ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଦ୍ଧତ ଏଏସ୍‌ପି: ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସର ଲାଠିମାଡ଼

ନବରଙ୍ଗପୁର: ସୀମା ଟପିଛି ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଔଦ୍ଧତ୍ୟତା । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜୟକୃଷ୍ଣ ବେହେରା ମାଡ଼ ମାରିଛନ୍ତି। ଘଟଣାକୁ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ ଦୃଢ଼ ନିନ୍ଦା କରିଛି। ଘଟଣାର ପ୍ରତିବାଦ ସହ ଏଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପାପଡ଼ାହାଣ୍ଡି ଥାନା ଆଗରେ ସାମ୍ବାଦିକ ସଂଘ ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଧାରଣାକୁ ସ୍ଥଗିତ ରଖାଯାଇଛି। ଉପଜିଲ୍ଲାପାଳ ଭାସ୍କର ରଇତ ଧାରଣାସ୍ଥଳରେ ପହଞ୍ଚି ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୁଲିସ ବାବୁଙ୍କ ଦାଦାଗିରିକୁ ଶ୍ରୀ ରଇତ ନିନ୍ଦା କରିବା ସହ ସେ ଭୁଲ କରିଛନ୍ତି ବୋଲି କହିଥିଲେ। ଏସ୍‌ପି ୨୧ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିବାରୁ ସେ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରଇତ ପ୍ରତିଶ୍ରୁତି ଦେବା ପରେ ଗଣମାଧ୍ୟମ ପ୍ରତିନିଧି ଧାରଣ ସ୍ଥଗିତ ରଖିଥିଲେ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାରେ ବୁଧବାର ଏପରି ଘଟଣା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ବରଗଡ଼ ଅଞ୍ଚଳର ଜଣେ ବିବାହିତା ମହିଳା କେତାବୁନ ନିଶାଙ୍କ ସହ ପାପଡ଼ାହାଣ୍ଡି ଅଞ୍ଚଳର ଓମ୍‌ପ୍ରକାଶ ଜ୍ଞାନଚାନ୍ଦ ଦାସଙ୍କ ଗତ ୧୪ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ତେବେ ମହିଳା ଜଣକ ନିଜ ଇଚ୍ଛାରେ ପୁଅ ସହ ପାପଡ଼ାହାଣ୍ଡି ଘରକୁ ଚାଲି ଆସିଥିଲେ। ଉଭୟ ପରିବାର ତରଫରୁ ମହିଳା ଓ ପୁଅ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା। ପରେ ନବରଙ୍ଗପୁର ଏସ୍‌ପିଙ୍କ ନିକଟରେ ଉଭୟ ପହଞ୍ଚି ସହମତି ଜଣାଇଥିଲେ। ପରେ ଏସଡିପିଓଙ୍କ ନିକଟରେ ମହିଳା ସହମତି ଜଣାଇ ପୁଅ ଘରେ ରହୁଥିଲା । ତେବେ ବୁଧବାର ମହିଳା ଜଣକ ଘରେ ଏକା ଥିବା ସମୟରେ ମହିଳାଙ୍କ କିଛି ସମ୍ପର୍କୀୟ ଆସି ତାଙ୍କୁ ଜୋର ଜବରଦସ୍ତ ଟଣା ଓଟରା କରି ଘରୁ ନେଇଯାଇଥିଲେ।

ଖବରପାଇ ପରିବାର ଲୋକ ଥାନାରେ ଖବର ଦେବା ପରେ ମୈଦଲପୁର ଫାଣ୍ଡିରେ ମହିଳାଙ୍କୁ ଉଦ୍ଧାର କରାଯାଇ ରଖାଯାଇଥିଲା। ପରିସ୍ଥିତି ଦେଖି ମହିଳାଙ୍କ ପରିବାର ଫାଣ୍ଡିରୁ ଚମ୍ପଟ ମାରିଥିଲେ। ପରେ ମହିଳାଙ୍କୁ ପାପଡ଼ାହାଣ୍ଡି ଥାନାକୁ ଅଣାଯାଇଥିଲା । ଏହି ସମୟରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ପୁଅଙ୍କ ପରିବାର ମହିଳାଙ୍କୁ ନେବାକୁ ଦେଇ ନ ଥିଲେ। ମହିଳା ମଧ୍ୟ ଯିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିଲେ। ପରେ ଏଏସପି ଜୟକୃଷ୍ଣ ବେହେରା ପହଞ୍ଚି ମହିଳାଙ୍କୁ ଜୋର ଜବରଦସ୍ତ ଥାନାରୁ ଟଣା ଓଟରା କରି ନେବା ସମୟରେ ପାପଡ଼ାହାଣ୍ଡିର କିଛି ଖବରଦାତା ଖବର ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଏଏସପି ପ୍ରଥମେ ‘ଅର୍ଗସ୍‌’ ପ୍ରତିନିଧି ସୁମିତ ଘଣ୍ଟ, ‘ସକାଳ’ ପ୍ରତିନିଧି ପ୍ରବୀଣ ଶତନାମୀ ଓ ‘ପ୍ରଗତିବାଦୀ’ ପ୍ରତିନିଧି ଓମପ୍ରକାଶ କରମଚାନ୍ଦ ଦାସଙ୍କୁ ଲାଠିରେ ଆକ୍ରମଣ କରିଥିଲେ। ଖବରଦାତା ବୋଲି ପରିଚୟ ଦେବା ପରେ ମଧ୍ୟ ସେ ଅଶାଳୀନ ବ୍ୟବହାର ଦେଖାଇ ଚାଲିଥିଲେ। ଘଟଣା ସମୟରେ ତମେ ସବୁ ପ୍ରତିବାଦ ଚଳାଇଛ କହି ଖବରଦାତାଙ୍କ ସ୍ତ୍ରୀ ଲିଜାରାଣୀ ପଟ୍ଟନାୟକକୁ ଠେଲାପେଲା କରିଥିଲେ। ଜଣେ ମହିଳାଙ୍କ ଉପରେ ପୁରୁଷ ପୁଲିସ କର୍ମଚାରୀ ହାତଦେଇ ଠେଲା ପେଲା କରିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରାଯିବା ସହ ଏହାକୁ ନେଇ ପ୍ରତିବାଦ କରାଯାଇଥିଲା।

ଖବର ପାଇ ଓୟୁଜେ ଜିଲ୍ଲା ସଭାପତି ସୁଶାନ୍ତ ବେହେରାଙ୍କ ସହ ଜିଲ୍ଲାର ଖବରଦାତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବରଦାତାଙ୍କୁ ଏଏସପି କ୍ଷମା ପ୍ରାର୍ଥନା କରିବା ସହ ଏଏସ୍‌ପି ଜୟକୃଷ୍ଣ ବେହେରାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକରି ସାମ୍ବାଦିକ ସଂଘ ପକ୍ଷରୁ ପାପଡ଼ାହାଣ୍ଡି ଥାନା ଆଗରେ ଧାରଣା ଦିଆଯାଇଥିଲା । ଏହାକୁ ନେଇ ରାଜ୍ୟ ଓୟୁଜେ ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ମହାନ୍ତି ଏବଂ ସମ୍ପାଦକ ଅଶୋକ ନନ୍ଦ ଦୃଢ଼ ନିନ୍ଦା କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା ଏହି ଧାରଣା ସମୟରେ ସଭାପତି ସୁଶାନ୍ତ କୁମାର ବେହେରା , ଗୌରାଙ୍ଗ ପାତ୍ର, ଏ. ସତୀଶ , ଶ୍ରୀଧର ପାତ୍ର , ପି ପ୍ରକାଶ, ରବି ନାରାୟଣ ପଟ୍ଟନାୟକ, ଫାଲଗୁନି ପାତ୍ର, ଜିତ ନାୟକ, ରାମ ଦଳେଇ, ବଣ୍ଟି ପଟ୍ଟନାୟକ, ତରୁଣ ବିଶୋଇ, ଅନୀଲ ପ୍ରସାଦ, ସିଏଚ ଈଶ୍ୱର ରାଓ, ଏନ ଜନାର୍ଦ୍ଦନ ରାଓ, ସ୍ବପ୍ନଜିତ ପଟ୍ଟନାୟକ , ପ୍ରଶାନ୍ତ କୁମାର ସାହୁ, କୋରେଶ ଉପାସୀ, ସୁମିତ କୁମାର ଘଣ୍ଟ, ପ୍ରବୀଣ ସତନାମୀଙ୍କ ସମେତ ବହୁ ପାପଡ଼ାହାଣ୍ଡି , ମୈଦଲପୁର ଏବଂ ନବରଙ୍ଗପୁର ଜିଲ୍ଲାର ବହୁ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.