ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ଲେଟଲେଟ୍‍ ଅଭାବ ସହ ଲଢୁଛନ୍ତି ରୋଗୀ : ହାତଗଣତି ସ୍ଥାନରେ ରହିଛି ସଂଗ୍ରହର ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟରେ ରକ୍ତଦାତାଙ୍କ ଅଭାବ ନାହିଁ। ରକ୍ତର ଅଭାବ ଅଧିକାଂଶ ପରିମାଣରେ ଦୂର ହୋଇସାରିଛି। କିନ୍ତୁ ପ୍ଲେଟଲେଟ୍ ସଂଗ୍ରହ ରାଜ୍ୟ ପାଇଁ ଏକ ଆହ୍ବାନ ଭାବେ ଉଭା ହୋଇଛି। କିଛି ବର୍ଷ ହେଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ଲେଟଲେଟ୍‌ର ଅଭାବ ଏ ରୋଗର ମୁକାବିଲା କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ରକ୍ତଦାନ ପାଇଁ ଲୋକଙ୍କର ଭୟ ନାହିଁ, କିନ୍ତୁ ପ୍ଲେଟଲେଟ୍ କଥା ଉଠିବା ବେଳକୁ ସମସ୍ୟା ସୃଷ୍ଟି ହେଉଛି। ଭୟ ଓ ସଚେତନତାର ଅଭାବ ଯୋଗୁ ଅନେକ ରକ୍ତଦାତା ପ୍ଲେଟଲେଟ୍ ଦାନ କରିବାରୁ ଅରାଜି ହେଉଛନ୍ତି। ଡେଙ୍ଗୁ ବ୍ୟତୀତ କର୍କଟ ଏବଂ ଅନ୍ୟ ରୋଗୀଙ୍କୁ ଜୀବନ୍ୟାସ ଦେଉଥିବା ପ୍ଲେଟଲେଟ୍‍ ସଂଗ୍ରହ, ପ୍ରକ୍ରିୟାକରଣ, ଗଛିତ ଏବଂ ଡାଟାବେସ୍‍ ପ୍ରସ୍ତୁତ କରିବା ନେଇ ବିଶେଷ ଅଗ୍ରଗତି ହୋଇପାରିନି। ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ଭିମସାର, ଏସ୍‍ସିବି ସମେତ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ କେବଳ ରକ୍ତ ପ୍ଳେଟଲେଟ୍‍ ସଂଗ୍ରହର ସୁବିଧା ରହିଛି।

ରକ୍ତରୁ ସଂଗ୍ରୁହୀତ ପ୍ଲେଟଲେଟ୍‍ ଡେଙ୍ଗୁ ରୋଗୀଙ୍କ ସମେତ କର୍କଟ ରୋଗୀ, ଅସ୍ତ୍ରୋପଚାର ପାଇଁ ଯାଉଥିବା ରୋଗୀ, ଅପ୍ଲାଷ୍ଟିକ୍‍ ଏନେମିଆ, ଲ୍ୟୁକେମିଆ, ହେମୋଫିଲିଆ ଏବଂ ଅନ୍ୟ ରୋଗୀଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଦେଢ଼ ଲକ୍ଷ ପ୍ଲେଟଲେଟ୍‍ ରହିଥାଏ। କିନ୍ତୁ ଜଟିଳ ରୋଗୀଙ୍କ ଶରୀରେ ପ୍ଲେଟଲେଟ୍‍ ହାର କମିଗଲେ ପ୍ରାଣ ଚାଲି ଯିବା ସମ୍ଭାବନା ରହିଛି। ଗୁରୁତ୍ୱ୍‍ପୂର୍ଣ୍ଣ ହେଲା ପ୍ଲେଟଲେଟ୍‍ର ଆୟୁଷ ମାତ୍ର ୭୨ ଘଣ୍ଟା। ତେଣୁ ଏହାକୁ ଦୀର୍ଘ ଦିନ ଧରି ସଂରକ୍ଷିତ ରଖିବା ସମ୍ଭବ ନୁହେଁ। ଜଣେ ସୁସ୍ଥ ବ୍ୟକ୍ତି ପ୍ଲେଟଲେଟ୍‍ ଦାନ କରିବା ମାତ୍ରେ ହିଁ ରୋଗୀଙ୍କୁ ଦିଆଯାଇ ପାରିବ। ଆଉ ଏହା ହିଁ ରୋଗୀଙ୍କ ପାଇଁ ବଡ଼ ସମସ୍ୟା। ଡାକ୍ତରଖାନାରେ ହଠାତ୍‍ ପ୍ଲେଟଲେଟ୍‍ ଆବଶ୍ୟକ ହେଲେ ଡୋନର୍‍ ଯୋଗାଡ଼ କରିବା ଭିତରେ ରୋଗୀଙ୍କ ଜୀବନ ଚାଲି ଯାଉଛି।କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ହଜାର ହଜାର ସଂଖ୍ୟକ ରୋଗୀଙ୍କର ପ୍ଲେଟଲେଟ୍‍ ଆବଶ୍ୟକ ହୋଇଥାଏ। ସେଠାକୁ ପର୍ଯ୍ୟାପ୍ତ ଯୋଗାଣ ହୋଇ ପାରୁ ନଥିବା ବେଳେ ଭୁବନେଶ୍ୱର ଓ ବରଗଡ଼ରେ ପ୍ରତିଷ୍ଠା ହେବାକୁ ଯାଉଥିବା କର୍କଟ ଡାକ୍ତରଖାନାରେ ପ୍ଲେଟଲେଟ୍‍ ଯୋଗାଣ ସ୍ୱାସ୍ଥ୍ୟ ବିଭାଗ ପାଇଁ କିଛି କମ୍‍ ସମସ୍ୟା ସୃଷ୍ଟି କରିବ ନାହିଁ।

୧୯ ଥର ପ୍ଲେଟଲେଟ୍‍ ଦାନ କରିଥିବା ଗୋପୀ ମୋହନ ପଟ୍ଟନାୟକ କହିଛନ୍ତି, ମୁମ୍ବାଇ ଏବଂ ଦେଶର ଅନ୍ୟ ପ୍ରମୁଖ ସହରରେ ପ୍ଲେଟଲେଟ୍‍ ସଂଗ୍ରହ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ତେବେ ଓଡ଼ିଶାରେ ଏଥିପାଇଁ ଭିତ୍ତିଭୂମିର ଅଭାବ ଥିବା ବେଳେ ଦାତାଙ୍କ ଅଭାବ ଆହୁରି ବଡ଼ ସମସ୍ୟା। ଓଡ଼ିଶାରେ ଘୋର ଅଭାବ ରହିଛି। ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ପ୍ରମୁଖ ଡାକ୍ତରଖାନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟଲେଟ୍‍ ପୃଥକୀକରଣ ୟୁନିଟ୍‍ ଏବଂ ସିଙ୍ଗିଲ ଡୋନର ପ୍ଲେଟଲେଟ୍‍ (ଏସ୍‍ଡିପି) ବ୍ୟବସ୍ଥା କରିବା ଆବଶ୍ୟକ। ସେହିପରି ଜିଲ୍ଲା ସ୍ତରରେ ପ୍ଲେଟଲେଟ୍‍ ଦାତାଙ୍କ ତାଲିକା ପ୍ରସ୍ତୁତ ରହିବା ଆବଶ୍ୟକ। ଜଣେ ସିଙ୍ଗଲ ଡୋନର ପ୍ଲେଟଲେଟ୍‍ ଏକ ସଙ୍ଗରେ ତିନି ଜଣଙ୍କ ଜୀବନ ରକ୍ଷା କରିପାରିବେ। ଏ ନେଇ ବ୍ୟାପକ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ୨୦୦୩-୦୪ରେ ପ୍ଲେଟଲେଟ୍‍ କନସନ୍‍ଟ୍ରେଟ୍‍ ୩୦୪ ଥିବା ବେଳେ ୨୦୦୬-୦୭ ବେଳକୁ ୨୬୬୧ରେ ପହଞ୍ଚିଥିଲା।

ପୂର୍ବତନ ରାଜ୍ୟ ଡିଏମ୍‍ଇଟି ତଥା କିମ୍ସ ଉପକୁଳପତି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଏସ୍‍ଡିପି ପ୍ରକ୍ରିୟା ବ୍ୟୟବହୁଳ। ଏହା ସର୍ବଦା ଆବଶ୍ୟକ ପଡ଼ିନଥାଏ। ତେଣୁ ରାଜ୍ୟ ସରକାର ବ୍ଳଡ୍‍ ବ୍ୟାଙ୍କରେ ଆରବିସି ବ୍ୟବସ୍ଥା ଜରିଆରେ ପ୍ଲେଟଲେଟ୍‍ ସଂଗ୍ରହ କରାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ଲେଟଲେଟ୍‍ ଦାତା ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଦରକାର। ରକ୍ତଦାନ ତୁଳନାରେ ପ୍ଲେଟଲେଟ୍‍ ଦାନ ପାଇଁ ଅଧିକ ସମୟ ଆବଶ୍ୟକ। ଏବେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ସଂଗ୍ରହ ହୋଇ ପାରୁଛି। ତେଣୁ ବ୍ୟାପକ ସଚେତନତା ହେଲେ ରାଜ୍ୟରେ ପ୍ଲେଟଲେଟ୍‍ ଅଭାବ ରହିବ ନାହିଁ।

Leave A Reply

Your email address will not be published.