ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୟଦେବ ବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା, ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ ଲକ୍ଷ୍ୟ

ଭୁବନେଶ୍ୱର : ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଉପାଦାନ ହୋଇଥିବା ବେଳେ ଏହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପୂର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣ ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରାଯାଇଛି। ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାର ବାମପାର୍ଶ୍ବ ସମାନ୍ତରାଳ ୧୩.୫୮ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଥିବା ଜଣାପଡ଼ିଛି। ଏହି ୧୩.୫୮ କିଲୋମିଟର ରାସ୍ତା ମଧ୍ୟରୁ ୮ କିଲୋମିଟର ରାସ୍ତା ୪ ଥାକିଆ ହୋଇଥିବା ବେଳେ ୫.୫୮ କିଲୋମିଟର ରାସ୍ତା ୬ ଥାକିଆ। ଏହି ୧୩.୫୮ କିଲୋମିଟର ରାସ୍ତା ମଧ୍ୟରୁ ୪.୫୫ କିଲୋମିଟର ନିର୍ମିତ ହେବାକୁ ବାକି ଥିବାବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଜଗଦଲପୁରଠାରୁ ରାଉରକେଲା ଯାଏଁ ୬୨୭ କିଲୋମିଟର ଲମ୍ବର ୪ ଲେନ୍‍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଶେଷ କରିବାକୁ ରାଜ୍ୟ ଲକ୍ଷ୍ୟ ରଖିଥିଲେ। ଏହି ଏକ୍ସପ୍ରେସ ୱେର ରୁଟ୍‍ ରାଉରକେଲାରୁ ସମ୍ବଲପୁର ଦେଇ ସୋହେଲା- ପଦ୍ମପୁର-ନୂଆପଡ଼ା-ଅମ୍ପାନୀ-ବୋରିଗୁମ୍ମା ଅତିକ୍ରମ କରି ଚାନ୍ଦିଲି ଯାଏଁ ନିର୍ଦ୍ଧାରିତ ହୋଇଛି। ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ୬୨୭ କିମି ମଧ୍ୟରୁ ପ୍ରାୟ ୬୨୩ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଏହି ୬୨୭ କିଲୋମିଟର ମଧ୍ୟରୁ ଜାତୀୟ ରାଜପଥର ଲମ୍ବ ୧୭୦ କିଲୋମିଟର ରହିଛି। ସମ୍ବଲପୁରରୁ ସୋହେଲା ୮୦ କିଲୋମିଟର ଲମ୍ବ ୪ ଥାକିଆ ରାସ୍ତାର ନିର୍ମାଣ କାର୍ଯ୍ୟ ଏନଏଚଏଆଇ ଦ୍ୱାରା ସମ୍ପନ୍ନ ହୋଇଥିବା ବେଳେ ଅମ୍ପାନୀ-ବୋରିଗୁମ୍ମା-ଜୟପୁର ୯୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୨ ଥାକିଆ ରାସ୍ତାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଦ୍ୱାରା ନିର୍ମାଣ କରାଯାଇଛି। ସେହିପରି ରାଜ୍ୟ ରାଜପଥ ଅଧିନରେ ଆସୁଥିବା ପ୍ରାୟ ୪୫୭ କିଲୋମିଟର ରାସ୍ତା ମଧ୍ୟ ପାଖାପାଖି ଶେଷ ହୋଇଛି।

Leave A Reply

Your email address will not be published.