ଯୁକ୍ତ ୨ ଛାତ୍ର ହୃଦୟେସ୍ ନିଖୋଜ କଥା ମିଛ, ଘଟଣାର ପର୍ଦ୍ଦାଫାସ କଲା ପୁଲିସ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କଲେଜର ଯୁକ୍ତ ୨ ଛାତ୍ର ହୃଦୟେସ୍ ପଣ୍ଡା ନିଖୋଜ ଘଟଣାରେ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି କମିସନରେଟ ପୁଲିସ। ଛାତ୍ର ଜଣଙ୍କ ନିଖୋଜ ହୋଇନଥିବା ଏବଂ ତାଙ୍କୁ କଲେଜରେ କୌଣସି ରାଗିଂ ହୋଇନଥିବା ସ୍ପଷ୍ଟ  କରିଛନ୍ତି ଭୁବନେଶ୍ୱର ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଷୋୟୀ। ମାମଲାର ପର୍ଦ୍ଦାଫାସ୍ କରି ସେ କହିଛନ୍ତି ଯେ, ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନିର୍ଯ୍ୟାତନା ଦେଇଥିବା ଏବଂ ଛାତ୍ର ନିଖୋଜ ଥିବା ତାଙ୍କ ବାପା ମାଆ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା।

ସେଥିରୁ ଜଣାପଡ଼ିଥିଲା ଯେ, ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କର ପ୍ରାୟ ୯୫ ହଜାର ବକେୟା ଥିଲା। କର୍ତ୍ତୃପକ୍ଷ ବାରମ୍ବାର ଟଙ୍କା ମାଗିବାରୁ ସେ ସେଠାରେ ରହିବାକୁ ଚାହୁଁ ନଥିଲେ। ପରେ କର୍ତ୍ତୃପକ୍ଷଙ୍କୁ ଜଣାଇ ଛାତ୍ରଜଣଙ୍କ ସେଠାରୁ ପଳାଇ ଆସି ଏକ ହୋଟେଲ୍‌ରେ ରହିଥିଲେ। ଏ ବାବଦରେ ପରିବାର ଲୋକ ସବୁ ଜାଣିଥିଲେ ଏବଂ ଛାତ୍ରଙ୍କ ବାପା ହୋଟେଲ୍ ରୁମ୍ ଭଡ଼ା ଟଙ୍କା ବି ନିଜ ଏଟିଏମ୍‌ରୁ ଦେଇଥିଲେ। ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ହୃଦୟେସ୍  ବାପା ଚନ୍ଦ୍ରଶେଖର ପୁର ଥାନାକୁ ଆସି ନିଖୋଜ ଅଭିଯୋଗ କରିଥିଲେ ବୋଲି ପୁଲିସ କହିଛି।

ପୁଲିସ ଘଟଣାର ତଦନ୍ତ କରିବା ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଥିଲା। ଗୋଟିଏ ଦିନ ରହିବା ପରେ, ହୃଦୟେସ୍‌ଙ୍କ ବାପା ହୋଟେଲର ବିଲ ଏକ ହଜାର ଟଙ୍କା ଦେଇ ହୋଟେଲ ଛାଡିଥିଲେ ଓ ପୁଅକୁ ନେଇ ଘରକୁ ଚାଲିଯାଇଥିଲେ ଏବଂ ଏହି ସମସ୍ତ ଘଟଣା ସିସିଟିଭିରେ ରହିଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।  ଏହି ଘଟଣାରେ ଛାତ୍ରଙ୍କ ବାପାମାଆକୁ ଡାକି ପଚରାଉଚରା କରାଯିବ ବୋଲି ଏସିପି କହିଛନ୍ତି।

Leave a comment