ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଟିଏ ଜାଗାରେ ଲୋକଙ୍କୁ ମିଳିଲା ସମସ୍ତ ସୁବିଧା, ଜୟନଗର ପଞ୍ଚାୟତରେ ଅନୁଷ୍ଠିତ ହେଲା ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

ରାଜକନିକା : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ‘ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ’ ଜନାଦୃତ ହେବାରେ ଲାଗିଛି। ଜିଲ୍ଲା ତମାମ ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମରେ ଲୋକେ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଅବଗତ ହୋଇ ନିଜକୁ ସାମିଲ କରିପାରୁଛନ୍ତି। ଲୋକଙ୍କ ବିଭିନ୍ନ ସମସ୍ୟା ପ୍ରଶାସନ ଜାଣିବା ସହ ତାହାର ତ୍ୱରିତ ସମାଧାନ ଦିଗରେ ପ୍ରଶାସନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଲୋକ ପ୍ରଶାସନ ନିକଟକୁ ନୁହେଁ ବରଂ ପ୍ରଶାସନ ଲୋକଙ୍କ ନିକଟରେ ପହଞ୍ଚି ସମସ୍ୟା ଦୂର କରିବା ପାଇଁ  କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ଏପରି ଏକ ଅଭିନବ ପ୍ରୟାସ ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି।

ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପଞ୍ଚୟତମାନଙ୍କରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ଏହି କ୍ରମରେ ସୋମବାର ରାଜକନିକା ବ୍ଲକ ଜୟନଗର ପଞ୍ଚାୟତରେ ‘ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଜୟନଗର ହାଇସ୍କୁଲ ଖେଳ ପଡିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଏହି କାର୍ଯ୍ୟକ୍ରମ ସକାଳ ୭ ଟାରୁ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜକନିକା ବ୍ଲକ ଉନ୍ନୟନ ଅଧିକାରୀ ରବିନାରାୟଣ ଆଚାର୍ଯ୍ୟ ଓ ତହସିଲଦାର ପ୍ରେମାନନ୍ଦ ବେହେରା ଉଦଘାଟନ କରିଥିଲେ । ଏଥି ସହିତ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ଦାସ , ସମିତି ସଭ୍ୟା ଲକ୍ଷ୍ମୀପ୍ରୀୟା ଶତପଥୀ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ।

ଜୟନଗର ପଞ୍ଚାୟତରେ ଅନୁଷ୍ଠିତ ‘ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ’ରେ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ମାନେ ଗାଁରେ ପହଂଚି ଶିବିର ମାଧ୍ୟମରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବାସହ ଏହାର ସମାଧାନ ପାଇଁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକମ୍ରରେ ମୋଟ୍‌ ୧୯୨୭ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥି ମଧ୍ୟରୁ ପାନୀୟଜଳ ସମସ୍ୟା ନେଇ ୩୪୩ଟି, ରାସନକାର୍ଡ ନେଇ ୩୮୫ଟି ଏବଂ ଆବାସ ଯୋଜନା ନେଇ ୯୩୯ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏଥି ସହିତ ବ୍ଲକ ପ୍ରଶାସନର ବିଭିନ୍ନ ବିଭାଗ ରାଜସ୍ୱବିଭାଗ, ମତ୍ସ ଓ ପଶୁସମ୍ପଦ ବିଭାଗ, ସ୍ୱାସ୍ଥ୍ୟବିଭାଗ, ସମନିତ୍ୱ ଶିଶୁ ବିକାଶ, ମିଶନଶକ୍ତି ବିଭାଗ, ଉଦ୍ୟନ କୃଷି ଓ ଯୋଗାଣ ବିଭାଗ ପ୍ରମୁଖ ଏଠାରେ କ୍ୟାମ୍ପ କରି ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଗୁଡିକ ମଧ୍ୟରୁ କେତେକ ଅଭିଯୋଗ ତ୍ୱରିତ୍ୱ ଫଇସାଲା ହେବାସହିତ କିଛି ମାମଲା ତଦନ୍ତ ସାପେକ୍ଷ ଥିବା ଜଣାପଡିଥିଲା। ଯାହାକୁ ପ୍ରଶାସନ ଗରୁତର ସହ ନେବା ସହ ଖୁବ୍‌ ଶିଘ୍ର ସେହି ସମସ୍ୟାର ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।ଏଥି ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଟିକା କରଣ କରା ଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୟନଗର ପଞ୍ଚାୟତର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା ।

 

ସୂଚନାଯୋଗ୍ୟ ଗାଁ ଗଣ୍ଡାର ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଏହା ଏକ ନିଆରା ପ୍ରୟାସ । କେନ୍ଦ୍ରାପଡା ଜିଲ୍ଲାରେ ନୂଆ କରି ଜିଲ୍ଲା ପ୍ରଶାସନ ଏମିତି ଏକ ଉଦ୍ୟମ କରିଛି। ଏଣିକି ଗାଁର ଲୋକମାନଙ୍କୁ କାମ ଧନ୍ଦା ଛାଡି ନିଜ ସମସ୍ୟାର ସମାଧାନ ପାଇଁ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଢୁନାହିଁ ବରଂ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିୁଛି। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ତଥା ବ୍ଲକ ସ୍ତରର ସମସ୍ତ କାର୍ଯ୍ୟାଳୟ ସାମିଲ ହୋଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀମାନେ ଲୋକମାନଙ୍କ ଠାରୁ ସିଧା ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି। କେବଳ ଲୋକମାନଙ୍କ ସମସ୍ୟାର ସମାଧାନ ନୁହେ ବରଂ ବିଭିନ୍ନ ପ୍ରସଙ୍ଗରେ ଲୋକମାନଙ୍କୁ ସଚେତନ କରିବା କାର୍ଯ୍ୟ ମଧ୍ୟ କରାଯାଉଛି। ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟ କ୍ରମରେ ୧୯ଟି ବିଭାଗ ସାମିଲ ହୋଇଥିଲେ। ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ୭ରୁ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ପ୍ରତି ସୋମବାର ଦିନ ବିଭିନ୍ନ ପଞ୍ଚାୟତରେ ପର୍ଯ୍ୟାୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିରେ ସ୍ୱାସ୍ଥ୍ୟ ଶିବିର, ପ୍ରାଣୀ ଚିକିତ୍ସା ଶିବିର, ଶ୍ରମିକ କାର୍ଡ, ବ୍ୟାଙ୍କ ଋଣ, ଚାଷ ସମ୍ପର୍କୀୟ ସହାୟତା, ପାନୀୟ ଜଳ, ଭତ୍ତା, ଘର ସମସ୍ୟା ପ୍ରଭୁତିର ତୁରନ୍ତ ସମାଧାନ କରାଯାଉଛି। ପ୍ରଶାସନର ଏହି ପଦକ୍ଷେପ ସାଧାରଣ ଲୋକମାନଙ୍କ ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି। ନିଜର କୌଣସି ଅଭିଯୋଗ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଥିବା ସାଧାରଣ ଗ୍ରାମବାସୀମାନଙ୍କୁ ଆଉ ସମୟ ନଷ୍ଟ କରିବା ପାଇଁ ପଡୁନାହିଁ।

Leave A Reply

Your email address will not be published.