‘ବଉଳା’କୁ ନେଇ ପୁଲିସ ବାଉଳା: ମାଲିକାନାକୁ ନେଇ ଡେମୋ ପରେ ମଧ୍ଯ ବାହାରି ପାରିଲାନି ସମାଧାନ

ଖଣ୍ଡଗିରି:  ଗୋଟିଏ ଗାଈ, ନାଁ ବି ଗୋଟିଏ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗିଛି ଟଣାଓଟରା। କସରା ରଙ୍ଗର ଏହି ଗାଈର ମାଲିକାନାକୁ ନେଇ ଉଭୟ ପରିବାର ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ଏପରିକି କଥା ଥାନା ପର୍ଯ୍ୟନ୍ତ ଗଲାଣି। ଗାଈଟି କାହାର ସ୍ପଷ୍ଟ ହୋଇ ନ ଥିବାବେଳେ ଏହାକୁ ନେଇ ପୁଲିସ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ଅଞ୍ଚଳରେ। ଦୁଇଦିନ ଧରି ବିବାଦ ଲାଗି ରହିଥିଲେ ମଧ୍ୟ ‘ବଉଳା’ କାହାର ପୁଲିସ ସ୍ଥିର କରିପାରିନାହିଁ। ଘଟଣା ରୋଚକ ମୋଡ଼ ନେବା ସହିତ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ଅନୁଯାୟୀ, ଭରତପୁର ହରପାର୍ବତୀ ସାହିର ଭିକାରୀ ନାୟକ ଦୁଇ ବର୍ଷ ପୂର୍ବେ ଏକ ଗାଈ କିଣିଥିଲେ। ତା’ର ନାଁ ବଉଳା ରଖିବା ସହିତ ତାକୁ ଘରେ ରଖି ଲାଳନପାଳନ କରୁଥିଲେ। ହେଲେ ୮ ମାସ ପୂର୍ବେ ଗାଈଟି କେଉଁଆଡେ ପଳାଇଥିଲା। ଦୁଇମାସ ପୂର୍ବେ ସେ ପୁଣି ଗାଈଟିକୁ ପାଇଥିଲେ ଓ ଘରକୁ ଆଣିଥିଲେ। ଅନ୍ୟପଟରେ ଭରତପୁରର ସନାତନ ପ୍ରଧାନଙ୍କ ଦାବି ଅନୁଯାୟୀ, ସେ ଦୁଇ ବର୍ଷ ପୂର୍ବେ ଏକ ଗାଈ ଆଣି ଘରେ ରଖିଥିଲେ। ହେଲେ ଦୁଇମାସ ପୂର୍ବେ ଗାଈଟି କେଉଁଆଡ଼େ ପଳାଇ ଯାଇଥିଲା। ଏହି ଗାଈକୁ ନେଇ ଉଭୟପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ କଥା ଯାଇ ଭରତପୁର ଥାନାରେ ପହଞ୍ଚିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ପୁଲିସର ଅକଲ ଗୁଡୁମ୍‌‌ ହୋଇ ଯାଇଥିଲା। ଘଟଣାର ସମାଧାନ କରିବାକୁ ଯାଇ ପୁଲିସ ଭିକାରୀ ଓ ସନାତନଙ୍କୁ ଭିନ୍ନଭିନ୍ନ ଜାଗାରେ ଛିଡ଼ା ହେବାକୁ କହିବା ସହିତ ସେମାନଙ୍କ ଠାରୁ ଅଳ୍ପ ଦୂରରେ ଗାଈକୁ ଛିଡ଼ା କରାଇଥିଲା। ‘ବଉଳା’ ବୋଲି ଡାକିବାକୁ ଉଭୟଙ୍କୁ କହିଥିଲା ଏବଂ ବଉଳା ଡାକିବା ପରେ ଗାଈଟି ଯାହା ପାଖକୁ ଯିବ ସେ ହିଁ ମାଲିକ ବୋଲି ଧରାଯିବ ବୋଲି ପୁଲିସ କହିଥିଲା। ହେଲେ ଉଭୟ ମାଲିକ ବଉଳାକୁ ଡାକିବା ପରେ ସେ କାହାରି ପାଖକୁ ଯାଇ ନ ଥିଲା। ବରଂ ଦୁଇ ପାଦ ପଛକୁ ପଳାଇ ଆସିଥିଲା। ଏଭଳି ହେବା ପରେ ପୁଲିସ ଆହୁରି ଦ୍ୱନ୍ଦ୍ୱରେ ପଡ଼ିଥିଲା। ଶେଷରେ ଭିକାରୀ ଓ ସନାତନ ଗାଈ ଉପରେ ନିଜ ନିଜର ମାଲିକାନା ଜାହିର କରିଥିଲେ।

ତେବେ ଦୁଇଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହୋଇ ପାରିନାହିଁ। ଆସନ୍ତାକାଲି ଏହି ବିବାଦରେ୍‌‌ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ନୂଆ ପ୍ରଣାଳୀ ଆପଣାଇବ ବୋଲି ପୁଲିସ କହିଛି। ଶୁକ୍ରବାର ଗାଈର ପଘା ଖୋଲାଯିବ ଓ ସେ ଯେଉଁ ମାଲିକଙ୍କ ଘରକୁ ଯିବ ସେ ହିଁ ଗାଈର ପ୍ରକୃତ ମାଲିକ ବୋଲି ଧରାଯିବ ବୋଲି ପୁଲିସ କହିଛି।

Leave a comment