ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଣପାହାଡ ଘେରା ଅଧିବାସୀଙ୍କ ଉଚ୍ଚ ଚିନ୍ତାଧାରା : ଭୋଟବର୍ଜନ ନୁହେଁ, ଜନପ୍ରତିନିଧି ବାଛିବା ଏବଂ ସରକାରୀ ଯୋଜନାର ଲାଭ ନେବା

ବଲାଙ୍ଗିର : ଗଣତନ୍ତ୍ରର ମହାପର୍ବ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସଂପନ୍ନ ହୋଇଛି।ଏହି ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଉପାନ୍ତ ପଞ୍ଚାୟତ ଗମ୍ଭାରୀଗୁଡାରେ ଉତ୍ସାହର ସହିତ ଭୋଟ ଦେଇଛନ୍ତି ଗ୍ରାମବାସୀ। ସମସ୍ୟା ସତ୍ୱେ କୈାଣସି ଅସନ୍ତୋଷ କିମ୍ବା ଭୋଟ ବର୍ଜନ ନିଷ୍ପତ୍ତି ନେବା ବଦଳରେ ସମସ୍ୟା ସମାଧାନର ଆଶା ନେଇ ନିଜ ଜନପ୍ରତିନିଧି ବାଛିଛନ୍ତି ଗମ୍ଭାରୀଗୁଡା ପଞ୍ଚାୟତବାସୀ। ରାସ୍ତା ନଥିଲା କି ପିଇବା ପାଣିର ବ୍ୟବସ୍ଥା ନଥିଲା। ପଞ୍ଚାୟତ ବି ୧୦ କିମି ଦୂରରେ ରହିଥିଲା। ତଥାପି ସରକାରଙ୍କ ଉପରେ ବିଶ୍ୱାସ ରଖି ପ୍ରତି ନିର୍ବାଚନରେ ସାମିଲ ହେଉଥିବାରୁ ସରକାରୀ ଯୋଜନାର ଲାଭ ମିଲିଥିବା କହିଛନ୍ତି ଏହି ଉପାନ୍ତବାସୀ।

ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଉପାନ୍ତ ପଞ୍ଚାୟତ ଗମ୍ଭାରୀଗୁଡା। ବଣ ପାହାଡ ଘେରା ଏହି ପଞ୍ଚାୟତରେ ଅନେକ ସମସ୍ୟା ରହିଛି । ସମସ୍ୟା ଓ ନିର୍ବାଚନ କଥା ପଡିଲେ ସମସ୍ତେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥାନ୍ତି । କିନ୍ତୁ ଏହି ପଞ୍ଚାୟତ ବାସୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ବଦଳରେ ଉତ୍ସାହର ସହିତ ଭୋଟ ଦେଇଛନ୍ତି। ଭୋଟ ବର୍ଜନ କରି କିଛି ଲାଭ ମିଲିବ ବୋଲି ଆଶା ନକରି ନିଜ ଜନପ୍ରତିନିଧି ବାଛିଛନ୍ତି ଏହି ପଞ୍ଚାୟତ ବାସୀ। ସୂଚନା ଅନୁସାରେ ବଲାଙ୍ଗିର, ବୈାଦ୍ଧ, କନ୍ଧମାଲ, କଲାହାଣ୍ଡି ଜିଲ୍ଲାର ସୀମା ଅଞ୍ଚଳରେ ରହିଛି ଗୁଡଭେଲା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ । ଗୋଟିଏ ପଟେ ବୈାଦ୍ଧ, ଗୋଟିଏ ପଟେ କଲାହାଣ୍ଡି, ଘାଟି ପାରି ହେଲେ କନ୍ଧମାଲ । ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ଥିବା ଏହି ପଞ୍ଚାୟତରେ ଯଦିଓ ବିକାଶର ସେତେଟା ଚିତ୍ର ଦେଖିବାକୁ ମିଲିନାହିଁ । ତଥାପି ଗତ କିଛି ବର୍ଷ ହେଲା ସରକାରୀ ଯୋଜନାର ଲାଭ ଲୋକେ ପାଉଥିବା କହିଛନ୍ତି।

ଗମ୍ଭାରୀଗୁଡା, ସିକେଲଦର, ଗଭାରସା, ବେଲଗାଁ, ଠେଲକୋଭେଲା, ରାସିଭଟା, ଧନପୁର, ଲାଟତରା, କନେରସିଂହା ରାଜସ୍ୱ ଗାଁକୁ ନେଇ ଗଠିତ ହୋଇଛି ଗମ୍ଭାରୀଗୁଡା ପଞ୍ଚାୟତ। ପୂର୍ବରୁ ଏହି ଗାଁ ଗୁଡିକ ଜାମୁଟ ପଞ୍ଚାୟତରେ ରହିଥିଲା। ଗଭାରସା ଗାଁ ଠାରୁ ଜାମୁଟ ପାଖାପାଖି ୧୦ ରୁ ୧୫ କିମି ରାସ୍ତା। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ପଞ୍ଚାୟତ ସଂପ୍ରସାରଣ ସମୟରେ ଏହି ୯ ଖଣ୍ଡ ଗାଁକୁ ମିଶାଇ ଗମ୍ଭାରୀଗୁଡା ପଞ୍ଚାୟତ ଗଠନ କରାଯାଇଥିଲା। ପଞ୍ଚାୟତ ଗଠନ ହେବା ପରେ ସ୍ଥାନୀୟ ଲୋକଙ୍କୁ ସହଜରେ ପିଡିଏସ ଚାଉଲ, ଭତ୍ତା ଟଙ୍କା ମିଲିପାରିଥିଲା। ସରକାରୀ ଟଙ୍କାରେ ରାସ୍ତାର କିଛି ଅଂଶ କଂକ୍ରିଟ ହୋଇପାରିଛି। ଗାଁକୁ ବିଦ୍ୟୁତ ପହଞ୍ଚିଥିବା ବେଳେ ପାନୀୟ ଜଳ ସମସ୍ୟାର କିଛିଟା ସମାଧାନ ହୋଇଥିବା ଗଭାରସା ଗାଁର ରଞ୍ଜିତ ନାଗ କହିଛନ୍ତି। ଏବେବି ସମସ୍ୟା ରହିଥିବା ବେଳେ ଧିରେ ଧିରେ ସରକାରୀ ଅଧିକାରୀ ମାନଙ୍କ ପ୍ରୟାସ ଯୋଗୁ ସମସ୍ୟାର ସମାଧାନ ହୋଇପାରୁଛି ବୋଲି କହିଛନ୍ତି। ଭୋଟ ବର୍ଜନ କୁ ନେଇ ଏହି ଗ୍ରାମବାସୀ ଭିନ୍ନ ଏକ ମତ ରଖିଛନ୍ତି । ଭୋଟ ବର୍ଜନ କରିବା ବଦଳରେ ଏହି ପଞ୍ଚାୟତବାସୀ ଭୋଟରେ ସାମିଲ ହୋଇ ନିଜ ଜନପ୍ରତିନିଧି ବାଛିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ କହି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ। ଫଳରେ କିଛି ବର୍ଷ ଭିତରେ ଅନେକ ସରକାରୀ କାମ ହୋଇଥିବା ସିକେଲପଦର ଗାଁର କାର୍ତ୍ତିକ ଭୂଏ କହିଛନ୍ତି।

ଆଦିବାସୀ ସଂପ୍ରଦାୟର ଲୋକେ ଏହି ଅଞ୍ଚଳରେ ଶତାଧିକ ବର୍ଷ ହେଲା ରହିଆସୁଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତର ଗଭାରସା, ସିକେଲପଦର, ବେଲଗାଁ, ଧନପୁରକୁ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଥିଲା। ଏହି ଅଞ୍ଚଳରେ ମାଓ ଗତିବଧି ରହିଥିବା ମଧ୍ୟ କୁହାଯାଉଥିଲା । କିନ୍ତୁ ପ୍ରଶାସନ ସୁରକ୍ଷିତ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ଗ୍ରାମବାସୀଙ୍କ ଆଚରଣ ବ୍ୟବହାରରେ ପୁଲିଂ ଟିମମାନେ ମଧ୍ୟ ଖୁସି ପ୍ରକାଶ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଉପାନ୍ତ ପଞ୍ଚାୟତରେ ୯୦ ରୁ ଉର୍ଦ୍ଧ ପ୍ରତିଶତ ଭୋଟହାର ରହିଛି । ଯାହାକି ଏକ ଉଦାହରଣ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.