ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା, ପରିଚାଳନାରେ ସହଯୋଗ କରିବେ ୬୬୨ବର୍ଗ କଲେଜ ଶିକ୍ଷକ

ଭୁବନେଶ୍ୱର : ସ୍ୱାଭାବିକ ଚାଲିବ +୨ ପରୀକ୍ଷା। ୬୬୨ବର୍ଗର ଶିକ୍ଷକମାନେ ପରୀକ୍ଷା ପରିଚାଳନାରେ ସାମିଲ ହେବେ। ମଙ୍ଗଳବାର ଦିନ ଆନ୍ଦୋଳନରତ ୬୬୨ ବର୍ଗ ଶିକ୍ଷକଙ୍କ ସହ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆଲୋଚନା ଓ ପ୍ରତିଶ୍ରୁତି ପରେ ସଂଘ ପରୀକ୍ଷା ପରିଚାଳନାରେ ସାମିଲ୍‌‌ ହେବା ନେଇ ଘୋଷଣା କରିଛି। ଆସନ୍ତା ୧୨ ତାରିଖ ମଧ୍ୟରେ ପୁନର୍ବାର କମିଟିର ବୈଠକ ବସି ଅଧ୍ୟାପକଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥମନ୍ତ୍ରୀ ଓ ବିଜେଡିର ସାଂଗଠନିକ ସମ୍ପାଦକ ଅଧ୍ୟାପକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ପରୀକ୍ଷା ସାମିଲ୍‌‌ ପାଇଁ ଅଧ୍ୟାପକମାନଙ୍କୁ ଅନୁରୋଧ କରିଥିଲେ। ତେବେ ସଂଘ ପରୀକ୍ଷା ପରିଚାଳନାରେ ସାମିଲ ହେବ। ମାତ୍ର ଲୋୟର ପିଏମଜିରେ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିବ।

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସଂଘ ପରୀକ୍ଷାରେ ସାମିଲ୍‌‌ ହେବା ନେଇ ନିଷ୍ପତ୍ତି ଗ୍ରହଣ କରିଥିବା ୬୬୨ ବର୍ଗ କଲେଜ ଶିକ୍ଷକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି। ଆସନ୍ତା ୧୨ ତାରିଖ ମଧ୍ୟରେ ସରକାରୀସ୍ତରରେ ଶିକ୍ଷକଙ୍କ ଦାବି ନେଇ ନିଷ୍ପତ୍ତି ନିଆ ନ ଗଲେ ଆନ୍ଦୋଳନ ପୁଣି ତୀବ୍ରତର ହେବ ବୋଲି ସଂଘ କହିଛି। ଅନ୍ୟପକ୍ଷରେ ବୁଧବାର ଅାରମ୍ଭ ହେବାକୁ ଥିବା ଉଭୟ ରେଗୁଲାର୍‌‌ ଓ ଏକ୍ସ ରେଗୁଲାର ବର୍ଗ ପିଲାଙ୍କ ପରୀକ୍ଷା ଦୈନିକ ୧୦ଟାରୁ ଆରମ୍ଭ ହେବ। ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ମାତୃଭାଷା(ଓଡ଼ିଆ) ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ସିଏଚଏସଇ ପକ୍ଷରୁ ସମସ୍ତ ପ୍ରକ୍ରୟା ଶେଷ ହୋଇଥିବାବେଳେ ପୂର୍ବାହ୍ନ ୯ଟା ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପରିଷଦ କହିଛି।

ପୂର୍ବ ବର୍ଷ ଭଳି ୩୦ ପ୍ରତିଶତ ସିଲାବସ ବାଦ୍‌‌ ହୋଇ ନାହିଁ। ମୂଲ୍ୟାୟନରେ ପିଲାଙ୍କ ଇଣ୍ଟରନାଲ୍‌‌ ଆସେସମେଣ୍ଟ ରେଜଲ୍ଟକୁ ମଧ୍ୟ ବିଚାରକୁ ନିଆଯିବ। ପରୀକ୍ଷା ତଦାରଖ ପାଇଁ ସିସିଟିଭି ବ୍ୟବସ୍ଥା ସହ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ତଥା ସମସ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୧୧୪୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ରେଗୁଲାର, ଏକ୍ସରେଗୁଲାର ଓ ଦୂରନିରନ୍ତର(ଡିସଣ୍ଟାସ୍‌‌) ବର୍ଗ ପିଲାଙ୍କୁ ମିଶାଇ ୧୫୯୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମୁଦାୟ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। କଳାରେ ୨,୩୩,୮୫୫ଜଣ ପରୀକ୍ଷାର୍ଥୀ ଥିବାବେଳେ ବାଣିଜ୍ୟରେ ୨୪ ହଜାର ୩୩୧, ବିଜ୍ଞାନରେ ୯୩ ହଜାର ୮୯୪ ଓ ଧନ୍ଦାମୂଳକରେ ୫ ହଜାର ୮୬୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Leave A Reply

Your email address will not be published.