ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଗତିପଥରେ ଶାନ୍ତିପୂର୍ଣ୍ଣ ଓଡ଼ିଶା: ସାଧାରଣଜନତା ଗଣତନ୍ତ୍ରର ଆତ୍ମା, ନାଗରିକ ସନ୍ତୁଷ୍ଟି ହେଉଛି ଉତ୍ତମ ଶାସନର ଲକ୍ଷଣ

ଭୁବନେଶ୍ୱର: ସାଧାରଣଜନତା ଗଣତନ୍ତ୍ରର ଆତ୍ମା। ନାଗରିକ ସନ୍ତୁଷ୍ଟି ହେଉଛି ଉତ୍ତମ ଶାସନର ଲକ୍ଷଣ। ରାଜ୍ୟର ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ‘୫-ଟି’ ଅଧୀନରେ ସମସ୍ତ ବିଭାଗରେ ପରିବର୍ତ୍ତଶୀଳ ପଦକ୍ଷେପ ନିଆଯାଇଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି ଏବଂ ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଉଚ୍ଚ ନୈତିକତା ଉପରେ ସରକାର ସର୍ବଦା ଗୁରୁତ୍ୱାରୋପ କରୁଛନ୍ତି। ଲୋକାୟୁକ୍ତ କାର୍ଯ୍ୟକାରିତା, ପୁଲିସ ଆଧୁନିକୀକରଣ, ଜେଲ୍‍ ସଂସ୍କାର, ଇ-ଅଭିଯୋଗ ପୋର୍ଟାଲ, ଓଡ଼ିଶା ଜନସେବା ଅଧିକାର ଆଇନ ଆଧାରରେ ଜନସାଧାରଣଙ୍କୁ ଉତ୍ତମ ଶାସନ ଯୋଗାଇଦେବା ସହ ରାଜ୍ୟର ଅନ୍ତର୍ଭୁକ୍ତି ଉନ୍ନୟନକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସିଛନ୍ତି। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା କାଳରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ।

ରାଜ୍ୟର ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ମୋ ସାର୍କ’ ବିଭାଗଗୁଡ଼ିକରେ କାର୍ଯ୍ୟକାରୀ ହୋଇଛି। ରାଜ୍ୟର ୩ ଲକ୍ଷରୁ ଅଧିକ ନାଗରିକ ‘ମୋ ସାର୍କ’ କଲ୍‍ ମାଧ୍ୟମରେ ସରକାରୀ ବ୍ୟବସ୍ଥା ଓ କାର୍ଯ୍ୟକ୍ରମରେ ସନ୍ତୋଷବ୍ୟକ୍ତ କରିଛନ୍ତି ଏବଂ ସେମାନଙ୍କ ମତାମତ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି। ପଞ୍ଚାୟତ ଓ ପୌର ନିର୍ବାଚନ ଶୃଙ୍ଖଳାର ସହ ସମ୍ପାଦିତ ହୋଇଛି। କୋଭିଡ୍‍ ପରିସ୍ଥିତି ଯୋଗୁଁ ଦୁଇବର୍ଷ ବିନା ଭକ୍ତରେ ରଥଯାତ୍ରା ପରେ ଚଳିତ ବର୍ଷ ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦିତ ହୋଇଛି। ରାଜ୍ୟରେ ମାଓ ହିଂସାର ତୀବ୍ରତା ହ୍ରାସ ପାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଅତ୍ୟନ୍ତ ଶୃଙ୍ଖଳାର ସହ ଶେଷ ହୋଇଛି। ରାଜ୍ୟରେ ପୁଲିସ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଉଭୟ ମାନବସମ୍ବଳ ଓ ଭିତ୍ତିଭୂମିକୁ ବିକଶିତ କରାଯାଇଛି। ବିଭାଗରେ ବିଭିନ୍ନ ପଦରେ ୯୪୪ ପଦ ସୃଷ୍ଟି ହୋଇଛି। ଏହା ସହିତ ୧୭୩୦ଟି ସବ୍‍ ଇନ୍ସପେକ୍ଟର ଓ ସହକାରୀ ସବ୍‍ ଇନ୍‍ସପେକ୍ଟର ପଦ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ୨୮ଟି ପୁଲିସ ଫାଣ୍ଡିରେ ୨୦୦ ପଦ ସୃଷ୍ଟି କରାଯାଇଛି ଏବଂ ୩ଟି ରିଜର୍ଭ ପୁଲିସ ଓ ୩ଟି ସୁରକ୍ଷା କମ୍ପାନୀ ଗଠନ କରାଯାଇ ୬୬୩ ପଦ ସୃଷ୍ଟି ହୋଇଛି। ଜେଲ ଭିତ୍ତିଭୂମିର ଆଧୁନିକୀକରଣ କରାଯାଇଛି। ସମନ୍ୱିତ ଆଣ୍ଟି ହ୍ୟୁମାନ ଟ୍ରାଫିକ୍‍ୟୁନିଟ୍‍, ମହିଳାଙ୍କ ବିରୋଧରେ ଅପରାଧ ନିମନ୍ତେ ସ୍ୱତନ୍ତ୍ର ତଦନ୍ତକାରୀ ୟୁନିଟ୍‍, ମହିଳା ଓ ଶିଶୁ ଡେସ୍କ ସ୍ଥାପନ, ଶିଶୁଙ୍କ ବିରୋଧରେ ଅପରାଧ ରୋକିବାକୁ ସଂସ୍ଥାଗତ ପ୍ରଣାଳୀ ସୃଷ୍ଟି କରାଯାଇଛି। ମହିଳାଙ୍କ ସମ୍ବନ୍ଧୀୟ ଜଘନ୍ୟ ଅପରାଧଗୁଡ଼ିକୁ ‘ରେଡ୍‍ ଫ୍ଲାଗ୍‍ କେସ୍‍’ ଭାବରେ ଗ୍ରହଣ କରାଯାଇଛି ଏବଂ ଏଥିପାଇଁ ସ୍ୱତନ୍ତ୍ର ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟର ୫୯୩ ଥାନା ମଧ୍ୟରୁ ୫୮୪ରେ ସିସିଟିଭି ସ୍ଥାପନ ହୋଇଛି।

ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ନିମନ୍ତେ ରାଜ୍ୟ ସରକାର ସର୍ବଦା ଯତ୍ନଶୀଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିନିମନ୍ତେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି ଏବଂ ଦୁର୍ନୀତି ଅଭିଯୁକ୍ତ ୧୬୪ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି। କିଛି କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି, କିଛି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ରାଜ୍ୟ ଭିଜିଲାନ୍ସକୁ ମଜବୁତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧକୁ ରୋକିବା ନିମନ୍ତେ ୧୫ ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନା ପ୍ରତିଷ୍ଠା କରାଯାଇଛି। ବର୍ଷକ ମଧ୍ୟରେ ୪୭୫ ଜଣଙ୍କ ବିରୋଧରେ ୨୬୭ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ଓ ସରକାରୀ କର୍ମଚାରୀଙ୍କ ବିରୋଧରେ ୩୭୩ ତଦନ୍ତ ଆରମ୍ଭ କରାଯାଇଛି। ଏହି ମାମଲାରେ ୨୭୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ‘ମୋ ସରକାର’ ସ୍ୱଚ୍ଛତା ଓ ସାଧାରଣ ଜୀବନରେ ଉଚ୍ଚ ନୈତିକତାରେ ବିଶ୍ୱାସ କରିଥାଏ। ଏଥିନିମନ୍ତେ ସମସ୍ତ ଜନ ପ୍ରତିନିଧିଙ୍କଠାରୁ ସରକାରୀସ୍ତରରେ ଉଚ୍ଚ ପଦରେ ଅବସ୍ଥାପିତ ଅଧିକାରୀମାନଙ୍କୁ ସମ୍ପତ୍ତି ବିବରଣୀ ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି। ଜନସେବାଗୁଡ଼ିକୁ ସ୍ୱଚ୍ଛନ୍ଦ କରିବା ନିମନ୍ତେ ‘ଓଡ଼ିଶା ଜନସେବା ଅଧିକାର ଆଇନ’ ଅନୁସାରେ ୩୧ ବିଭାଗ ସହ ୪୧୨ଟି ଜନସେବାକୁ ସୁନିଶ୍ଚିତ କରାଯାଇଛି। ଓପିଏସ୍‍ସି, ଓଏସଏସ୍‍ସି, ଓଏସ୍‍ଏସ୍‍ଏସ୍‍ସି ଜରିଆରେ ୧୨୮୧୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ କୋଭିଡ୍‍ ପରିଚାଳନା ପାଇଁ ୩୭୬୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରମୁଖ ରୋଗର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ଆଦିବାସୀମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଦିଆଯାଇଛି। ସାର୍ବଜନୀନ ଅଭିଯୋଗର ଶୀଘ୍ର ସମାଧାନ ଓ ପେନ୍‍ସନ ପାଇଁ ଇ-ଅଭିଯୋଗ ପୋର୍ଟାଲ ଖୋଲାଯାଇଛି। ଏହା ଜରିଆରେ ୧୬ ହଜାରରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି। ରାଜ୍ୟରେ ୨୦୧୯ରୁ ଲୋକାୟୁକ୍ତ କାର୍ଯ୍ୟାରମ୍ଭ କରିଛି।୨୦୨୧ ମସିହାରେ ୭୭୫ ମାମଲା ମଧ୍ୟରୁ ୪୯୯ ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.