ଚାଇନା ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣା : ୧୧.୬ ନିୟୁତ ଡଲାର ତଣ୍ଡ ଗଣିଲା ପାକିସ୍ତାନ

ନୂଆଦିଲ୍ଲୀ :  ପାକିସ୍ତାନରେ ଚାଇନା ଅଧିକାରୀଙ୍କ ଉପରେ ଆକ୍ରମଣ ଏବଂ ଏହି ଘଟଣାରେ ୧୦ ଜଣ ଚାଇନା ନାଗରିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଏଥିପାଇଁ ପାକିସ୍ତାନକୁ ବିପୁଳ ପରିମାଣର ତଣ୍ଡ ଗଣିବାକୁ ପଡ଼ିଛି। ୨୦୨୧, ଜୁଲାଇ ୧୪ ତାରିଖରେ ପାକିସ୍ତାନରେ ଦାସୁ ଡ୍ୟାମ ପ୍ରକଳ୍ପ କାର୍ଯ୍ୟରେ କିଛି ଚାଇନା ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୧୦ ଜଣ ଚାଇନା ଅଧିକାରୀଙ୍କ ମୃତ୍ୟୁ ହେବା ସହିତ କିଛି କର୍ମଚାରୀ ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ ଚୀନ୍‌ ପାକିସ୍ତାନକୁ ତାଗିଦ କରିବା ସହିତ ମୃତକଙ୍କ ପାଇଁ କ୍ଷତିପୂରଣ ସ୍ବରୂପ ୩୮ ନିୟୁତ ଡଲାର ବା ପାକିସ୍ତାନୀ ମୁଦ୍ରାରେ ୬୭୧ କୋଟି ଟଙ୍କା ଦାବି କରିଥିଲା। ତେବେ ପାକିସ୍ତାନ ଚୀନ୍‌ ସହ ବୁଝାମଣା କରି ଏହାର ଅଧା ଅର୍ଥ ଦେବାକୁ ଅନୁରୋଧ କରିଥିଲା। ଗତକାଲି ଏ ସମ୍ପର୍କରେ ପାକିସ୍ତାନ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ଚୀନ୍‌କୁ ୧୧.୬ ନିୟୁତ ଡଲାର ଦିଆଯାଇଛି। ଗୋଟିଏ ପକ୍ଷରେ ଦାରିଦ୍ର୍ୟ କଷାଘାତରେ ଉବୁଟୁବୁ ପାକିସ୍ତାନ କେବଳ ଚୀନ୍‌ ଠାରୁ ହିଁ ଋଣ ଆଣିବାକୁ ସକ୍ଷମ ହୋଇଥିବା ବେଳେ ସେହି ରାଷ୍ଟ୍ରକୁ ଏହି ପରିମାଣର ତଣ୍ଡ ଗଣି ହରଡ଼ଘଣାରେ ପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଦାସୁ ଘଟଣା ପାଇଁ ପ୍ରଥମେ ପାକିସ୍ତାନ ଭାରତ ଉପରେ ଦୋଷ ଲଦିଥିଲା। ଭାରତ ଷଡ଼ଯନ୍ତ୍ର କରି ପାକିସ୍ତାନରେ ଏଭଳି କାଣ୍ଡ ଭିଆଇଛି ବୋଲି ପ୍ରଳାପ କରିଥିଲା। ହେଲେ ଏବେ ଚୀନ୍‌କୁ ତଣ୍ଡ ଗଣି ନିଜର ଦୋଷ ସ୍ବୀକାର କରିବାକୁ ବାଧ୍ୟ ହୋଇଛି।

Leave a comment