ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏମ୍‌ସରେ ଏମ୍‍ଆରଆଇ ପରୀକ୍ଷା ପାଇଁ ଲାଗୁଛି ୩ ମାସ, ରିପୋର୍ଟ ମିଳିବା ପାଇଁ ମାସେ

ଖଣ୍ଡଗିରି : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‍ସ) ଭୁବନେଶ୍ୱରରେ ଏମ୍‍ଆରଆଇ ପରୀକ୍ଷା ଏକ ପ୍ରକାର ପ୍ରହସନ ପାଲଟିଛି। ଏମଆରଆଇ ପରୀକ୍ଷା କରାଇବାକୁ ରୋଗୀମାନଙ୍କୁ ୩ ମାସରୁ ଊର୍ଦ୍ଧ୍ବ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ରିପୋର୍ଟ ପାଇଁ ମଧ୍ୟ ମାସ ମାସ ଧରି ଡାକ୍ତରଖାନାକୁ ଦୌଡୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। ବାରମ୍ୱାର ଡାକ୍ତରଖାନାକୁ ଦୌଡ଼ିବା ପରେ ବି ରିପୋର୍ଟ ମିଳୁ ନ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଏମିତିକି ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ପରୀକ୍ଷା କରାଇଥିବା ରୋଗୀ ଡିସଚାର୍ଜ ହେବା ପରେ ମଧ୍ୟ ରିପୋର୍ଟ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ, ଏମ୍‍ସ ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ଉନ୍ନତ ଚିକିତ୍ସା ପାଇବା ପାଇଁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀମାନେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ବ ରୋଗୀ ପ୍ରତ୍ୟେକ ଦିନ ଏମ୍‍ସକୁ ଆସିଥାନ୍ତି। ସେହିକ୍ରମରେ ଦୈନିକ ପ୍ରାୟ ଶହେରୁ ଊର୍ଦ୍ଧ୍ବ ରୋଗୀ ଏମଆରଆଇ ପରୀକ୍ଷା ପାଇଁ ଆବେଦନ କରିଥାନ୍ତି। ବେସରକାରୀ ଡାକ୍ତରଖାନାରେ ଏମ୍‍ଆରଆଇ ପରୀକ୍ଷା ପାଇଁ ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏମ୍‍ସରେ ସ୍ୱଳ୍ପ ଖର୍ଚ୍ଚରେ ଏହି ସୁବିଧା ମିଳିବାର ବ୍ୟବସ୍ଥା ରହିଛି। ଯେଉଁଥିପାଇଁ ଏମ୍‍ସରେ ଦୁଇଟି ଏମ୍‍ଆରଆଇ ମେସିନ୍‍ ପ୍ରତିଷ୍ଠା କରାଯାଇଛି। କିନ୍ତୁ ଏମଆରଆଇ ପରୀକ୍ଷା କରାଇବାକୁ ରୋଗୀମାନଙ୍କୁ ଆବେଦନ କରିବା ତାରିଖ ଠାରୁ ରିପୋର୍ଟ ପାଇବା ପର୍ଯ୍ୟନ୍ତ ୪ ମାସ ଅପେକ୍ଷା କରିବାକୁ ପଡୁଛି। ଏମ୍‍ଆର୍‍ଆଇ ପରୀକ୍ଷା ପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ରିପୋର୍ଟ ପାଇବା ପାଇଁ ଏକ ମାସରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଦୌଡ଼ିବାକୁ ପଡ଼ୁଛି। ରିପୋର୍ଟ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିବା ପରେ ମଧ୍ୟ ରିପୋର୍ଟ ଦେବା ବଦଳରେ ସେମାନଙ୍କୁ ବାରମ୍ବାର ତାରିଖ ଦିଆଯାଉଥିବା ଅଭିଯୋଗ ହେଉଛି।

କେବଳ ଏମଆରଆଇ ପରୀକ୍ଷା ନୁହେଁ ବରଂ ସିଟିସ୍କାନ କ୍ଷେତ୍ରରେ ସମାନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ସିଟିସ୍କାନ କରାଇବାକୁ ରୋଗୀମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଶିବାନନ୍ଦ ରାଉତରାୟ ଏକ ଦୁର୍ଘଟଣାର ଶିକାର ହୋଇ ତାଙ୍କ ଗୋଡ଼ର ହାଡ଼ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ସେ ଗତବର୍ଷ ମେ ମାସରେ ଏମ୍‍ସର ଅସ୍ଥିଶଲ୍ୟ ବିଭାଗରେ ଡାକ୍ତରଙ୍କ ପରାମର୍ଶ କରାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଗୋଡ଼ରେ ରଡ୍‍ ଲାଗିବା ସହିତ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ୟା ଦେଖାଦେବାରୁ ସେ ପୁଣି ଡାକ୍ତରଙ୍କୁ ଦେଖାଇଥିଲେ ଓ ଡାକ୍ତର ତାଙ୍କୁ ଏମଆରଆଇ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ। ଶିବାନନ୍ଦ ମାର୍ଚ୍ଚ ୧ ତାରିଖରେ ଏମଆରଆଇ ପାଇଁ ଆବେଦନ କରିବା ପରେ ତାଙ୍କୁ ୩ ମାସ ବିଳମ୍ୱ ଅର୍ଥାତ ଜୁନ ମାସ ୨୯ ତାରିଖକୁ ସମୟ ଦିଆଯାଇଛି।

ସେହିପରି ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଲକି ପଣ୍ଡାଙ୍କ ୬ ମାସର ପୁଅଙ୍କ ପେଟଜନିତ ସମସ୍ୟା ଦେଖା ଦେବାରୁ ସେ ଗତ ମାର୍ଚ୍ଚ ୧ ତାରିଖ ଦିନ ତାଙ୍କ ପୁଅକୁ ଏମ୍‍ସର ପେଡ଼ିଆଟ୍ରିକ ବିଭାଗରେ ଆଡମିସନ କରାଇଥିଲେ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ମାର୍ଚ୍ଚ ୭ ତାରିଖ ଦିନ ସିଟି ଆଞ୍ଜିଓଗ୍ରାଫି ପରୀକ୍ଷା କରାଯାଇଥିଲା। ପରୀକ୍ଷାର ୭ ଦିନ ପରେ ଅର୍ଥାତ୍‍ ମାର୍ଚ୍ଚ ୧୪ ତାରିଖ ଦିନ ରିପୋର୍ଟ ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ମାର୍ଚ୍ଚ ୧୪ ତାରିଖରେ ରିପୋର୍ଟ ଦେବା ବଦଳରେ ତାଙ୍କ ପୁଅଙ୍କୁ ଡିସଚାର୍ଜ କରାଇ ଦିଆଯାଇଥିଲା ଓ ପରେ ଆସି ରିପୋର୍ଟ ନେଇଯିବାକୁ କୁହାଯାଇଥିଲା। ଶ୍ରୀ ପଣ୍ଡା ମାର୍ଚ୍ଚ ୨୯ ତାରିଖ ଦିନ ରିପୋର୍ଟ ପାଇଁ ଦିନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ତାଙ୍କୁ ରିପୋର୍ଟ ମିଳି ନ ଥିଲା। ‘ମ୍ୟାଡାମ୍‍ ନାହାନ୍ତି, ଲଞ୍ଚ କରିବାକୁ ଯାଇଛନ୍ତି କହିବା ସହ ବିଭିନ୍ନ ଆଳ ଦେଖାଇ ତାଙ୍କୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିବାରୁ ଚଳିତ ମାସ ୧୨ ତାରିଖ ଦିନ ତାଙ୍କ ପୁଅକୁ ପୁଣି ଏମ୍‍ସରେ ଆଡମିଶନ କରାଇଥିଲେ ଓ ୧୨ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ହେବ ସେ ରିପୋର୍ଟ ପାଇଁ ଲାଇନ୍‍ ଲଗାଉଥିଲେ ମଧ୍ୟ ତାଙ୍କୁ ରିପୋର୍ଟ ଦିଆ ଯାଉନାହିଁ। ବରଂ ଏଣୁତେଣୁ ବାହାନା କରି ଫେରାଇ ଦିଆଯାଉଛି। ତେବେ ସିଟି ଆଞ୍ଜିଓଗ୍ରାଫି ପରୀକ୍ଷା ରିପୋର୍ଟ ନ ମିଳିଲେ ପୁଅର ଚିକିତ୍ସା କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏନେଇ ଏମ୍‍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀଙ୍କୁ ପଚାରିବାରୁ, ଜରୁରୀ ଥିବା ରୋଗୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏମଆରଆଇ ପରୀକ୍ଷା କରାଯାଉଥିବା ବେଳେ ଅତି ଜରୁରୀ ନ ଥିଲେ କିଛିଦିନ ପରେ ପରୀକ୍ଷା କରାଇବାକୁ ରୋଗୀଙ୍କୁ ତାରିଖ ଦିଆଯାଉଛି। ଅପରପକ୍ଷରେ ଜଣେ ରୋଗୀଙ୍କ ଏମଆରଆଇ ପରୀକ୍ଷା କରାଇବାକୁ ୩୦ରୁ ୪୫ ମିନିଟ ଲାଗୁଛି। ଫଳରେ ଦୈନିକ ୧୫ରୁ ୧୭ ଜଣଙ୍କର ଏମଆରଆଇ ପରୀକ୍ଷା କରାଇବା ସମ୍ଭବ ହେଉଛି। ସେଥିପାଇଁ ରୋଗୀମାନଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.