ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲେଶ୍ଵର ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେଉଛି ନୂଆ ପ୍ରକଳ୍ପ , ଉଦୟପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାରାସେଲିଂର ସେବା

ବାଲେଶ୍ଵର :ବାଲେଶ୍ଵର ଜିଲ୍ଲାରେ ବିଚ୍ ଟୁରିଜିମ୍ ବା ବେଳାଭୂମି ପର୍ଯ୍ୟଟନ ଉପରେ ପର୍ଯ୍ୟଟନ ବିଭାଗ ଅଧିକ ଗୁରୁତ୍ୱ ଦେଉଛି। ବେଳାଭୂମିର ପରିମଳ ବ୍ୟବସ୍ଥାଠୁ ଆରମ୍ଭ କରି  ଉନ୍ନତୀକରଣ ଦିଗରେ ଜିଲ୍ଲାପାଳ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ବେଳାଭୂମିରେ ଜଳକ୍ରୀଡାର ବ୍ୟବସ୍ଥା କରାଯିବାର ଯୋଜନା ମଧ୍ୟ ଚାଲିଛି। ତେବେ ପ୍ରଚାର ପ୍ରସାର ଏବଂ କରୋନା ଯୋଗୁଁ ଉଦୟପୁର ବେଳାଭୂମିରେ ଥିବା ଜଳକ୍ରୀଡା ବାବଦରେ ଅନେକ ପର୍ଯ୍ୟଟକ ଅବଗତ ନାହାନ୍ତି। ଦୀର୍ଘ ବର୍ଷ ଧରି ପ୍ରଥମକରି ଉଦୟପୁର ବେଳାଭୂମିରେ ସୁରତ କୁମାର ସାହୁ ଜିଲ୍ଲାପାଳଙ୍କ ଅନୁମତିରେ ଜଳକ୍ରୀଡାର ବ୍ୟବସ୍ଥା ଆରମ୍ଭ କରିଛନ୍ତି। ବିଶେଷକରି ପାରାସେଲିଂ ପରି ଦୁଃସାହସିକ ଜଳକ୍ରୀଡାର ସେବା ମଧ୍ୟ ଉପଲବ୍ଧ ରହିଛି।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଲେଶ୍ଵର ଜିଲ୍ଲା ଉଦୟପୁର ବେଳାଭୂମିରେ ସୁରତ କୁମାର ସାହୁ ୨୦୧୪ ମସିହା ନଭେମ୍ବର ୧୭ ତାରିଖରେ ଉଦୟପୁର ବେଳାଭୂମିରେ ଓ୍ବାଟର୍ ସ୍ପୋର୍ଟସ୍ ଆରମ୍ଭ କରିଥିଲେ। ସୁରତ ଏକ ଘରୋଇ ସ୍କୁଲରେ ଚାକିରି କରିଥିଲେ। ମାତ୍ର କିଛି ସମସ୍ୟା ହେବା ଯୋଗୁଁ ଚାକିରି ଛାଡି ଏଭଳି ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ। ତେବେ ଦୀଘାରେ ଏଭଳି ଜଳକ୍ରୀଡା ଅଧିକ ଥାଏ। ଏହାକୁ ଦୃଷ୍ଟିରେ ରଖି ଉଦୟପୁରରେ ଏକ ଓ୍ବାଟର୍ ସ୍ପୋର୍ଟସ୍ ଖୋଲିବା ପାଇଁ ସେତେବେଳେର ଜିଲ୍ଲାପାଳ ସନାତନ ମଲ୍ଲିକ ଏବଂ ଏସପି ନୀତି ଶେଖରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ସୁରତ। ଏଥିସହିତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀଙ୍କ ଅନୁମତି ପାଇଁ ଆବେଦନ କରିଥିଲେ। ପରେ ଏଥିପାଇଁ ସୁରତଙ୍କୁ ଅନୁମତି ମିଳିବା ପରେ ୨୦୧୪ ରେ ପର୍ଯ୍ୟଟକଙ୍କ ପାଇଁ ଉଦୟପୁରରେ ଆରମ୍ଭ ହେଲା ଓ୍ବାଟର୍ ସ୍ପୋର୍ଟସ୍ ବ୍ୟବସ୍ଥା। ତେବେ ନିଜର ଜାଗା ବିକ୍ରି ଏବ ଋଣ କରି ସୁରତ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଏଭଳି ଏକ ଦୁଃସାହସିକ ଜଳକ୍ରୀଡାର ସେବା ବାଲେଶ୍ଵରରେ ଆରମ୍ଭ କରିଥିଲେ।
ପର୍ଯ୍ୟଟକ ଏହାକୁ ବେଶ କିଛି ଦିନ ପସନ୍ଦ କରିବା ପରେ କରୋନା ପାଇଁ ଲକଡାଉନ୍ ଆରମ୍ଭ ହେଲା। ପରେ ପର୍ଯ୍ୟଟକ ଆସିବା କମିଗଲା। ବିଶେଷକରି ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ପର୍ଯ୍ୟଟକ ଆସନ୍ତି। ଉଦୟପୁର ବେଳାଭୂମିରେ ଦୁଃସାହସିକ ଜଳକ୍ରୀଡା ପାରାସେଲିଂ ସହିତ ସ୍ପିଡ୍ ବୋଟ୍, ବନାନା ବୋଟ୍, ବମ୍ଫର ଭଳି ସେବା ଉପଲବ୍ଧ ରହିଛି। ଏଥିପାଇଁ ଗୋଆରୁ ଲୋକ ଏଠାକାର କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି। ୬ଟି ପାରାସେଲିଂ ସାଙ୍ଗକୁ ସ୍ପିଡ୍ ବୋଟ୍ ୪ଟି, ବନାନା ବୋଟ୍ ୨ଟି ଏବଂ ବମ୍ଫର ଗୋଟିଏ ରହିଛି। ୮ ଜଣ ତାଲିମପ୍ରାପ୍ତ କର୍ମଚାରୀଙ୍କ ଏହା ଦାୟିତ୍ୱରେ ରହିଛନ୍ତି। ବର୍ଷର ଡିସେମ୍ବରରୁ ଜାନୁଆରୀ ଭିତରେ ଅଧିକ ପର୍ଯ୍ୟଟକ ଏହାର ମଜା ଉଠାଇଥାନ୍ତି।
‘ପାଗ ଦେଖିକି ପାରାସେଲିଂ ଏବଂ ବୋଟିଂ କରାଯାଏ। କାରଣ ପବନ ଜୋର୍ କିମ୍ବା ପୁରା କମ୍ ହେଲେ ପାରାସେଲିଂ ସେବା ଦିଆଯାଏ ନାହିଁ। ସୁରକ୍ଷା ଦୃଷ୍ଟିରୁ ଆମେ ପର୍ଯ୍ୟଟକଙ୍କୁ ଫେରେଇ ଦେଉ। କାରଣ ପର୍ଯ୍ୟଟକଙ୍କ ସୁରକ୍ଷା ଆମର ପ୍ରଥମ ଲକ୍ଷ୍ୟ। ଲାଇଫ୍ ଜ୍ୟାକେଟ୍ ଦିଆଯାଏ। ୨୦୧୪ ମସହାରୁ ଆଜି ପର୍ଯ୍ୟନ୍ତ ସେମିତି କିଛି ଅଘଟଣ ବି ହୋଇନାହିଁ। ପର୍ଯ୍ୟଟକ ଏହାକୁ ବହୁତ ପସନ୍ଦ କରନ୍ତି। ବିଶେଷକରି ସବୁ ଓଡ଼ିଶା ବାହାରର ପର୍ଯ୍ୟଟକ ଆସନ୍ତି। ଏହି ଜଳକ୍ରୀଡା ଆରମ୍ଭ ପରେ ବେଶ ଭଲ ପର୍ଯ୍ୟଟକ ଆସୁଥିଲେ ମାତ୍ର କରୋନା ପରେ ପର୍ଯ୍ୟଟକଙ୍କ ଆଗମନ କମିଛି’ ବୋଲି ଓ୍ବାଟର୍ ସ୍ପୋର୍ଟସ୍ ମୁଖ୍ୟ ସୁରତ କୁମାର ସାହୁ କହିଛନ୍ତି।
”ଉଦୟପୁରରେ ଓ୍ବାଟର୍ ସ୍ପୋର୍ଟସ୍ ବ୍ୟବସ୍ଥା ରହିଛି। ଏବେ ଜିଲ୍ଲାପାଳ ତାଳସାରୀରେ ବଡ ଧରଣର ଓ୍ବାଟର୍ ସ୍ପୋର୍ଟସ୍ ପାଇଁ ଯୋଜନା କରିଛନ୍ତି।ଏଥିପାଇଁ ଜଣେ ମହାରାଷ୍ଟ୍ରର ଲୋକ ଆଗ୍ରହ ପ୍ରକାଶ କରି ଜିଲ୍ଲାପାଳଙ୍କ ନିକଟରେ ଏନଓସି ପାଇଁ ଆବେଦନ କରିଛନ୍ତି। ଲାଇସେନ୍ସ ଏବଂ ସେଫ୍ଟିକୁ ଦୃଷ୍ଟିରେ ରଖି ଅନୁମତି ମିଳିଲେ ଓ୍ବାଟର୍ ସ୍ପୋର୍ଟସ୍ ବ୍ୟବସ୍ଥା ଆରମ୍ଭ ହେବ। ଯେଉଁଠି ପାରାସେଲିଂଠୁ ଆରମ୍ଭ କରି ଅନ୍ୟାନ୍ୟ ଜଳକ୍ରୀଡାର ସାମଗ୍ରୀ ଉପଲବ୍ଧ ରହିବ’ ବୋଲି ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦେଶକ ଗଗନ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଉଦୟପୁର ଏବଂ ତାଳସାରୀର ବିସ୍ତୀର୍ଣ୍ଣ ବେଳାଭୂମିରେ ପାରାସେଲିଂ କରିବାର ମଜା  ବାଲେଶ୍ଵର ବାହାର ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଆଗାମୀ ଦିନରେ ଆକର୍ଷିତ କରିବ।
Leave A Reply

Your email address will not be published.