ମିକ୍ସଚର ମେସିନ ଚୋରି ମାମଲାରେ ପ୍ରୟୋଜକ ସିତାଂଶୁ ମହାନ୍ତିକୁ ଗିରଫ କଲା ପୁଲିସ

ପାଟକୁରା : ଗତ ୪ ରୁ ୫ ଦିନ ହେବ ରାଜ୍ୟର ବିଭିନ୍ନ ଡିଜିଟାଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ବାଇଟ୍ ଭାଇରାଲ ହେଉଛି। ବ୍ୟକ୍ତି ଜଣଙ୍କ ପାଟି ଲାଗୁଥିବା ବେଳେ ସେ ଖନେଇ ଖନେଇ ନିଜର ମତ ରଖୁଛନ୍ତି। ଆଉ ଯାହାକୁ ନେଇ ସୋସିଆଲ ମିଢିଆରେ ବେଶ ଚର୍ଚ୍ଚା ମଧ୍ୟ ହେଉଛି। ବାସ୍ତବରେ ଉକ୍ତ ବ୍ୟକ୍ତି ଜଣଙ୍କ ଅଭିନେତା ପିଣ୍ଡୁ ନନ୍ଦଙ୍କ ଅସୁସ୍ଥତା ସମୟରେ ଚର୍ଚ୍ଚାକୁ ଆସିଥିଲେ। ଏହି ବ୍ୟକ୍ତି ଜଣଙ୍କ ଜଣେ ଚଳଚିତ୍ର ପୟୋଜକ ବୋଲି କହିବା ସହ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିବା ପାଇଁ ୫୦ ହଜାର ଟଙ୍କାର ଏକ ଚେକ୍ ଦେଇଥିଲେ। ହେଲେ ଉକ୍ତ ଚେକ୍ଟି ପରଦିନ ବ୍ୟାଙ୍କରେ ବାଉନ୍ସ ହୋଇଥିଲା। ଆଉ ଉକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ମୋଟ୍ ୧୦୮ ଟଙ୍କା ଥିବା ଜଣାପଡିଥିଲା। ଆଉ ଏହାପରେ ଏହି ବ୍ୟକ୍ତିଙ୍କ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଆଉ ଏହି ଆଲୋଚନା ଭିତରେ ଯାହା ଜଣାପଡିଥିଲା କି ସେହି ବ୍ୟକ୍ତି ଜଣଙ୍କ ନିଜକୁ ପ୍ରୟୋଜକ କହୁଥିବା ବେଳେ ବିଭିନ୍ନ ସମୟରେ ଚୋରୀ କରି ଜେଲ୍ ମଧ୍ୟ ଯାଇଛନ୍ତି। କେଉଁଠି ମିକ୍ସଚର ମେସିନ ତ ଆଉ କେଉଁଠି କାର୍, ଆଉ କାହାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଇ ଠକେଇ କରିଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ନିଜକୁ ପ୍ରଯୋଜକ ବୋଲି କହୁଥିବା ସିତାଂଶୁ ମହାନ୍ତି। ତେବେ ଏମିତି ଚର୍ଚ୍ଚା ଭିତରେ ଗତକାଲି ସିତାଂଶୁ ମହାନ୍ତିଙ୍କୁ ବାନ୍ଧିଛି ପୁଲିସ। ଘଟଗାଁ ଥାନା ଅଞ୍ଚଳରେ ମିକ୍ସଚର ମେସିନ ଚୋରି କେଶରେ ସେ ବନ୍ଧା ହୋଇଛନ୍ତି। ଗତକାଲି ରାତିରୁ ସେ ନିଜ ଘର କୁଦାନଗରୀ ଥାନା ଅନ୍ତରଗତ କରିଲପାଟଣା ହନ୍ତାପଡ଼ାକୁ ଆସିଥିଲା। ଫୋନ ଟ୍ରାକ କରି କୁଦାନଗରୀ ଥାନା ପୁଲିସ ତାକୁ ଘରୁ ଉଠାଇ ଆଣି କୁଦାନଗରୀ ଥାନାରେ ରଖିଥିଲେ। ଆଜି ସକାଳୁ ତାକୁ ଘଟଗାଁ ଥାନା କୁ ପଠା ଯାଇଛି। ପୁଲିସ କହିବା ଅନୁସାରେ ସିତାଂଶୁ ନାମ ବଦଳାଇ ବିଭିନ୍ନ ବେଆଇନ କାର୍ଯ୍ୟ କରୁଥିଲା।
ଅନ୍ୟପଟେ ୨୦୨୨ ଡିସେମ୍ବର ମାସରେ ଫିଲ୍ମ ଷ୍ଟାଇଲରେ ଖଲ୍ଲିକୋଟରୁ ମିକ୍ସର ମେସିନ ଚୋରୀକରି ଭୁବନେଶ୍ୱରରେ ବିକ୍ରି କରିଥିଲା ସିତାଂଶୁ। ଖଲ୍ଲିକୋଟ ଫରେଷ୍ଟ ଅଫିସ ଆଗରୁ ଖଲ୍ଲିକୋଟ ପ୍ରମୋଦ ସାହୁଙ୍କ ମିକ୍ସର ମେସିନଟିକୁ କେହି ଚୋରି କରି ନେଇଥିବା ଥାନା ରେ ଏତଲା ହୋଇଥିଲା । ତେବେ ସେହି ଏତଲା ଆଧାର ରେ ଖଲ୍ଲିକୋଟ ପୁଲିସ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଯାଂଚ କରିଥିଲା । ସିସିଟିଭିରୁ ପୋଲିସ ମିକ୍ସର ମେସିନକୁ ଭିଡି ନେଇଥିବା ଗାଡିର ଠିକଣା ପାଇ ଡ୍ରାଇଭରକୁ ଉଠାଇ ଆଣିଥିଲା । ତେବେ ଉକ୍ତ ଡ୍ରାଇଭର ସେ କେହି ଜଣେ ଭଡା ଡାକିବାରୁ ସେ ମିକ୍ସର ମେସିନକୁ ନେଇଥିବା କହିଥିଲେ । ତେବେ ଉକ୍ତ ଡ୍ରାଇଭର ମିକ୍ସର ମେସିନ ଟି ଚୋରୀ ହୋଇଥିବା ସେ ଜାଣିନଥିବା କହିଥିବା ବେଳେ ସେ ପୁଲିସକୁ ତଦନ୍ତରେ ସହଯୋଗ କରିଥିଲା । ଭଡା ଡାକିଥିବା ବ୍ୟକ୍ତି ଫୋନ ପେ ମାଧ୍ୟମରେ ଡ୍ରାଇଭରକୁ ଟଙ୍କା ପଠାଇଥିବାରୁ ସେହି ଫୋନ ପେ ନମ୍ବର ଆଧାରରେ ପୁଲିସ ତଦନ୍ତ କରିବା ସହ ଭୁବନେଶ୍ୱର ମଞ୍ଚେଶ୍ବରରୁ ସୁତାଂଶୁ ମହାନ୍ତିକୁ ପୁଲିସ ଗିରଫ କରିଥିଲା । ଟଙ୍କା ଅଭାବ ଯୋଗୁଁ ସେ ଚୋରୀ କରିଥିଲା ବୋଲି ପୁଲିସକୁ କହିଥିଲା।