ଢ଼ିଙ୍କିଆରେ ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ:  ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ଗ୍ରାମବାସୀ । ପାରାଦୀପ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରି ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଢ଼ିଙ୍କିଆ ଗାଁରେ ଆଜି ପଶିଛି ପୁଲିସ । ଢିଙ୍କିଆର ତିନିଟି ଯାକ ପ୍ରବେଶ ପଥରେ ବାଉଁଶ ଗେଟ୍ ନିର୍ମାଣ କରି ଗାଁକୁ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ପ୍ରବେଶ କରାଇ ନଦେବାକୁ ଜିଦରେ ଅଡି ବସିଥିଲେ ଗ୍ରାମବାସୀ । କିନ୍ତୁ ଆଜି ପାଖାପାଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ଢିଙ୍କିଆର ପହଞ୍ଚି ଗାଁକୁ ପଶିବା ଉଦ୍ୟମ ସମୟରେ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପୁଲିସ ଗାଁରେ ପଶିବା ପରେ ଢିଙ୍କିଆ ଗାଁ ସମ୍ପୂର୍ଣ୍ଣ ଶୂନଶାନ୍ ହୋଇଯାଇଛି । ପୂର୍ବରୁ ମାହାଳ, ଗୋବିନ୍ଦପୁର ଗାଁର ପାନ ଚାଷୀ ସେମାନଙ୍କ ପାନ ବରଜ କମ୍ପାନୀକୁ ଦେବା ସହିତ କ୍ଷତିପୂରଣ ମଧ୍ୟ ନେଉଥିଲେ । ଏମିତିକି ଢିଙ୍କିଆର କିଛି ଲୋକ ମଧ୍ୟ ବରଜ ଦେଇଥିଲେ । ପୁଲିସ ଗାଁରେ ପ୍ରବେଶ ନ କରି ଲୋକଙ୍କ ସହିତ ମିଶି କାର‌୍ୟ୍ୟ କରୁଥିଲା । କିନ୍ତୁ ଆଜି ପୁଲିସ ଗାଁରେ ପଶିବାରୁ ପୁଲିସ ସହ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା ।

Leave a comment