ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କନ୍ଧମାଳ ସୁଡ୍ରା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ଭୟଙ୍କର ଗୁଳି ବିନିମୟ: ୨ ମାଓବାଦୀଙ୍କ ମୃତ୍ୟୁ ଆଶଙ୍କା

କୁମ୍ବିଂ ଅପରେସନ ଜୋରଦାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ଥରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ତରଫରୁ ଫୁଟିଛି ଗୁଳି । ଭୟଙ୍କର ଭାବେ ଗୁଳି ବିନିମୟ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ଏବଂ ଏବେ ମଧ୍ୟ କୁମ୍ବିଂ ଅପରେସନ ଜାରିରହିଛି ବୋଲି ଏସପି ବିନିତ୍‌ ଅଗ୍ରବାଲ ସୂଚନା ଦେଇଛନ୍ତି । ତେବେ କ୍ଷୟକ୍ଷତି ସମ୍ପର୍କରେ ବର୍ତମାନ ସୂଚନା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଏସପି । ପୁଲିସ ଟିମ୍‌ କୁମ୍ବିଙ୍ଗ ଓ ସର୍ଚ୍ଚ ଅପରେସନରୁ ଫେରିବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ଏସପି ସୂଚନା ଦେଇଛନ୍ତି ।

ତେବେ ସ୍ଥାନୀୟ ସୂଚନା ଅନୁଯାୟୀ, ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଜଙ୍ଗଲରେ ପୁଲିସ ଓ ମାଓବାଦୀ ଆଜି ଅପରାହ୍ନ ପ୍ରାୟ ଚାରିଟାରୁ ସାଢେ ଚାରିଟା ମଧ୍ୟରେ ମୁହାଁ ମୁହିଁ ହୋଇଥିଲେ । କୁମ୍ବିଙ୍ଗ ଅପରେସନରେ ଥିବା ଏସଓଜି ଡିବିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା । ପ୍ରାୟ ଅଧଘଣ୍ଟାଏରୁ ଅଧିକ ସମୟ ଧରି ଗୁଳି ଶବ୍ଦ ହେଉଥିବା ସ୍ଥାନୀୟ ସୂଚନାରୁ ପ୍ରକାଶ । ତେବେ ଗୁଳି ବିନିମୟ ବନ୍ଦ ହେବା ପରେ ଗୋଟିଏରୁ ଦୁଇଟି ମାଓବାଦୀଙ୍କ ମୃତଦେହ ପଡିଥିବା ବେଳେ କିଛି ଆହତ ହୋଇଥିବା ଅସମର୍ଥିତ ସୁତ୍ରରୁ ସୂଚନା ମିଳିଛି । ତେବେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯିବା ସହିତ ସର୍ଚ୍ଚ ଅପରେସନ ଶେଷ ହେଲେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି । ତେବେ ମାଓବୀଦୀଙ୍କ କିଛି ନିଶ୍ଚିତ କ୍ଷତି ହୋଇଥିବା ଏସପି ଇଙ୍ଗିତ କରିଛନ୍ତି ।

ଏହି ଅଞ୍ଚଳକୁ ଅଧିକ ଫୋର୍ସ ପଠାଯାଇଥିବା ବେଳେ ଘେରାବନ୍ଦି ମଧ୍ୟ କରିଛି ପୁଲିସ । ଗୁଇନ୍ଦା ଗତିବିଧି ବୃଦ୍ଧି ସହିତ ସତର୍କ ଦୃଷ୍ଟି ରଖିଛି ପୁଲିସ ଟିମ୍‌ । ଆହତ ମାଓବାଦୀ ଆଖପାଖ ଗାଁ କିମ୍ବା ପାଖାପାଖି ଚିକିତ୍ସା ପାଇଁ ଆସିପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ତେବେ ସମ୍ବବତଃ ମୃତ ମାଓବାଦୀଙ୍କ ମୃତଦେହ ଜବତ କରି ଫୁଲବାଣୀ ଆଣିବା ଏବଂ ସମ୍ପୂର୍ଣ ଟିମ୍‌ ଫେରିବା ପରେ ହିଁ ଏସପି ସମ୍ପୂର୍ଣ ଘଟଣାକ୍ରମ ବିଷୟରେ କହିବେ ବୋଲି କହିଛନ୍ତି । କେକେବିଏନ୍‌ କିମ୍ବା ବିଜିଏନ ଡିଭିଜନ ତରଫରୁ ହିଁ ପୁଲିସ ସହିତ ଏହି ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏହି ଅଞ୍ଚଳରେ ହିଁ ପୂର୍ବରୁ ମାଓବାଦୀ ଆମ୍ବୁସ କରି ଆକ୍ରମଣ କରିବା ସହିତ ଜଣେ ଏସଓଜି କମାଣ୍ଡୋ ସହିଦ୍‌ ହୋଇଥିଲେ । ସେଥିପାଇଁ ପୁଲିସ ସମସ୍ତ ସତର୍କତା ଅବଲମ୍ବନ କରୁଛି ଏବଂ ବୁଧବାର ସୁଦ୍ଧା ସବୁ ସ୍ପଷ୍ଟ ହେବ।

 

Leave A Reply

Your email address will not be published.