ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ପ୍ରାଥମିକ ସ୍କୁଲ୍‌ରେ ‘ପ୍ଲେ’-କ୍ଲାସ’

ଭୁବନେଶ୍ୱର: ନୂତନ ଶିକ୍ଷାନୀତିରେ ନବକଳେବର ହେବ ଦେଶର ଶିକ୍ଷା ବ୍ୟବସ୍ଥା। ଛାତ୍ରଛାତ୍ରୀ ୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ଢାଞ୍ଚାରେ ପାଠ ପଢ଼଼ିବେ। ପିଲାଙ୍କ ପାଠପଢ଼଼ାର ମୂଳଦୁଆ ୩ ବର୍ଷ ବୟସରୁ ପଡ଼ିବ। ନୂଆ ନୀତିରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ)ର ଏକ ସୁଦୃଢ଼ ମୂଳଦୁଆକୁ ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହିକ୍ରମରେ ସରକାରୀ ପ୍ରାଥମିକ ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ପ୍ଲେ ଶ୍ରେଣୀରେ ଅଧ୍ୟୟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୫ ହଜାର ବିଦ୍ୟାଳୟରେ ଏହାକୁ ପାଲଟ୍‍ ପ୍ରକଳ୍ପ ଭାବେ ଖୋଲାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଜାରି ରହିଥିବାବେଳେ ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ମହିଳା ଓ ଶିଶୁ ସୁରକ୍ଷା ବିଭାଗର ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ତୃଣମୂଳ ସ୍ତରରୁ କାର୍ଯ୍ୟକାରୀ ହେବ ନୂତନ ଜାତୀୟ ଶିକ୍ଷା ନୀତି। ନୂତନ ଶିକ୍ଷାନୀତିକୁ ଅଙ୍ଗନବାଡ଼ି ସ୍ତରରୁ କାର୍ଯ୍ୟକାରୀ କରିବା ନେଇ ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ଯାହକି ଉନ୍ନତ ସାମଗ୍ରିକ ଶିକ୍ଷା, ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ସେହିପରି ଅଙ୍ଗନବାଡ଼ିଗୁଡ଼ିକରେ ଶିକ୍ଷାଦାନ ଢାଞ୍ଚାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯିବ। ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ହତା ପରିସରରେ ଥିବା ଅଙ୍ଗନବାଡ଼ିଗୁଡ଼ିକର ପରିଚାଳନା ଦାୟିତ୍ୱ ସ୍କୁଲଗୁଡ଼ିକୁ ପ୍ରଦାନ କରାଯିବ। ତେବେ ସ୍କୁଲ ହତା ପରିସରରେ ଥିବା ରାଜ୍ୟର ୨୧ ହଜାର ଅଙ୍ଗନବାଡ଼ିକୁ ଏଥିରେ ସାମିଲ କରାଯିବାକୁ ଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ମିଳିତ କରାଯିବ। ପ୍ରଥମ ଶ୍ରେଣୀ ପୂର୍ବରୁ ଅଙ୍ଗନବାଡ଼ିଗୁଡ଼ିକରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ସମ୍ୱେଦନଶୀଳତା, ଉତ୍ତମ ଆଚରଣ, ସୌଜନ୍ୟ, ନୈତିକତା ଆଦି ଶିକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବ। ଏନେଇ ନୂତନ ଶିକ୍ଷା ନୀତିରେ ଦର୍ଶାଯାଇଥିବାବେଳେ ଶିଶୁଙ୍କ ବାଲ୍ୟକାଳର ବିକାଶ, ଯତ୍ନ ଏବଂ ଶିକ୍ଷାର ଗୁଣାତ୍ମକତା ଉପରେ ନୂତନ ଶିକ୍ଷାନୀତିରେ ଅଧିକ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ନୂତନ ଶିକ୍ଷାନୀତିରେ ଦର୍ଶାଇଛି ଯେ, ଶିଶୁମାନଙ୍କ ମସ୍ତିଷ୍କର ୮୫% ରୁ ଅଧିକ ବିକାଶ ୬ ବର୍ଷ ବୟସ ପୂର୍ବରୁ ହିଁ ଘଟେ। ସୁସ୍ଥ ମସ୍ତିଷ୍କର ବିକାଶ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପ୍ରାରମ୍ଭିକ ବର୍ଷମାନଙ୍କରେ ମସ୍ତିଷ୍କର ଉପଯୁକ୍ତ ଯତ୍ନ ନିତାନ୍ତ ଆବଶ୍ୟକ। ତେଣୁ ପ୍ରଥମ ଶ୍ରେଣୀରେ ଯୋଗ ଦେବା ପୂର୍ବରୁ ଛାତ୍ରଛାତ୍ରୀମାନେ ମାନସିକ ଭାବେ ପାଠପଢ଼଼ା ପ୍ରତି କିପରି ଯତ୍ନଶୀଳ ହେବେ ସେନେଇ ବିଭାଗ ଗୁରୁତ୍ୱ ଦେଇଛି। ଏହାକୁ ଦୃଷ୍ଟିରେ ରଖି ୩ରୁ ୫ ବର୍ଷର ପିଲା ପଢ଼଼ୁଥିବା ଅଙ୍ଗନବାଡ଼ି ଓ ବାଲ୍‍ବାଟିକାଗୁଡ଼ିକରେ ସ୍ୱତନ୍ତ୍ର ନିୟମ ଲାଗୁ ହେବା ସହିତ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ ହେବ। ଅଙ୍ଗନବାଡ଼ିରେ ପାଠ ପଢ଼଼ାଉଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଓ କ୍ୟାଡର ନିୟମରେ ପରିବର୍ତ୍ତନ ହେବା ସହିତ ପୂର୍ବରୁ ନିଯୁକ୍ତ କର୍ମଚାରୀମାନଙ୍କ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନିଆଯିବ। ସେହିପରି ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ରହିଥିବା ଅଙ୍ଗନବାଡ଼ିଗୁଡ଼ିକର ପରିଚାଳନା ଦାୟିତ୍ୱ ସମ୍ପୃକ୍ତ ସ୍କୁଲଗୁଡ଼ିକୁ ହସ୍ତାନ୍ତର କରାଯିବ। ଅଙ୍ଗନବାଡ଼ିଗୁଡ଼ିକ ପୂର୍ବଭଳି ଚାଲୁ ରହିଲେ ବି ପ୍ରଶାସନିକ କ୍ଷମତା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକ ହାତରେ ରହିବ। ତେବେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ କମିଟି ଗଠନ ହୋଇଛି।

Leave A Reply

Your email address will not be published.