ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାହିଁ ସେକାଳ ପଖାଳ, ସ୍ଥିତି ଅଣ୍ଡାଳୁଛି ଦଳ

ଭୁବନେଶ୍ୱର : ପୁରୀ ଜିଲ୍ଲା ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ସାଧାରଣ ନିର୍ବାଚନ-୨୦୧୯କୁ ଛାଡି ଦେଲେ ପ୍ରାୟତଃ ସବୁ ନିର୍ବାଚନରେ ପିପିଲି-ଡେଲାଙ୍ଗ ଗାଁ ଦାଣ୍ଡରେ ଗୋଟିଏ କଥା ଶୁଣିବାକୁ ମିଳିଥାଏ। ତାହା ହେଉଛି- ଏଠି ଯୋଡିଏ ଦୋକାନ, ଗୋଟେ ଜନତା ଆଉ ଗୋଟିଏ କଂଗ୍ରେସ। ଗୋଟିଏ ମହାରଥୀର, ଗୋଟିଏ କେଦାର ସା’ନ୍ତରାର। ହେଲେ ଉପରୋକ୍ତ କେଇ ଧାଡି ଆଜି ପ୍ରାୟତଃ ଗୁରୁତ୍ୱ ରଖୁନାହିଁ। ପିପିଲି ରାଜନୀତିରେ କଂଗ୍ରେସ ସମୟ ସ୍ରୋତରେ ନିଷ୍କ୍ରିୟ ହୋଇଗଲାଣି। ୧୯୫୧ରୁ ୨୦୧୯ ଯାଏ ମୋଟ ୧୬ଥର ନିର୍ବାଚନ ହୋଇଛି। ତନ୍ମଧ୍ୟରୁ କଂଗ୍ରେସ ୭ ଥର ବିଜୟୀ ହୋଇଛି। ଅପରପକ୍ଷରେ ବିଜୁ ଜନତା ଦଳର ଅଭ୍ୟୁଦୟ ପରଠାରୁ କଂଗ୍ରେସ ପିପିଲି ଦୁର୍ଗ ଦଖଲ କରିପାରି ନାହିଁ।

ଶେଷଥର ୧୯୯୫ ମସିହାରେ ଯୁଧିଷ୍ଠିର ସାମନ୍ତରାୟ ତତ୍କାଳୀନ ବିଧାୟକ ପ୍ରଦୀପ ମହାରଥିଙ୍କୁ ପରାସ୍ତ କରିଥିଲେ। ସେହିବର୍ଷ ପୁରୀ ଜିଲ୍ଲାରେ କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ପୁରୀ ବିଧାନସଭା ଆସନକୁ ଛାଡି ଦେଲେ କଂଗ୍ରେସ ସମସ୍ତ ବିଧାନସଭା ଆସନରେ ବିଜୟୀ ହୋଇଥିଲା। ୧୯୫୧, ୧୯୫୭ ଏବଂ ୧୯୬୧ରେ କଂଗ୍ରେସ ପ୍ରାର୍ଥୀ ଲଗାତର ତୃତୀୟ ଥର ପାଇଁ ବିଜୟୀ ହୋଇଥିଲେ। ଏହି ୩ଟି ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ବଦଳି ଥିଲେ। ୧୯୫୧ରେ ଜୟକୃଷ୍ଣ ମହାନ୍ତି ପ୍ରଥମ ଥର ବିଧାୟକ ହୋଇଥିବା ବେଳେ ପରବର୍ତ୍ତୀ ୨ଟି ନିର୍ବାଚନରେ ଯଥାକ୍ରମେ ଗୋପୀନାଥ ଭୋଇ ଓ ରାମଚନ୍ଦ୍ର ପଟ୍ଟନାୟକ ବିଜୟୀ ହୋଇଥିଲେ। ୧୯୬୭ରେ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।

ହରେକୃଷ୍ଣ ମହତାବଙ୍କ ଜନ କଂଗ୍ରେସ ପ୍ରାର୍ଥୀ ବନମାଳୀ ପଟ୍ଟନାୟକ ସେହି ବର୍ଷ ବିଜୟୀ ହୋଇଥିଲେ। ଏହା ପରେ ପୁଣି ୧୯୭୧ ଏବଂ ୧୯୭୪ରେ କଂଗ୍ରେସ ବିଜୟ ଲାଭ କରିଥିଲା। ଏହି ୨ ଥର ମଧ୍ୟ କଂଗ୍ରେସ ଭିନ୍ନ ଭିନ୍ନ ପ୍ରାର୍ଥୀ ଦେଇଥିଲା। ୧୯୭୧ରେ ଅଭିମନ୍ୟୁ ରଣସିଂହ ଏବଂ ୧୯୭୪ ରେ ବିପିନ୍‍ ବିହାରୀ ଦାଶ ଜିତିଥିଲେ। ୧୯୭୭ରେ ଜନତା ପାର୍ଟିରୁ କିରଣଲେଖା ମହାନ୍ତି ବିଜୟୀ ହୋଇଥିଲେ। ହେଲେ ଏହାର ୩ ବର୍ଷ ପରେ ହୋଇଥିବା ନିର୍ବାଚନରେ ବିପିନ୍‍ ବିହାରୀ ଦାଶ ପୁନର୍ବାର କଂଗ୍ରେସରୁ ବିଜୟୀ ହେବା ସହ ଦ୍ୱିତୀୟଥର ବିଧାୟକ ହୋଇଥିଲେ। ୧୯୮୫ରେ ସାରା ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲେ ସେ ସମୟର ଛାତ୍ର ଜନତା ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଦୀପ ମହାରଥୀ ଜନତା ପାର୍ଟି ଟିକେଟ୍‍ରେ ବିଜୟୀ ହୋଇପାରିଥିଲେ।

୧୯୯୦ରେ ପ୍ରଦୀପ ପୁନର୍ବାର ବିଜୟୀ ହୋଇ ଲଗାଥର ଦ୍ୱିତୀୟ ଥର ବିଧାନସଭାକୁ ଆସିଥିଲେ। ହେଲେ ୧୯୯୫ରେ ଦଶନ୍ଧି ପରେ ପୁଣି କଂଗ୍ରେସ ପିପିଲି ହାତେଇ ପାରିଥିଲା। କଂଗ୍ରେସ ପ୍ରାୟତଃ ପ୍ରାର୍ଥୀ ପରିବର୍ତ୍ତନ କରି ଆସନକୁ ନିଜ ହାତରେ ରଖିବାକୁ ସକ୍ଷମ ହେଉଥିଲା। ଅପରପକ୍ଷରେ ନବେ ଦଶକରୁ ଦଳରେ ଯୁଧିଷ୍ଠିରଙ୍କ ଆଧିପତ୍ୟ ଦଳକୁ ୩ ଦଶନ୍ଧି ମଧ୍ୟରେ ମାତ୍ର ଥରୁଟିଏ ଜିତାଇ ପାରିଥିଲା। ୨୦୦୦ , ୨୦୦୪, ୨୦୦୯, ୨୦୧୪ରେ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରଦୀପ ମହାରଥି ବିଜୟୀ ହୋଇଥିଲେ। ଏହି ୪ଟି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଯୁଧିଷ୍ଠିର ସାମନ୍ତରାୟ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୦୦, ୨୦୦୪ ଏବଂ ୨୦୦୯ରେ ସ୍ୱର୍ଗତ ପ୍ରଦୀପ ଏବଂ ଶ୍ରୀ ସାମନ୍ତରାୟଙ୍କ ମଧ୍ୟରେ ଉନିଶ୍‍-ବିଶ୍‍ର ଟକ୍କର ରହୁଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଯୁଧିଷ୍ଠିରଙ୍କ ହାରିବାର ମୁଖ୍ୟ କାରଣ ବୋଲି ସମୀକ୍ଷକମାନେ ମତ ଦିଅନ୍ତି। ୨୦୧୪ ନିର୍ବାଚନରେ ପ୍ରାଥମ ଥର ପାଇଁ ପ୍ରଦୀପ-ଯୁଧିଷ୍ଠିରଙ୍କ ମଧ୍ୟରେ ବ୍ୟବଧାନ ଅଧିକ ରହିଥିଲା। ଏକଦା ଯୁଧିଷ୍ଠିରଙ୍କ ଘନିଷ୍ଠ ସହଯୋଗୀ ବୋଲାଉଥିବା ଆଶ୍ରିତ ସ୍ୱାଧିନ ଭାବେ ନାମାଙ୍କନ କରି ୨୦୧୪ରେ ପ୍ରାୟ ୧୮୦୦୦ ଭୋଟ ହାତେଇଥିଲେ। ଏହା ପରଠାରୁ କଂଗ୍ରେସ ଆହୁରି ଦୁର୍ବଳ ହେବାରେ ଲାଗିଲା। ୨୦୧୯ରେ ଶେଷ ପର୍ଯ୍ୟାୟରେ ଯୁଧିଷ୍ଠିର କଂଗ୍ରେସ ଟିକେଟ୍‍ରେ ଲଢିବାକୁ ମନା କରିଦେଲେ। ନିର୍ବାଚନରେ ସମ୍ପୂର୍ଣ୍ଣ ନୀରବ ରହିଲେ। ତାଙ୍କ ବଦଳରେ ଅଜିତ ମଙ୍ଗରାଜ ପ୍ରାର୍ଥୀ ହେବା ସହ ପ୍ରାୟ ୧୦,୦୦୦ ଭୋଟ୍‍ ହାତେଇ ପାରିଲେ। ପ୍ରଦୀପଙ୍କ ଅବର୍ତ୍ତମାନରେ ଅଜିତ ପୁର୍ନବାର ପ୍ରାର୍ଥୀ ହୋଇଥିଲେ ବି ଜୀବନ ଯୁଦ୍ଧରେ ହାରିଗଲେ। ତେଣୁ ୨୦୨୧ର ଉପ-ନିର୍ବାଚନ ଆଗାମୀ ଦଶନ୍ଧିର ପିପିଲି-ଡେଲାଙ୍ଗ କଂଗ୍ରେସ ରାଜନୀତିର ବାର୍ତ୍ତା ଦେବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି।

Leave A Reply

Your email address will not be published.