ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂସଦରେ ରଦ୍ଦ ହେଲା ଧାରଣା ଓ ବିକ୍ଷୋଭ, କଂଗ୍ରେସ ସମୟରେ ବି ଜାରି ହୋଇଥିଲା ଏପରି ଆଦେଶନାମା

ନୂଆଦିଲ୍ଲୀ : ସଂସଦରେ ଅସାମ୍ବିଧାନିକ ଶବ୍ଦ ଉପରେ କଟକଣା ଲଗାଇବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଶୁକ୍ରବାର ସଂସଦ ଭବନ ପରିସରରେ ଧାରଣା, ବିକ୍ଷୋଭ ଉପରେ ମଧ୍ୟ କଟକଣା ଲଗାଯାଇଛି । ସଂସଦ ଭବନ ପରିସରରେ ପୂର୍ବ ଭଳି ଆଉ ଧାରଣା, ବିକ୍ଷୋଭ, ଉପବାସ ତଥା ଧାର୍ମିକ ଉତ୍ସବ କରାଯାଇପାରିବ ନାହିଁଁ । ମୌସୁମୀ ଅଧିବେଶନ ଆଗରୁ ସଂସଦରେ ଧାରଣା ଦେବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ରାଜ୍ୟସଭା ମହାସଚିବ ଜାରି କରିଥିବା ଆଦେଶରେ ଉଲ୍ଲେଖ ଅଛି। ରାଜ୍ୟସଭା ମହାସଚିବଙ୍କ ସଦ୍ୟତମ ଆଦେଶନାମା ଅନୁସାରେ, ପାର୍ଲାମେଣ୍ଟ୍‌ର ସଦସ୍ୟମାନେ ପାର୍ଲାମେଣ୍ଟ୍‌ ପରିସରକୁ ଧାରଣା ଦେବା କିମ୍ବା ହରତାଳ କରିବା ନିମନ୍ତେ ବ୍ୟବହାର କରିପାରିବେ ନାହିଁ।ଏହି ମର୍ମରେ ଗୃହ ସଦସ୍ୟମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି।

ଏହି ନିର୍ଦେଶନାମା ଜାରି କରାଯିବା ପରେ  ବିରୋଧୀ ଦଳ ପକ୍ଷରୁ ବିରୋଧ କରାଯାଇଛି। ସଂସଦ ଭବନର ପରିସରକୁ କୌଣସି ବିକ୍ଷୋଭ, ଧାରଣା, ଧର୍ମଘଟ, ଅନଶନ ଅଥବା କୌଣସି ଧାର୍ମିକ ଉତ୍ସବ ନିମନ୍ତେ ବ୍ୟବହାର କରିପାରିବେ ନାହିଁ ରାଜ୍ୟସଭା ମହାସଚିବ ପି.ସି. ମୋଦୀଙ୍କ ଉକ୍ତ ଆଦେଶନାମାକୁ ‘ଏଆଇସିସି’ର ସାଧାରଣ ସଚିବ ଜୟରାମ ରମେଶ ଟୁଇଟର୍‌ରେ ସେୟାର୍‌ କରିଛନ୍ତି।ଜୟରାମ କ୍ୟାପ୍‌ସନରେ ଲେଖିଛନ୍ତି ଯେ ବିଷଗୁରୁଙ୍କ ସଦ୍ୟତମ ପ୍ରହାର- ଧାରଣା ଦେବା ମନା’ । ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି ଏହି ନୋଟିଫିକେସନ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସାଂସନ ମନୀଷ ତିଓ୍ବାରୀ କମେଣ୍ଟ କରିଛନ୍ତି । ଦିନକ ପୂର୍ବରୁ ସଂସଦରେ କେତେକ ଶବ୍ଦକୁ ବାରଣ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଏକ ନୂଆ ନିଷ୍ପତ୍ତି ନେଇ ଚର୍ଚ୍ଚା ସୃଷ୍ଟି କରିଛି।

ଗତକାଲି ଲୋକସଭା ସଚିବାଳୟ ପକ୍ଷରୁ କିଛି ଶବ୍ଦ ଉପରେ କଟକଣା ଲଗାଯାଇ ତାକୁ ଅଂସସଦୀୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଲୋକସଭା ସଚିବାଳୟ ଦ୍ୱାରା ଜାରି ଏକ ପୁସ୍ତିକାରେ ଅନ୍ୟୂନ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ଭାବେ ଚିହ୍ନିତ କରାଯାଇଛି। ଯଦି କେହି ସଂସଦୀୟ କାର୍ଯ୍ୟଧାରାରେ ଏହି ଶବ୍ଦକୁ ବ୍ୟବହାର କରେ ତେବେ ତାହାକୁ ରେକର୍ଡରୁ କାଟିଦିଆଯିବ। ସାଧାରଣଭାବେ ବ୍ୟବହୃତ ଆସେମ୍‌ଡ (ଲଜ୍ଜିତ), ଆବ୍ୟୁଜ୍‌ଡ (ଦୁର୍ବ୍ୟବହାର), ବିଟ୍ରେଡ୍‌ (ପ୍ରତାରିତ), କରପ୍ଟ (ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ), ଡ୍ରାମା (ନାଟକବାଜି), ହିପୋକ୍ରିସି (କପଟତା) ଏବଂ ଇନ୍‌କମ୍ପିଟେଣ୍ଟ (ଅଯୋଗ୍ୟ, ଅପାରଗ) ପରି ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଉକ୍ତ ପୁସ୍ତିକାରେ ଦର୍ଶାଯାଇଛି।

ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ର ଅବ୍ୟବହିତ ପୂର୍ବରୁ ଲୋକସଭା ସଚିବାଳୟ ପକ୍ଷରୁ ଏହି ପୁସ୍ତିକା ପ୍ରକାଶ କରାଯାଇଛି। ଲୋକସଭା ଓ ରାଜ୍ୟସଭାରେ ଯିଏ ଅଧ୍ୟକ୍ଷତା କରୁଥିବେ ସେ ଯେଉଁ ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି କହିବେ ତାହା ହେଉଛି ଅନ୍‌ପାର୍ଲାମେଣ୍ଟାରୀ ଏବଂ ତାହା ଆଉ ପାର୍ଲାମେଣ୍ଟ ରେକର୍ଡରେ ସ୍ଥାନ ପାଇପାରିବ ନାହିଁ। ଅର୍ଥାତ୍ କେଉଁ ଶବ୍ଦ ଅସଂସଦୀୟ ଭାବେ ବିବେଚିତ ହେବ, ସେ ନେଇ ବାଚସ୍ପତିଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ବିଭିନ୍ନ ଶବ୍ଦକୁ ସମୟାନ୍ତରରେ ଅସଂସଦୀୟ ବୋଲି ଘୋଷଣା କରାଯାଏ। ୨୦୨୧ରେ ଯେଉଁ ଶବ୍ଦଗୁଡ଼ିକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଘୋଷଣା କରାଯାଇଥିଲା ସେଗୁଡ଼ିକ ମଧ୍ୟ ଉକ୍ତ ପୁସ୍ତିକାରେ ଉଲ୍ଲେଖ କରାଯାଇଛି।

ଅନ୍ୟପଟେ ରାଜ୍ୟସଭା ମହାସଚିବ ଏବେ ଜାରି କରିଥିବା ଆଦେଶନାମା ନୂଆ ନୁହେଁ। ସଦସ୍ୟମାନେ ସଂସଦ ଗୃହ ପରିସରକୁ କୌଣସି ପ୍ରଦର୍ଶନ, ଧର୍ମ, ଧର୍ମଘଟ, ଉପବାସ କିମ୍ବା କୌଣସି ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ ନାହିଁ ବୋଲି  ସଚିବାଳୟର ଏହି ସର୍କୁଲାରକୁ ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରୁଛନ୍ତି । ତେବେ ଏଭଳି ଆଦେଶ ପ୍ରଥମ ଥର ନୁହେଁ । ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମଧ୍ୟ ସମାନ ଆଦେଶ ଜାରି କରାଯାଇଥିଲା । ସଂସଦ ବୁଲେଟିନ୍ ନାମରେ ୨ ଡିସେମ୍ବର ୨୦୧୩ ରେ ସମାନ ସର୍କୁଲାର ଜାରି କରାଯାଇଥିଲା । ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାରରେ ଥିଲେ । ଏହା ପରେ ସର୍କୁଲାରରେ ସଂସଦରେ ପ୍ରଦର୍ଶନ, ଧର୍ମ, ଧର୍ମଘଟ, ଉପବାସ କିମ୍ବା କୌଣସି ଧାର୍ମିକ ସମାରୋହର ନିଷେଧାଦେଶ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.