ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତି ପଞ୍ଚାୟତରେ ଖୋଲିବ ସ୍ଥାୟୀ ବ୍ୟାଙ୍କ ଶାଖା

ଭୁବନେଶ୍ୱର : ରାଜ୍ୟର ୬୭୯୪ ଗ୍ରାମ ପଞ୍ଚାୟତ ମଧ୍ୟରୁ ଅଦ୍ୟାବଧି ୪୧୬୦ ଗ୍ରାମ ପଞ୍ଚାୟତରେ କୌଣସି ସ୍ଥାୟୀ ବ୍ୟାଙ୍କ ସେବା ନାହିଁ ଆଉ ୪ଟି ଗ୍ରାମ ପଞ୍ଚାୟତରେ ଆର୍ଥିକ ସେବାରେ କୌଣସି ପ୍ରାବଧାନ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ରୋଡ ମ୍ୟାପ୍‌‌ ପ୍ରସ୍ତୁତ କରିଛନ୍ତି। ପର୍ଯ୍ୟାୟକ୍ରମେ ସମସ୍ତ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କଙ୍ଗ୍‌‌ ସେବା ପ୍ରଦାନ କରିବାର ବ୍ୟାପକ ଲକ୍ଷ୍ୟ ହାସଲ ପାଇଁ ଅର୍ଥ ବିଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ ଓ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ଆନୁକୂଲ୍ୟରେ ବ୍ୟାଙ୍କର ସ୍ଥାୟୀ ଶାଖା ଖୋଲିବା ପାଇଁ ଅଗ୍ରାଧିକାର ଭିତ୍ତିରେ ୨୭୦ଟି ଗ୍ରାମ ପଞ୍ଚାୟତକୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୧୫୦ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ୯.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଅବଶିଷ୍ଟ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ଶାଖା ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗରିବ ହୁଅନ୍ତୁ ଅବା ଧନୀ ସାମ୍ପ୍ରତିକ ସମୟରେ ବ୍ୟାଙ୍କ ସେବା ଏକାନ୍ତ ଅପରିହାର୍ଯ୍ୟ। ରାଜ୍ୟ ଓ କେନ୍ଦ୍ର ସରକାର ହିତାଧିକାରୀ ମାନଙ୍କୁ କେବଳ ବ୍ୟାଙ୍କ ଆକାଉଣ୍ଟରେ ବିଭିନ୍ନ ପ୍ରକାର ସହାୟତା ଅର୍ଥ ପ୍ରଦାନ କରୁଛନ୍ତି। ସିଧାସଳଖ ବ୍ୟାଙ୍କ ସ୍ଥାନାନ୍ତର (ଡିବିଟି) ଜରିଆରେ ସହାୟତା ଅର୍ଥ ପ୍ରଦାନ କରାଯାଉଛି। କଳିଆ ଯୋଜନା ହେଉ ଅବା ବିପର୍ଯ୍ୟୟକାଳୀନ ସହାୟତା, ମରୁଡ଼ି ସହାୟତା ଏବଂ ବିଭିନ୍ନ ପ୍ରକାର ସବ୍‌‌ସିଡି ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ରହିବା ଜରୁରୀ। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିରେ ମଧ୍ୟ ଏହି ପ୍ରସଙ୍ଗରେ ଅନେକବାର ଆଲୋଚନା କରାଯାଇଛି। ତେବେ ଏହି ଆଲୋଚନାର ନିର୍ଯ୍ୟାସ ଫଳପ୍ରସୂ ହୋଇପାରି ନାହିଁ। ସରକାରଙ୍କର ସମସ୍ତ ପଦକ୍ଷେପ ସତ୍ତ୍ବେ ବ୍ୟାଙ୍କ ଗୁଡିକ ଦ୍ୱାରା ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖାର ସ୍ଥାପନ କ୍ଷେତ୍ରରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର ରହିଛି।

ରାଜ୍ୟର ୬୭୯୪ ପଞ୍ଚାୟତ ମଧ୍ୟରୁ ୨୬୩୦ ପଞ୍ଚାୟତରେ ୫୬୯୫ଟି ସ୍ଥାୟୀ ବ୍ୟାଙ୍କ ଶାଖା ରହିଛି। ଅବଶିଷ୍ଟ ୪୧୬୦ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌‌ କରେସପଣ୍ଟେନ୍ସ, ଗ୍ରାହକ ସେବା କେନ୍ଦ୍ର, ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ଆର୍ଥିକ ସେବା ଯୋଗାଇ ଦିଆଯାଉଛି। ଯଦିଓ ଗତ ୫ ବର୍ଷରେ ଦେଶର ବ୍ୟାଙ୍କିଙ୍ଗ୍‌‌ କ୍ଷେତ୍ରରେ ଯୌଗିକ ବୃଦ୍ଧି ହାର ୧.୫୫% ରହିଥିବା ବେଳେ ଓଡ଼ିଶାରେ ତାହା ୨.୮୫% ରହିଛି। ତଥାପି ରାଜ୍ୟରେ ସ୍ଥାୟୀ ବ୍ୟାଙ୍କ ଶାଖାର ଉପସ୍ଥିତି ସମତୁଲ ନାହିଁ। ରାଜ୍ୟରେ ହାରାହାରି ବ୍ୟାଙ୍କ ଶାଖାର ସଂଖ୍ୟା ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ମାତ୍ର ୧୩.୫୭% ଥିବା ବେଳେ ୨୦ରୁ ଅଧିକ ଜିଲ୍ଲାରେ ଏହି ସଂଖ୍ୟା ଆହୁରି କମ୍‌‌ ରହିଛି। ରାଜ୍ୟର ଦୂରଦୂରାନ୍ତରେ ରହୁଥିବା ଲୋକମାନେ ସିଧାସଳଖ ଲାଭ ସ୍ଥାନାନ୍ତର ସହିତ ମୌଳିକ ବ୍ୟାଙ୍କିଙ୍ଗ୍‌‌ ସେବା ପାଇଁ ସଂଘର୍ଷ କରୁଛନ୍ତି।

ରାଜ୍ୟର ପ୍ରତି କୋଣ ଅନୁକୋଣରେ ରହୁଥିବା ଲୋକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବି ନାଗରିକ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସମେତ ମୌଳିକ ବ୍ୟାଙ୍କ ସେବା ପାଇବାରୁ ଯେପରି ବଞ୍ଚିତ ନ ରୁହନ୍ତି ତାହା ସୁନିଶ୍ଚିତ କରିବା ପାଇଁ କହିଛନ୍ତି। ଗ୍ରାମ ପଞ୍ଚାୟତକୁ ବ୍ୟାଙ୍କ ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସହାୟତା ମାଧ୍ୟମରେ ୫ ବର୍ଷ ପାଇଁ ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କ ଗୁଡିକୁ ବିନା ଭଡ଼ାରେ ଖାଲିସ୍ଥାନ ପ୍ରଦାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କିଙ୍ଗ୍‌‌ କରେସପଣ୍ଡେନ୍ସ ଭାବେ ନିୟୋଜିତ କରିବା, ରାଜ୍ୟରେ ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିବା ଭଳି ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.