ରାଜନୈତିକ ଦଳଙ୍କୁ ପ୍ରତିଶ୍ରୁତି ଦେବାରୁ ନିବୃତ୍ତ କରି ହେବନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଦିଆଯାଉଥିବା ପ୍ରତିଶ୍ରୁତି ଏବଂ ମାଗଣା ଉପହାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଟିପ୍ପଣୀ ରଖିଛନ୍ତି। ଏସବୁ କ୍ଷେତ୍ରରୁ ରାଜନୈତିକ ଦଳମାନଙ୍କୁ ନିବୃତ୍ତ କରି ହେବ ନାହିଁ ବୋଲି ଏହି ପ୍ରସଙ୍ଗରେ ଶୁଣାଣି କରି ପ୍ରଧାନବିଚାରପତି ଏନ ଭି ରମଣା କହିଛନ୍ତି। ସେ କହିଛନ୍ତି, ସୁବିଧା ଯୋଗାଇ ଦେବା ସରକାରଙ୍କର କର୍ତ୍ତବ୍ୟ। କିନ୍ତୁ ଏ ଦିଗରେ ସର୍ବସାଧାରଣଙ୍କ ଅର୍ଥର ଯେଭଳି ସୁବିନିଯୋଗ ହୁଏ ତାହାକୁ ଦେଖିବା ଜରୁରୀ। ଏ ପ୍ରସଙ୍ଗ ଅତ୍ୟନ୍ତ ଜଟିଳ। ଏହି ସବୁ ସମସ୍ୟାଗୁଡ଼ିକୁ ଅଦାଲତ ତର୍ଜମା କରି ପାରିବ କି ନାହିଁ ତାହା ମଧ୍ୟ ଏକ ପ୍ରସଙ୍ଗ।ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନକାଳୀନ ମାଗଣା ସାମଗ୍ରୀ ପ୍ରଦାନ ମାମଲାରେ ମଙ୍ଗଳବାର ଡିଏମ୍‌କେ ଦଳ ପକ୍ଷରୁ ଏକ ପିଟିସନ ଦାଏର କରାଯାଇଥିଲା।

ବ୍ୟାପକ ଏବଂ ବହୁମୁଖୀ ଉଦ୍ଦେଶ୍ୟ ଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ଜନକଲ୍ୟାଣ ଯୋଜନାଗୁଡ଼ିକୁ ମାଗଣା ଉପହାର ବୋଲି କୁହାଯାଇ ପାରିବ ନାହିଁ ବୋଲି ଉକ୍ତ ପିଟିସନ୍‌ରେ ଯୁକ୍ତି କରାଯାଇଥିଲା। ତେବେ ଏହି ପ୍ରସଙ୍ଗରେ ଶୁଣାଣି କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାକୁ ନେଇ କପିଲ ସିବଲ୍‌ ଏବଂ ବିକାଶ ସିଂହ ଦେଇଥିବା ପ୍ରସ୍ତାବ ଆସି ନଥିବାରୁ ଆସନ୍ତାକାଲି ଏହି ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ସଲିସିଟର ଜେନେରାଲ କହିଛନ୍ତି। ଡିଏମକେ ପକ୍ଷରୁ ଏହି ପିଟିସନ ଦାଏର କରିଥିବା ହଂସାରିଆ କହିଛନ୍ତି ଯେ, ଏହି ପ୍ରସ୍ତାବଗୁଡ଼ିକୁ ଅଦାଲତ ବିଚାରକୁ ନେଇ ଏକ କମିଟି ଗଠନ କରିବା ଉଚିତ। ଭାରତ ହେଉଛି ଏକ ଜନ ମଙ୍ଗଳକାରୀ ରାଷ୍ଟ୍ର ହୋଇଥିବାରୁ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କୋର୍ଟରେ କହିଥିଲେ।

Leave a comment