ଚଳନ୍ତା ଟ୍ରେନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା: ଚାକିରିରୁ ବରଖାସ୍ତ ହେଲେ ଟିଟିଇ, ଟ୍ବିଟ କରି ଜଣାଇଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିିଥିବା ବେଳେ ବର୍ତ୍ତମାନ ଟ୍ରେନରେ ଟିଟିଇ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିଛି। ଏହା ପରେ ଉକ୍ତ ଟିଟିଇଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ଯାନୁଷ୍ଠାନ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ଟ୍ବିଟରେ ଲେଖାଯାଇଛି ଯେ, ଶୂନ୍ୟ ସହନଶୀଳତା। ତୁରନ୍ତ କାର୍ଯ୍ଯାନୁଷ୍ଠାନ ସହିତ ଚାକିରିରୁ ବରଖାସ୍ତ। ଉକ୍ତ ଟିଟିଇଙ୍କ ନାଁ ମୁନ୍ନା କୁମାର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ପଞ୍ଜାବ ଅମୃତସର୍ରୁ କୋଲକାତାକୁ ଆସୁଥିବା ଅକଲ୍ ତଖ୍ତ ଏକ୍ସପ୍ରେସର ଟିଟିଇଙ୍କ ବିରୁଦ୍ଧରେ ଯାତ୍ରୀ ଆଣିଥିଲେ ସାଙ୍ଘାତିକ ଅଭିଯୋଗ। ଟ୍ରେନ ଚାଲୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟିଟିଇ ଶୋଇଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଥିଲା। ମହିଳାଙ୍କ ହୋହାଲ୍ଲା ପରେ ତାଙ୍କ ସ୍ୱାମୀ ଓ ଅନ୍ୟ ଯାତ୍ରୀ ମାନେ ଟିଟିଇକୁ ଅଟକ ରଖି ସୋମବାର ଚାରବାଗ୍ ଜିଆର୍ପି ପୁଲିସକୁ ହସ୍ତାନ୍ତର କରିଥିଲେ।