ପରିବର୍ତ୍ତନ ହେଉଛି ସହରୀ ଲୋକଙ୍କ ଜୀବନଶୈଳୀ: କ୍ଲାନ୍ତ ମେଣ୍ଟାଇବା ଓ ମନ ଖୋଲା ନାଚି ଖୁସୀ ଅନୁଭବ ପାଇଁ ଯାଉଛନ୍ତି ପବ୍

ମେଟ୍ରୋ ସିଟି ଭଳି ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ ଆଧୁନିକୀକରଣର ପ୍ରଭାବ ବଢ଼଼ିବାରେ ଲାଗିଛି। ମାୟାନଗରୀ ମୁମ୍ବଇ, ନୂଆଦିଲ୍ଲୀ ଭଳି ଆମ ସହରରେ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସୁଛି। ସହରର ଯୁବପିଢ଼ିଙ୍କର ଏହି ଆବଶ୍ୟକତାକୁ ନଜରରେ ରଖି ଅନ୍ୟ ସହର ଭଳି ଭୁବନେଶ୍ୱରରେ ପବ୍ମାନ ଗଢ଼ିଉଠିଛି। ଏଠାରେ ମନୋରଞ୍ଜନର ଭରପୂର ସୁବିଧା ଥିବାରୁ ଯୁବପିଢ଼ି ଏଥିପ୍ରତି ଆକର୍ଷିତ ହେଉଛନ୍ତି। ଝିଲ୍ମିଲ୍ ଆଲୁଅ ସହ ଇଚ୍ଛାମୁତାବକ ଗୀତର ତାଳେ ତାଳେ ନିଶାରେ ମତୁଆଲା ଯୁବପିଢ଼ି ମନ ଖୋଲା ନାଚନାଚି ଖୁସୀ ଅନୁଭବ କରୁଛନ୍ତି। ଅନେକ ଅବସାଦ ମେଣ୍ଟାଇବା ପାଇଁ ମଧ୍ୟ ପବ୍ ଯାଉଥିବା ବେଳେ ଅନେକ ଏହାକୁ ଜୀବନଶୈଳୀ ଭାବେ ଧରି ନେଇଛନ୍ତି। ସେଠାରେ ଖାଦ୍ୟପେୟ ସହ ମୃଦୁ ପାନୀୟ ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ମେଣ୍ଟାଇବାରେ ସହାୟକ ହେଉଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରାଜଧାନୀରେ ୧୨ଟି ଛୋଟ ବଡ଼ ପବ୍ ରହିଛି। ତନ୍ମଧ୍ୟରୁ ୪ଟି ବିଳାସପୂର୍ଣ୍ଣ ପବ୍ ରହିଛି। ଏଥିରେ ସମସ୍ତ ପ୍ରକାର ସୁବିଧା ରହିଛି। ହୁକାଠାରୁ ଆରମ୍ଭ କରି ଖାଇବା ପିଇବା ଏବଂ ଶୀତତାପ ନିୟନ୍ତ୍ରିତ କୋଠରିରେ ଏସବୁ ଉପଭୋଗ କରିବାର ବ୍ୟବସ୍ଥା ରହିଛି। ତେଣୁ ଯୁବଗୋଷ୍ଠୀ ଓ ପ୍ରେମୀ ଯୁଗଳଙ୍କ କ୍ଷେତ୍ରରେ ପବ୍ର ଚାହିଦା ବଢ଼଼ିବାରେ ଲାଗିଛି। ରାଜଧାନୀର ଏହି ପବ୍ ସଂସ୍କୃତିକୁ ନେଇ ତ୍ରିନାଥ ଏବଂ ଦତ୍ତାତ୍ରେୟଙ୍କ ସ୍ୱତନ୍ତ୍ର ଉପସ୍ଥାପନା ….
ପବ୍ ପାଇଁ ଅନୁମତି-
ଅନ୍ୟ ବଡ଼ ସହର ଭଳି ଏଠାରେ ପବ୍ ପାଇଁ ସ୍ୱତନ୍ତ୍ର ଆଇନ୍ ବ୍ୟବସ୍ଥା କରିନାହାଁନ୍ତି। ପବ୍ ପାଇଁ ପ୍ରଥମେ ପୁଲିସ ଠାରୁ ଲାଉଡ୍ ସ୍ପିକର ଅନୁମତି ଅଣାଯାଏ। ପରେ ସେମାନେ ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ପାଇଁ ଅବକାରୀ ବିଭାଗ ଠାରୁ ଅନୁମତି ଆଣିବାକୁ ପଡ଼ିଥାଏ। ପବ୍ ମାଲିକମାନେ ଅବକାରୀ ବିଭାଗକୁ ବିଭିନ୍ନ ଦେୟ ବାବଦରେ ୧୫ଲକ୍ଷ ୫୦ ହଜାର ଟଙ୍କା ଦେଇ ବର୍ଷକ ପାଇଁ ଅନୁମତି ନେଇଥାନ୍ତି। ସନ୍ଧ୍ୟା ୮ଟାରୁ ରାତି ୧୨ପର୍ଯ୍ୟନ୍ତ ପବ୍ ଚାଲିଥାଏ। ଏପରିକି ସ୍ୱତନ୍ତ୍ର ଦିନଗୁଡ଼ିକରେ ଅଧିକ ସମୟ ପବ୍ ଖୋଲା ରଖିବାକୁ ମାଲିକମାନେ ଅନ୍ଲାଇନ୍ରେ ଆବେଦନ କରି ଅନୁମତି ଆଣନ୍ତି। ଏଥିଲାଗି ସେମାନେ ୫ହଜାର ଟଙ୍କା ଅତିରିକ୍ତ ଦେଇଥାଆନ୍ତି।
ଆକର୍ଷଣରେ ଜନ୍ମଦିନ ପାଳନ-
ବିଶେଷ କରି ଏବେ ପବ୍ରେ ଜନ୍ମଦିନ ପାଳନ କରିବାକୁ ଯୁବପିଢ଼ି ଅଧିକ ପସନ୍ଦ କରୁଛନ୍ତି। ଜନ୍ମଦିନରେ ସାଙ୍ଗସାଥୀଙ୍କୁ ନେଇ ପୁଅ, ଝିଅ ଏକାଠି ନାଚ ଗୀତରେ ମଜ୍ଜି ରହୁଛନ୍ତି। ଏପରିକି ପବ୍ରେ କରାଯାଇଥିବା ସ୍କ୍ରିନ୍ରେ ଜନ୍ମଦିନର ଶୁଭେଚ୍ଛା ଲେଖାଯିବା ସହ ସେଥିରେ ତାଙ୍କର ଫଟୋ ଡିସ୍ପ୍ଲେରେ ଦେଖାଇଥାଏ। ଏପରିକି ସେଠାରେ ମଧ୍ୟ ଜନ୍ମଦିନ ପାଳନ କରୁଥିବା ବ୍ୟକ୍ତି ଗନ୍ ସଟ୍ ମଧ୍ୟ କରିପାରିବେ। ଶେଷରେ ଖାଦ୍ୟ ଖାଇବା ସହ ବିଭିନ୍ନ ବ୍ରାଣ୍ଡର ମଦ ପିଇପାରିବେ। ନିର୍ମାଣ ହୋଇଥିବା ଷ୍ଟେଜ୍ ନିକଟରେ ପୁଅ, ଝିଅ ପାଦକୁ ପାଦ ମିଳାଇ ନାଚିଥାନ୍ତି। ପବ୍ ଭିତରେ ସୁରାପାନ ନିମନ୍ତେ ସୁସଜ୍ଜିତ ଟେବୁଲ୍ ପଡ଼ିଥାଏ। ନିଶାସକ୍ତ ଯୁବପିଢ଼ି ଇଚ୍ଛାମୁତାବକ ଷ୍ଟେଜ୍ ନିକଟକୁ ଯାଇ ନାଚିଥାଆନ୍ତି। କିନ୍ତୁ ଜନ୍ମଦିନ ପାଇଁ ବିଶେଷ ଅଫର୍ ରହିଥାଏ। ୨୦ରୁ ୩୦ ହଜାର ଟଙ୍କା ଦେଲେ ଗୋଟିଏ ଦିନ ପାଇଁ ବୁକ୍ ହୋଇଥାଏ।
ସ୍ପେଶାଲ ଡେ’ରେ ଅଧିକ ଦାମ୍-
ପବ୍ ଭିତରକୁ କେବଳ ପୁଅମାନଙ୍କୁ ଅନେକ ସମୟରେ ବାରଣ କରାଯାଇଥାଏ। କିନ୍ତୁ ଚିହ୍ନା ଜଣାରେ ଭିତରକୁ ଛାଡ଼ିଥାନ୍ତି। କିନ୍ତୁ ସେମାନଙ୍କୁ ମଞ୍ଚ ନିକଟରେ ଯୁବତୀମାନଙ୍କ ସହ ନାଚିବାକୁ ବାରଣ କରାଯାଇଥାଏ। ସେମାନେ କେବଳ ଟେବୁଲରେ ବସି ମଦ ପିଇବାର ସୁଯୋଗ ପାଇଥାଆନ୍ତି। ନାଚିବାକୁ ପାଦ ବଢାଇଲେ ସେଠାରେ ଥିବା ବାଉନ୍ସରମାନେ ସେମାନଙ୍କୁ ବାରଣ କରିଥାଆନ୍ତି। ହେଲେ ପ୍ରେମୀ ଯୁଗଳଙ୍କୁ ସେଠାରେ ସାଧାରଣ ଦିନରେ ମୁକ୍ତ ପ୍ରବେଶ ବ୍ୟବସ୍ଥା ଥାଏ। କେବଳ ଶନିବାର ଏବଂ ରବିବାର ପ୍ରବେଶ ଦେୟ ବାବଦରେ ଦୁଇ ହଜାର ଟଙ୍କା ଲେଖାଏ ଦେବାକୁ ପଡ଼ିଥାଏ। ଏଥିସହ ପ୍ରେମ ଦିବସ, ନୂଆବର୍ଷ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦିନଗୁଡ଼ିକରେ ପ୍ରବେଶ ଦେୟ ପଡ଼ିଥାଏ। ଅନେକ ପବ୍କୁ କେବଳ ପୁଅମାନଙ୍କୁ ଭିତରକୁ ଛଡ଼ା ଯାଉଥିଲେ ମଧ୍ୟ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ।
ହୁକା ପାଇଁ ଅନୁମତି-
ପବ୍ ଭିତରେ କେବଳ ହୁକା ଟାଣିବା ପାଇଁ ଅନୁମତି ରହିଛି। ହେଲେ ହୁକା ବାର୍ଠାରୁ ପବ୍ରେ ହୁକାର ଦର ଅଧିକ ରହିଥାଏ। ଥରେ ହୁକା ଟାଣିଲେ ସେମାନେ ୧ହଜାରରୁ ୨ହଜାର ଟଙ୍କା ଅଧିକ ଦେବାକୁ ପଡ଼ିଥାଏ। ପବ୍ରେ ବିଭିନ୍ନ ଫ୍ଲେଭରର ହୁକା ମିଳିଥାଏ। ଗ୍ରାହକମାନେ ନିଜ ମନ ପସନ୍ଦର ହୁକା ଅର୍ଡର କରି ନେଇଥାନ୍ତି। ହୁକା ସବୁ ଯୁବଗୋଷ୍ଠୀଙ୍କର ପସନ୍ଦର ଜିନିଷ ହୋଇ ନ ଥିଲେ ମଧ୍ୟ ୨୦ରୁ ୨୫ ପ୍ରତିଶତ ଯୁବଗୋଷ୍ଠୀ ହୁକା ପ୍ରତି ଆଗ୍ରହ ଦେଖାଉଛନ୍ତି।
ଧୂମପାନ ପାଇଁ ସ୍ମୋକିଂ ଜୋନ୍-
ଅନେକ ଯୁବକ, ଯୁବତୀ ଅଛନ୍ତି ଯେଉଁମାନେ ମଦ ପିଇବା ମାତ୍ରେ ସିଗାରେଟ୍ ପିଇଥାନ୍ତି। ତେଣୁ ସେମାନଙ୍କ ମନକୁ ଜାଣି ସବୁ ପବ୍ରେ ସିଗାରେଟ୍ ଜୋନ୍ କରାଯାଇଛି। ଉକ୍ତ ଘରକୁ କାଚ କବଚରେ ଆବଦ୍ଧ କରାଯାଇଛି। ଯେଉଁମାନେ ସିଗାରେଟ୍ ଟାଣିବାକୁ ଇଚ୍ଛୁକ ସେଠାକୁ ଯାଇ ସିଗାରେଟ୍ ଟାଣିପାରିବେ। ଯଦି ପବ୍ ଭିତରେ କେହି ସିଗାରେଟ୍ ଟାଣନ୍ତି ତେବେ ସେମାନଙ୍କୁ ବାହାରକୁ ବାହାର କରି ଦିଆଯିବାର ପ୍ରାବଧାନ ରହିଛି।
ପବ୍ ସୁରକ୍ଷାରେ ବାଉନ୍ସର୍-
ଅନେକ ସମୟରେ ପବ୍ରେ ଯୁବତୀମାନେ ନିଶା ପିଇ ନାଚୁଥିବାରୁ ଅନ୍ୟ ଯୁବକମାନେ ସେମାନଙ୍କ ସହ ନାଚିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ତେଣୁ ଅନ୍ୟ ଯୁବକଙ୍କ ସହ ଆସିଥିବା ଯୁବତୀଙ୍କ ସହ ବାହାର ଯୁବକ ନାଚିଲେ ସେମାନଙ୍କ ମଧ୍ୟରେ ବଚସା ହୋଇଥାଏ। ତେଣୁ ଏଥିଲାଗି ପବ୍ରେ ବାଉନ୍ସର ନିଯୁକ୍ତି ଦିଆଯାଇଥାଏ। ସେମାନେ ମୁଖ୍ୟତଃ ପ୍ରେମୀ ଯୁଗଳ ନାଚୁଥିବା ସ୍ଥାନରେ ଜଗି ରୁହନ୍ତି। ଯଦି ସେମାନଙ୍କ ଗହଳିକୁ ବାହାର କେହି ଯୁବକ ଯାଆନ୍ତି ଏହି ବାଉନ୍ସରମାନେ ତାଙ୍କୁ ବାହାରକୁ ଟାଣି ନେଇଥାଆନ୍ତି। ମହିଳାଙ୍କ ସୁରକ୍ଷା ପବ୍ରେ ସବୁଠାରୁ ବଡ଼ ଆହ୍ୱାନ। ସମ୍ପ୍ରତି ପବ୍ ମାଲିକମାନେ ସର୍ବଦା ସଚେତନ ରହୁଥିବା ଦେଖିବାକୁ ମିଳେ। ଯେଉଁ ଦାୟିତ୍ୱ ବାଉନ୍ସରମାନେ ଶୃଙ୍ଖଳା ସହ ତୁଲାଇ ଥାଆନ୍ତି।
କେବଳ ପଟିଆ, ଚନ୍ଦ୍ରଶେଖରପୁରରେ ୯୦% ପବ୍-
ରାଜଧାନୀରେ ସର୍ବାଧିକ ପବ୍ ପଟିଆ ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହିଛି। ରାଜଧାନୀରେ ଥିବା ସମୁଦାୟ ପବ୍ର ୯୦ ପ୍ରତିଶତ କେବଳ ଏହି ଅଞ୍ଚଳରେ ରହିଛି। ବିଶେଷକରି ଉକ୍ତ ଅଞ୍ଚଳରେ ବାହାର ରାଜ୍ୟର ଛାତ୍ରଛାତ୍ରୀ ଆସି ପାଠ ପଢ଼଼଼ୁଛନ୍ତି। ସେମାନଙ୍କ ଅଧିକ ପସନ୍ଦ ହେଉଛି ପବ୍ ସଂସ୍କୃତି। ତେଣୁ ଛୁଟି ଦିନରେ ପ୍ରେମୀଯୁଗଳ ମନ ହାଲ୍କା ପାଇଁ ପବ୍କୁ ଯାଉଛନ୍ତି। ଆହୁରି ମଧ୍ୟ ପଟିଆ ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଉଚ୍ଚବେତନ ଭୋଗୀ ଚାକିରିଆ ରହୁଛନ୍ତି। ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀର ଶାଖା ମଧ୍ୟ ଏହି ଅଞ୍ଚଳରେ ରହିଛି। କମ୍ପାନୀର କର୍ମଚାରୀମାନେ ମଧ୍ୟ ଆମୋଦ ପ୍ରମୋଦ ପାଇଁ ପବ୍ ଯାଉଥିବା ଲକ୍ଷ୍ୟ କରାଯାଉଛି।
ନାଚିବା ପାଇଁ ମିଳୁଛି ସାଥୀ-
ରାଜଧାନୀରେ ଅନେକ ପବ୍ରେ ନାଚିବା ପାଇଁ ସାଥୀ ମିଳୁଛନ୍ତି। ଅନେକ ଯୁବକଙ୍କ ପ୍ରେମିକା ନ ଥିବାରୁ ସେମାନେ ପବ୍ ଯାଇ ପାରୁନାହାନ୍ତି। ସେମାନଙ୍କ ପାଇଁ ଖୁବ୍ କମ୍ ପବ୍ରେ ବ୍ୟବସ୍ଥା ରହିଛି। ପବ୍ର କର୍ମଚାରୀଙ୍କ ଅନୁମତିରେ ସେମାନେ ଯୁବତୀଙ୍କ ସହ ନାଚିବାର ଅନୁମତି ପାଇଥାନ୍ତି। ସେମାନଙ୍କୁ କିଛି ଖର୍ଚ୍ଚ ଏବଂ ପିଇବା, ଖାଇବା ଦେଲେ ପବ୍ରେ ସେମାନଙ୍କ ସହ ନାଚିପାରୁଛନ୍ତି। ଅନେକ ସମୟରେ ପବ୍ ମଧ୍ୟରେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳୁଛି।
ପବରୁ ପ୍ରେମ-
ଏବେ ଅନେକ ଯୁବତୀ ପ୍ରେମରେ ବିଫଳ ହେବା ପରେ ପବ୍ ଯାଉଛନ୍ତି। ସେମାନେ ସେଠାରେ ମଦ ପିଇ ଏକାକୀ ନାଚିବା ସମୟରେ କୌଣସି ଯୁବକଙ୍କ ସହ ପରିଚିତ ହୋଇଥାଆନ୍ତି। ପରେ ସେଠାରେ ସେମାନେ ପରସ୍ପର କଥା ହେବା ପରେ ପ୍ରେମ ସମ୍ପର୍କ ଗଠି ଉଠିଥାଏ। ପରେ ସେମାନେ ନିର୍ଦ୍ଧିଷ୍ଟ ବାରରେ ପବ୍ ଯାଇ ମନ ଖୁସୀ କରି ନାଚିଥାଆନ୍ତି। ଜଣେ ପବ୍ ମାଲିକ କହିଛନ୍ତି ଯେ, ତାଙ୍କ ପବ୍ରେ ୩୦ରୁ ଊର୍ଦ୍ଧ୍ବ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ କରିଛନ୍ତି। ପବ୍ କଲଚରକୁ ନ କରାତ୍ମକ ମନୋଭାବ ନେଇ ଦେଖାଯିବା ଉଚିତ୍ ନୁହେଁ। ଆମୋଦପ୍ରମୋଦର ଏହା ଏକ ବଡ଼ ମାଧ୍ୟମ। ସବୁ ବର୍ଗର ଲୋକେ ଏଠାକୁ ଆସୁଛନ୍ତି ଓ ସମୟ ଅତିବାହିତ କରୁଛନ୍ତି। ତେବେ ମାତ୍ରାଧିକ ଯୁବପିଢ଼ି ଆସୁଛନ୍ତି ବୋଲି ସେ କହିଛନ୍ତି।
ଭୁବନେଶ୍ୱରରେ ହେବ ୪ ନୂଆ ପବ-
ରାଜଧାନୀରେ ପବ୍ କଲଚର ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ସମ୍ପ୍ରତି ୧୨ଟି ପବ୍ ରହିଥିବା ବେଳେ ଆଗାମୀ ଦିନରେ ୪ଟି ନୂଆ ପବ୍ ଖୋଲିବାକୁ ଯାଉଛି। ଏ ନେଇ ଅବକାରୀ ବିଭାଗ ନିକଟରେ ଆବେଦନ ହୋଇଛି। ରାଜ୍ୟ ବାହାରେ ରହି କରି ଆସୁଥିବା ଯୁବକଯୁବତୀମାନେ ଏହି କ୍ଷେତ୍ରର ଚାହିଦାକୁ ଦେଖି ନିବେଶ କରିବାକୁ ଚାହୁଁଛନ୍ତି। ପବ୍ ଯିବା ଗୋଷ୍ଠୀଙ୍କ ସଂଖ୍ୟା ସୀମିତ ହୋଇଥିଲେ ମଧ୍ୟ ଗ୍ରାହକମାନେ ପବ୍ରେ ଟଙ୍କା ଖର୍ଚ୍ଚ କରିବାକୁ ଆଦୌ କୁଣ୍ଠା ପ୍ରକାଶ କରୁନାହାଁନ୍ତି। ଏଣୁ ନିବେଶକମାନେ ଏହି କ୍ଷେତ୍ରରେ ନିବେଶ କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି। ନିବେଶକ ପ୍ରୀତିପଦ୍ମା ମିଶ୍ରଙ୍କ କହିଛନ୍ତି ଯେ, ପ୍ରତି ସପ୍ତାହରେ ମୁଁ ପବ୍ ଯିବା ଆସିବା କରେ। ତେବେ ଭୁବନେଶ୍ୱରରେ ୧୨ଟି ପବ୍ ରହିଥିବା ବେଳେ ଅଧିକ ପବ୍ର ଆବଶ୍ୟକତା ରହିଛି। ଏଣୁ ପଟିଆ ଅଞ୍ଚଳରେ ଏକ ନୂଆ ପବ୍ କରିବାକୁ ଯାଉଛି। ପବ୍ଗୁଡ଼ିକରେ ଭିତ୍ତିଭୂମି ଅଭାବ ରହିଛି। ତେବେ ୫ ବର୍ଷ ତଳେ ଯେତିକି ଲୋକ ପବ୍ ଯିବାକୁ ଚାହୁଁଥିଲେ ସେମାନଙ୍କ ସଂଖ୍ୟା ଏବେ ବଢ଼଼ି କରି ପାଖାପାଖି ୨ ଗୁଣ ହୋଇଗଲାଣି। ଏଭଳି ସ୍ଥଳେ ପବ୍ ସଂଖ୍ୟା ବଢ଼଼ିବା ଏକାନ୍ତ ଆବଶ୍ୟକ।