ପଞ୍ଚାୟତ ନିର୍ବାଚନ: ରାଜ୍ୟରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ, ୧୩୧ ଜୋନ୍‌ରେ ନେତା ବାଛୁଛନ୍ତି ୪୧ ଲକ୍ଷ ଭୋଟର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି ଶେଷ ପର୍ଯ୍ୟାୟ ୩ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ୪ଟି ପର୍ଯ୍ୟାୟ ସୁଦ୍ଧା ମାତ୍ର ୫ଟି ଜିଲ୍ଲାରେ ନିର୍ବାଚନ ଶେଷ ହୋଇଛି ଓ ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୨୫ଟି ଜିଲ୍ଲାର ୧୩୧ଟି ଜୋନରେ ଆଜି ମତଦାନ ଚାଲିଛି। ମୋଟ ୮୫୩ ଜିଲ୍ଲା ପରିଷଦ ଜୋନ୍‍ ମଧ୍ୟରୁ ଏହି ୧୩୧ଟି ଉପରେ ସବୁ ରାଜନୈତିକ ଦଳର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଛି। ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶାସକ ବିଜେଡି ୨୦୧୭ ନିର୍ବାଚନର ଦୋଷତ୍ରୁଟିକୁ ସଂଶୋଧନ କରି ସମସ୍ତ ୩୦ ଜିଲ୍ଲାରେ ପରିଷଦ ଗଠନ କରିବ ବୋଲି ଦୃଢ଼ୋକ୍ତି ବାଢ଼ିଛି। ଦଳ ଅନ୍ୟୂନ ୭ଶହ ଜିଲ୍ଲା ପରିଷଦ ଆସନ ଦଖଲ କରିବ ବୋଲି ଦଳୀୟ ନେତାମାନେ ଆଶାବାଦୀ ଅଛନ୍ତି। ବିଜେପି ଗତଥରଠାରୁ ଅଧିକ ଆସନ ଜିତିବ ବୋଲି ଆଣ୍ଟ ବାନ୍ଧିଛି। ୨୦୧୭ରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ୬୦ ଆସନରେ ଅଟକିଥିବା କଂଗ୍ରେସ ଅନ୍ୟୂନ ଦୁଇଗୁଣ ଆସନ ଜିତିବାକୁ ଆଶା ରଖିଛି। ମାତ୍ର ସବୁ ଆଶା, ସବୁ ଦାବି, ସବୁ ଆଣ୍ଟ ୪ଟି ପର୍ଯ୍ୟାୟ ଭୋଟ ବାକ୍ସ ମଧ୍ୟରେ ବନ୍ଦୀ ହୋଇ ରହିଛି। ଏହି ସ୍ଥିତିରେ ଆସନ୍ତାକାଲିର ନିର୍ଣ୍ଣାୟକ ଲଢ଼େଇ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇ ରହିଛି।

୫ମ ତଥା ଶେଷ ପର୍ଯ୍ୟାୟରେ ୪୮ ବ୍ଲକ, ୧୩୧ ଜିଲ୍ଲା ପରିଷଦ ଜୋନ୍‍ ସହ ୯୭୫ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩,୫୧୪ଟି ବୁଥ୍‍ରେ ଭୋଟ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ ରାଜ୍ୟର ୪୧,୮୮,୩୮୨ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଶେଷ ପର୍ଯ୍ୟାୟ ନିର୍ବାଚନ ଯେପରି ସୁରୁଖୁରରେ ହେବ, ସେ ନେଇ ପୁଲିସ୍‍ ମୁଖ୍ୟ।।ଳୟ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ମତଦାନ ଗ୍ରହଣ କରାଯାଉଛି। ପ୍ରାୟ ଦଶନ୍ଧି ପରେ ଏହି ଅଞ୍ଚଳରେ ମତଦାନ ହେଉଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବା ନେଇ ସାରା ରାଜ୍ୟରେ ୨୫୮ ପ୍ଲାଟୁନ୍‍ ଫୋର୍ସ, ୧୧୪୮ ମୋବାଇଲ ପାଟ୍ରୋଲିଂ କାର୍ଯ୍ୟ କରୁଛନ୍ତି ।

ପୂର୍ବରୁ ୯୧,୦୯୩ ବୁଥ୍‍ ମଧ୍ୟରୁ ୭୮,୩୮୯ଟି ବୁଥରେ ନିର୍ବାଚନ ସରିଯାଇଛି। ପୂର୍ବରୁ ଝାରସୁଗୁଡ଼ା, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼଼ ଜିଲ୍ଲାରେ ନିର୍ବାଚନ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଛି। ଝାରସୁଗୁଡ଼ା, ବୌଦ୍ଧ, ଦେଓଗଡ଼଼, ବ୍ରହ୍ମପୁର, ଅନୁଗୁଳ, ୟୁପିଡି କଟକ ଏବଂ ଖୋର୍ଦ୍ଧା ପୁଲିସ୍‍ ଜିଲ୍ଲାରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ୩ଟି ପର୍ଯ୍ୟାୟରେ ରାଜ୍ୟର କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପରେ ଚତୁର୍ଥ ପର୍ଯ୍ୟାୟରେ ହିଂସା ବହୁ ପରିମାଣରେ ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ୧୦୩ ବ୍ୟକ୍ତିଙ୍କୁ ବିଶୃଙ୍ଖଳା ପାଇଁ ଯାଜପୁର ଜିଲ୍ଲାରୁ ଗିରଫ କରାଯାଇଛି। ଅନୁରୂପ ଭାବେ ଢେଙ୍କାନାଳ ଜିଲ୍ଲାରୁ ୧୦, ଜଗତସିଂହପୁରରୁ ୭, କେନ୍ଦ୍ରାପଡ଼ାରୁ ୩ ଏବଂ ପୁରୀ ଜିଲ୍ଲାରୁ ୨୪ ଜଣଙ୍କୁ ଗିରଫ କରାଯାଇଛି। ଭୋଟ ଗ୍ରହଣ ହୋଇସାରିଥିବା ବୁଥ୍‍ ଗୁଡ଼ିକର ବାଲଟ୍‍ ବକ୍ସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ ମୁଖ୍ୟାଳୟରେ ରଖାଯାଇଛି। ଯେଉଁଠି ବ୍ଲକ ମୁଖ୍ୟାଳୟରେ ପର୍ଯ୍ୟାପ୍ତ ସୁବିଧା ନାହିଁ, ସେଠାରେ ସ୍ଥାନୀୟ ଜିଲ୍ଲାପାଳ ଦ୍ୱାରା ଅନ୍ୟ ସ୍ଥାନରେ ମଧ୍ୟ ଗଣତି କେନ୍ଦ୍ର ସ୍ଥାପନ କରାଯାଇପାରିବ। ଏହି ସବୁ ସ୍ଥାନରେ ଗୁଡ଼ିକରେ ବ୍ୟାପକ ସିସିଟିଭି ବ୍ୟବସ୍ଥା କରାଯାଇଛି।

Leave a comment