୱୀକୃତି ଓ ସମ୍ମାନ। ଏହି କ୍ରମରେ ଖ୍ୟାତନାମା ଇଂରାଜୀ ପତ୍ରିକା ‘ଦି ୱିକ୍‌‌’ ନିଜର କଭର ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନ ଦେଇଛି। ରାଜନୀତିର ଗ୍ରାଣ୍ଡମାଷ୍ଟର ଭାବରେ ଅଭିହିତ କରିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ରାଜନୈତିକ ଯାତ୍ରାର ଅବତାରଣା କରିଛନ୍ତି। ରାଜନୀତିକୁ ବୃତ୍ତି ନୁହେଁ; ତାଙ୍କ ପାଇଁ ଏକ ଆଧ୍ୟାତ୍ମିକ ଯାତ୍ରା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

‘ଦି ୱିକ୍‌‌’ରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଏକ ସାକ୍ଷାତକାର ପ୍ରକାଶିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତିରେ ପ୍ରବେଶ ଦିନଠାରୁ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କୁ ନିଜ ପରିବାରର ସଦସ୍ୟ ଭାବରେ ମୁଁ ବିବେଚନା କରିଛି। ସେମାନଙ୍କ ସେବା କରିବା ଲାଗି ହିଁ ରାଜନୀତିରେ ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ସହଯୋଗରୁ ଅନେକ ସଫଳ କାର୍ଯ୍ୟ ହୋଇଛି; କିନ୍ତୁ ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ଅଛି। ବିଶେଷକରି ମହିଳା ସଶକ୍ତିକରଣ ମୋ ହୃଦୟରେ ସ୍ୱତନ୍ତ୍ରତା ବହନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନୁରୂପ ଭାବରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ଓଡ଼ିଶାର ଲୋକମାନେ ଯେପରି ପୂର୍ଣ୍ଣ ଦକ୍ଷତାର ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଶିଳ୍ପାୟନ ଏବଂ ସେବା କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିବେ ତାହା ମୋର ଲକ୍ଷ୍ୟ। ଓଡ଼ିଶାର ଲୋକମାନେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଜୀବନଶୈଳୀ ଲାଭ କରି ସବୁ ଦିଗରୁ ସଶକ୍ତ ହୋଇପାରିବେ ତାହା ମୋର ଅଭିଳାଷ। ଏହି ଲକ୍ଷ୍ୟ ହାସଲ ପାଇଁ ଆମ ସରକାର କାମ କରୁଛନ୍ତି। ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ, କୃଷକ ସଶକ୍ତିକରଣ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅନେକ ପ୍ରସଙ୍ଗ ଏଥିରେ ଉଲ୍ଲେଖ କରାଯାଇଛି।

‘ଦି ୱିକ୍‌‌’ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ‘ରାଜନୀତିର ଗ୍ରାଣ୍ଡମାଷ୍ଟର’ ଭାବରେ ଉଲ୍ଲେଖ କରିବା ଅନେକ ଦିଗରୁ ଯଥାର୍ଥତା ବହନ କରିଛି। ୨୫ ବର୍ଷର ରାଜନୈତିକ ଜୀବନ, ୨୨ ବର୍ଷର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ମଧ୍ୟରେ ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ତାଙ୍କ ଜୀବନର ବ୍ରତ ହୋଇଛି। ଦଳ ଓ ସରକାର ଉଭୟ କ୍ଷେତ୍ରରେ ଏହାର ଅନେକ ଉଦାହରଣ ରହିଛି। ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ସହ ସହଭାଗୀଭିତ୍ତିକ ସହଯୋଗ କରିବାରେ ନବୀନ ପଶ୍ଚାତପଦ ହୋଇ ନାହାନ୍ତି; ଅନ୍ୟପକ୍ଷରେ ରାଜ୍ୟ ସ୍ୱାର୍ଥସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ବି ପଛଘୁଞ୍ଚା ଦେଇନାହାନ୍ତି। ବ୍ୟକ୍ତିଗତ ଜୀବନରୁ ସାର୍ବଜନୀନ ଜୀବନ ପର୍ଯ୍ୟନ୍ତ ନିଜକୁ ସର୍ବଦା ମୁକ୍ତ ଓ ସ୍ୱଚ୍ଛ ରଖିଛନ୍ତି। ଲୋକାଭିମୁଖୀ ଯୋଜନା, ଦୃଢ଼ ସରକାର, ସ୍ୱଚ୍ଛ ଶାସନ ତାଙ୍କର ସମ୍ବଳ ପାଲଟିଛି। ରାଜ୍ୟର ବିକାଶ, ରାଜ୍ୟବାସୀଙ୍କ କଲ୍ୟାଣ ତାଙ୍କର ଏକମାତ୍ର ଆଭିମୁଖ୍ୟ ହୋଇଛି। ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦାବି ଉପସ୍ଥାପନ କରିବା, ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ନବୀନ ଆରମ୍ଭ କରିଥିବା ଅଭିଯାନ ସମଗ୍ର ଦେଶରେ ତାଙ୍କୁ ଗାରିମାକୁ ଆହୁରି ରୁଦ୍ଧିମନ୍ତ କରିଛି।

୨୫ ବର୍ଷ ଧରି ରାଜନୀତିରେ ଥରୁଟିଏ ବି କାହା ବିରୋଧରେ କଟୁମନ୍ତବ୍ୟ ଦେଇ ନ ଥିବା ଓ ଅନ୍ୟକୁ ସମାଲୋଚନା କରିବା ମାନସିକତାରୁ ନିଜକୁ ଦୂରରେ ରଖିଥିବା ନବୀନ ଏବେ ଦେଶର ଅନ୍ୟ ରାଜନେତାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଏକଦା ଆର୍ଥିକ ଦୁସ୍ଥିତି ମଧ୍ୟରେ ଗତି କରୁଥିବା ଓଡ଼ିଶା ନବୀନଙ୍କ ନେତୃତ୍ୱରେ ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। କ୍ରୀଡ଼ା ଆୟୋଜନ, ବିପର୍ଯ୍ୟୟ ପରିଚାଳନା, ମାଗଣାରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ, ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ନବୀନଙ୍କ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣୀୟ ହୋଇ ପାରିଛି। ସମ୍ଭବତଃ ଏହି କାରଣ ପାଇଁ ସେ ‘ରାଜନୀତିର ଗ୍ରାଣ୍ଡମାଷ୍ଟର’ ଓ ରାଜନୀତି ତାଙ୍କ ପାଇଁ ଏକ ‘ଆଧ୍ୟାତ୍ମିକ ଯାତ୍ରା’। ଯାହା ‘ ଦି ୱିକ୍‌‌’ ନିଜ କଭର ପୃଷ୍ଠାରେ ସ୍ଥାନୀତ କରିଛି, ପ୍ରଶଂସାରେ ଶତମୁଖ ହୋଇଛି।

Leave A Reply

Your email address will not be published.