ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାସ୍ତାରେ ଜଗିଛି ପୁଲିସ; ଘରେ ପଶିଲାଣି ଚୋର

ଭୁବନେଶ୍ୱର : କରୋନା ସମୟରେ ପୁଲିସ ରାସ୍ତାରେ ବୁଲି ମାସ୍କ ଚେକିଂ କରୁଛି। ସେପଟରେ ଚୋର ଲୋକଙ୍କ ଘର ତାଲା ତାଡ଼ି କଳାକନା ବୁଲାଇଲେଣି। ଗତ ଗୋଟିଏ ସପ୍ତାହରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ୨୦ଜଣଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏସବୁ ମାମଲାରେ ତଦନ୍ତ କରୁଥିଲେ ମଧ୍ୟ ଚୋରଙ୍କୁ ଗିରଫ କରିପାରିନାହିଁ।

ସହିଦନଗର ଥାନା କେଶୁରା ପ୍ଲଟ ନଂ-୪୧/୧୬୩ରେ ରହୁଥିବା ଅରବିନ୍ଦ ସ୍ୱାଇଁ ଘରେ ଗତ ୭ତାରିଖରେ ଦୁର୍ବୃତ୍ତମାନେ ପଶି ଲୁଟି ନେଇଛନ୍ତି। ସେ ମହାଙ୍ଗା ସ୍ଥିତ ନିଜ ଘରକୁ ଯାଇଥିବା ବେଳେ ଏଭଳି ଘଟଣା ଘଟଛି। ସେ ମଙ୍ଗଳବାର ଘରୁ ଫେରିବା ପରେ ଜାଣିବାକୁ ପାଇଲେ ତାଙ୍କ ଘରର ମୁଖ୍ୟ କବାଟ ଖୋଲା ରହିଛି। ଘରର ସମସ୍ତ କାବଟ ଭଙ୍ଗାଯାଇଥିଲା। ଘର ଷ୍ଟିଲ ଆଲମିରା ଭାଙ୍ଗି ୨ଟି ସୁନା ହାର, ୪ ହଳ କାନ ଫୁଲ, ୭ଟି ସୁନା ମୁଦି,୧ ସୁନା ଚୁଡ଼ି, ୧ ସୁନା ଚେନ, ୧୮ ହଜାର ଟଙ୍କା ଏବଂ ଏଲିଡି ଟିଭି ଚୋରି ହୋଇଛି। ସବୁ ଚୋରି ସାମଗ୍ରୀର ଦାମ ୧୦ଲକ୍ଷ ଟଙ୍କା ହେବ ବୋଲି ଅରବିନ୍ଦ କହିଛନ୍ତି।

ସେହିଭଳି ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଲେନ୍‍-୫ ପ୍ଲଟ ନଂ-୬୬ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ଝରକା ଗ୍ରୀଲ କାଟି ଘର ଭିତରକୁ ପଶିଥିଲେ। ଘରର ଆଲମାରୀ ତାଡ଼ି ସେମାନେ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଚୋରି ଭିତରେ ୪ଟି କାନଫୁଲ, ୨ଟି ମୁଦି, ଗୋଟିଏ ସୁନା ଲକେଟ୍‍, ସୁନା ଚେନ ଏବଂ ନଗଦ ୧୫ଶହ ଟଙ୍କା ଚୋରି ହୋଇଛି। ଏନେଇ ଥାନାରେ ଘରର ମାଲିକ ରଞ୍ଜିତ କୁମାର ଦାଶ ଥାନାରେ ଅଭିଯୋଗ କରିଛନ୍ତି।

ସେହିଭଳି ଜିଜିପି କଲୋନୀରେ ଥିବା ପ୍ରାଥମିକ ସ୍କୁଲରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ସ୍କୁଲର ପାଚେରୀ ଡେଇଁ ସ୍କୁଲ ଘର ତାଲି ଭାଙ୍ଗି ଭିତରକୁ ପଶିଥିଲେ। ଭିତରେ ଥିବା ପାଣି ଟ୍ୟାପ୍‍, କମ୍ପ୍ୟୁଟର, ଏବଂ ଅନ୍ୟାନ ସାମଗ୍ରୀ ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମିନର୍ଭା ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।
ସେହିପରି ମଙ୍ଗଳବାର ବରମୁଣ୍ଡା ହାଉସିଂବୋର୍ଡ କଲୋନରେ ପାର୍କିଂ ହୋଇଥିବା ଏକ କାରରୁ ବମ୍ପର ଚୋରି ହୋଇଛି। ରାତି ପ୍ରାୟ ୩ଟା ସମୟରେ ଚୋର କାର ନିକଟକୁ ଆସିଥିଲେ। କାରର ବମ୍ପରକୁ ଖୋଲି ସେଠାରୁ ଚମ୍ପଟ ମାରିଥିଲେ। ଚୋର କୌଣସି ଗ୍ୟାରେଜରେ କାମ କରୁଥିବା ପୁଲିସ ସନ୍ଦେହ କରୁଛି। ସକାଳୁ କାର ମାଲିକ କାରରେ ବମ୍ପର ନ ଥିବା ଦେଖିବାକୁ ପାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.