ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ରେଜଲ୍ଟ : ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସର ଚାଲିଛି ଅଙ୍କକଷା

ଭୁବନେଶ୍ୱର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତି ଫଳ ବିଜେଡି ପାଇଁ ଯେତିକି ଉତ୍ସାହ ଆଣିଛି, ବିରୋଧୀ ବିଜେପିକୁ ସେତିକି ନିରାଶ କରିଛି। ଏକପକ୍ଷରେ ବିଜେଡି ଅଭୂତପୂର୍ବ, ଅକଳ୍ପନୀୟ ବିଜୟପଥରେ ଅଗ୍ରସର ହେଉଥିବାବେଳେ ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଭୋଟରଙ୍କ ଦ୍ୱାରା ଭୟଙ୍କର ଭାବରେ ପ୍ରତ୍ୟାଖ୍ୟାତ ହୋଇଛନ୍ତି। ୨୦୧୭ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନକୁ ଉଠିଥିବା ବିଜେପି ପୁନର୍ବାର କଂଗ୍ରେସ ସ୍ତରକୁ ଖସିବାର ଆଶଙ୍କା ସୃଷ୍ଟି ହୋଇଛି।

ଶନିବାର ଗଣତିର ମୂଳରୁ ହିଁ ପ୍ରତ୍ୟେକ ରାଉଣ୍ଡରେ ବିଜେଡି ତା’ର ଏକତରଫା ବିଜୟ ପଥରେ ଆଗେଇ ଚାଲିଥିବା ବେଳେ ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ସାପ-ଶିଡ଼ି ଖେଳ ଚାଲିଥିଲା। କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ ବିଜେପି ଆଗକୁ ଚାଲିଯାଉଥିଲା। ଶେଷରେ ବିଜେପି ତୃତୀୟ ସ୍ଥାନକୁ ଖସିଯାଇଥିଲା। ବାକି ଦୁଇଟି ପର୍ଯ୍ୟାୟ ଗଣତି ପରେ କିଏ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ ସେ ନେଇ ଅଙ୍କକଷା ଚାଲିଛି। ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ କେହି ଯେ ରାଜ୍ୟର ବର୍ତ୍ତମାନର ସରକାରଙ୍କୁ ପ୍ରଭାବିତ କରିବାର ସାମାନ୍ୟତମ ଶକ୍ତି ରଖୁନାହାନ୍ତି ତାହା ଭୋଟରମାନେ ସୂଚାଇ ଦେଇଛନ୍ତି। ବିରୋଧୀଙ୍କଠାରୁ ରାଜନୈତିକ ବିଶ୍ଳେଷକ, ସମାଲୋଚକ ପର୍ଯ୍ୟନ୍ତ ପ୍ରଥମ ଦିନର ଫଳାଫଳକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଥିବାବେଳେ ନିରୁତା ବିକାଶ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରତିଟି ଓଡ଼ିଆର ଆଶୀର୍ବାଦ ଆମ ବିଜୟର ପ୍ରମୁଖ କାରଣ ବୋଲି ବିଜେଡି ମତବ୍ୟକ୍ତ କରିଛି।

୨୦୧୭ ନିର୍ବାଚନରେ ରାଜ୍ୟର ଏକ ପ୍ରମୁଖ ବିରୋଧୀ ଶକ୍ତି ଭାବେ ଉଭା ହୋଇଥିଲା ବିଜେପି। ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡିକୁ ସର୍ବାଧିକ ୪୭୬ଟି ଆସନ ମିଳିଥିବା ବେଳେ ବିଜେପିକୁ ଦ୍ୱିତୀୟ ସର୍ବାଧିକ ୨୯୭ଟି ଆସନ ମିଳିଥିଲା। କଂଗ୍ରେସକୁ ମାତ୍ର ୬୦ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଅପ୍ରତ୍ୟାଶିତ ବିଜୟ ସହ ବିଜେପି ୮ଟି ଜିଲ୍ଲାରେ ପରିଷଦ ଗଠନ କରିଥିଲା। କଂଗ୍ରେସକୁ ପଛକୁ ଠେଲି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ବିଜେପି ନେତାମାନେ ରାଜ୍ୟରେ କ୍ଷମତା ଦଖଲର ସ୍ୱପ୍ନ ଦେଖିଥିଲେ, ବିଜେଡି ସହ ମୁକାବିଲାର ଆହ୍ୱାନ ଦେଇଥିଲେ। ତେବେ ଏହି ସଫଳତା ବେଶିଦିନ ରହିନଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ପୁନଶ୍ଚ ବିପୁଳ ପରିିମାଣରେ ବିଜୟ ମିଳିଥିଲା। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଦଳ ପୂର୍ବପରି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ନେତା ୫୦୦ ଜିଲ୍ଲା ପରିଷଦ ହାତେଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ମାତ୍ର ଫଳାଫଳ ଘୋଷଣାର ପ୍ରଥମ ଦିନର ଟ୍ରେଣ୍ଡକୁ ଅନୁଶୀଳନ କଲେ ଏପ୍ରକାରର ଦମ୍ଭୋକ୍ତିକୁ ସମ୍ପୂର୍ଣ୍ଣ ଫିକା କରି ଦେଇଛି। ଦଳ ୫୦୦ କଣ ତିନି ଅଙ୍କର ସର୍ବନିମ୍ନ ସଂଖ୍ୟା ଛୁଇଁବକି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଲାଣି। ଏପରିକି ଫଳାଫଳକୁ ଦୃଷ୍ଟି ଦେଲେ ଉଭୟ ବିଜେପି ଓ କଂଗ୍ରେସ ପ୍ରାୟ ପାଖାପାଖି ସମାନ ଆସନରେ ଆଗୁଆ ଅଛନ୍ତି।

ଶେଷ ଖବର ସୁଦ୍ଧା ବିଜେପି ପ୍ରଥମ ଦିନର ଗଣତି ଅନୁଯାୟୀ ୩୧୫ ଆସନ ମଧ୍ୟରୁ ମାତ୍ର ୧୭ ଟିରେ ଆଗୁଆ ଥିବାବେଳେ କଂଗ୍ରେସ ୧୫ଟିରେ ଆଗୁଆ ରହିଛି। ଗତଥର କଂଗ୍ରେସଠାରୁ ୨୩୭ଟି ଅଧିକ ଆସନ ପାଇଥିବା ବିଜେପି ଏଥିର ନୈରାଶ୍ୟଜନକ ପ୍ରଦର୍ଶନ କରି କଂଗ୍ରେସ ସ୍ତରକୁ ଖସିଆସିବା ଦଳୀୟ ନେତାଙ୍କ ମନରେ ନିରାଶା ଭରି ଦେଇଛି। ଏବେ ବିଜେପି ନିଜକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କହିବାର ନୈତିକ ଅଧିକାର ହରେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି। ଗତଥର ପଶ୍ଚିମ ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ ମିଳିଥିବା ବେଳେ ଚଳିତ ଥର ପୂରା ପଶ୍ଚିମ ଓଡ଼ିଶାରେ ଦଳ ନିଶ୍ଚିହ୍ନ ହେବା ସ୍ଥିତିରେ ପହଞ୍ଚିଛି। ସୋନପୁର, ଦେବଗଡ଼଼, ନୂଆପଡ଼ା, ସୁନ୍ଦରଗଡ଼଼ ଏବଂ ଝାରସୁଗୁଡ଼ାରେ ଦଳ ଏଯାଏ ଖାତା ଖୋଲିପାରି ନାହିଁ। ପଶ୍ଚିମ ଓଡ଼ିଶାରେ ବିଜେପିର ୫ ସାଂସଦ, ସଂଖ୍ୟାଧିକ ବିଧାୟକ ଥିବା ସତ୍ତ୍ବେ ବିଜେପିକୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ ଏବଂ ବିଜେଡିକୁ ଆଶୀର୍ବାଦ ବର୍ତ୍ତମାନର ଚର୍ଚ୍ଚାର ବିଷୟ ପାଲଟିଛି। ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ୩ ନମ୍ବରରେ ଅଛି ଏବଂ ଆମେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ କହି ଦମ୍ଭ ଦେଖାଉଥିବା ବିଜେପି କଂଗ୍ରେସ ସ୍ତରକୁ ଖସିଆସିବା ଦଳର ଛାମୁଆ ନେତାଙ୍କୁ ଆଇନା ଦେଖାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Leave A Reply

Your email address will not be published.