ଠିକ୍ ଠାକ୍ ଚାଲିଛି ଶ୍ରୀମନ୍ଦିର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ, ପରିକ୍ରମା ପ୍ରକଳ୍ପକୁ ସଂସଦୀୟ ଟିମ୍ର ପ୍ରଶଂସା

ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପକୁ କେନ୍ଦ୍ର ସଂସଦୀୟ ଟିମର ପ୍ରଶଂସା । ଶ୍ରୀମନ୍ଦିର ପାରିପାର୍ଶ୍ଵିକ ଉନ୍ନତି ଓ ବିକାଶ କାର୍ଯ୍ୟ ଠିକ୍ ଚାଲିଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ କମିଟି ପୁରୀ ଗସ୍ତ କରି ଏପରି ପ୍ରତିକ୍ରିୟା ରଖିଛନ୍ତି । ଟି .ଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଟିମ୍ ପୁରୀ ଆସି ଶ୍ରୀମନ୍ଦିର ପାରିପାର୍ଶ୍ୱିକ ଉନ୍ନତି ଓ ବିକାଶ କାର୍ଯ୍ୟ ଠିକ୍ ଚାଲିଛି କି ନାହିଁ ତାହାର ତଦାରଖ କରିଛି । ଟି .ଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଆସିଥିବା ଟିମରେ ୧୬ ଜଣ ସଂସଦ ପ୍ରତିନିଧିଙ୍କ ସମେତ ଅନ୍ୟ ୬ ଜଣ ଅଫିସିଆଲ ରହିଛନ୍ତି । ଏହି ଟିମ୍ ସହ ଏଏସଆଇ ଏଡିଜି ମଧ୍ୟ ଆସିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆବଶ୍ୟକ । ଆହୁରି ଅଧିକ ଉନ୍ନତିର ଆବଶ୍ୟକତା ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ ବୋଲି ସଂସଦୀୟ କମିଟି ସଦସ୍ୟ ରାମ ଦାସ ତଡାସ କହିଛନ୍ତି ।
ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ ପ୍ରସଙ୍ଗରେ ବିଧାନସଭାରେ ଗଠନ ହୋଇଥିବା ଗୃହ କମିଟି ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ। ମାତ୍ର ପ୍ରସଙ୍ଗ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ଗୃହ କମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି। ବିଧାନସଭାର ପରିସରଭୁକ୍ତ କୌଣସି ପ୍ରସଙ୍ଗ ହୋଇଥିଲେ ବାଚସ୍ପତି ତୁରନ୍ତ ତାହାର ସମାଧାନ କରି ସାରନ୍ତେଣି। ଯେହେତୁ ଏହି ମାମଲା ବିଚାରାଧୀନ ରହିଛି ତେଣୁ ଆମେ ବିଧାନସଭାର ଆଇନ ବିଭାଗ ସହ ଆଲୋଚନା କରୁଛୁ।