ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଓକେ ଓ ଗିଲଗିଟ-ବଲ୍ଟିସ୍ତାନକୁ ନେଇ ଭୟଭୀତ ପାକିସ୍ତାନ, ଭାରତର ଆଭିମୁଖ୍ୟ ଜାଣିବାପରେ ଆପଣେଇଛି ଡିଫେନ୍ସିଭ୍ ମୋଡ୍‌

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଦଖଲ କରିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ପିଓକେ ଦଖଲ ହେଉ କି ଆଉ ଯାହା ବି କିଛି ମିଶନ ହେଉ, ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି। ଭାରତ ସରକାର ଯାହା ବି ନିର୍ଦ୍ଦେଶ ଦେବେ, ସେନା ଯବାନମାନେ ତାକୁ କାର୍ୟ୍ୟକାରୀ କରିବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।

ଗତକାଲି ସାମ୍ବାଦିକମାନେ ତାଙ୍କୁ ପିଓକେ ଦଖଲ ପ୍ରସଙ୍ଗ ଏବଂ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ବୟାନରେ ପିଓକେକୁ ଫେରାଇ ଆଣିବା ନେଇ ଯେଉଁ କଥା କହିଥିଲେ, ତାହା ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଥିଲେ ଯେ ଭାରତ ସରକାର ଯାହା ଆଦେଶ ଦେବେ ତାକୁ ପୂରା କରିବା ପାଇଁ ଭାରତୀୟ ସେନା ସକ୍ଷମ। ଭାରତ ସରକାରଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ।ସଂପ୍ରତି ଭାରତ ବହୁ ମାତ୍ରାରେ ସୀମାପାର ଆତଙ୍କବାଦକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛି। ଧାରା ୩୭୦ ଉଚ୍ଛେଦ ପରଠୁ ଜାମ୍ମୁ-କାଶ୍ମୀରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ରାଜ୍ୟରେ ଆତଙ୍କବାଦ କାର୍ୟ୍ୟକଳାପ ଉପରେ ଲଗାମ ଲାଗି ପାରିଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର କହିଛନ୍ତି।

ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ବଡ ବୟାନ ଦେଇ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ କହିଛନ୍ତି ପିଓକେ ବିଷୟରେ ସଂସଦରେ ପ୍ରସ୍ତାବ ଗୃହୀତ ହୋଇ ସାରିଛି। ଏଥିରେ କୌଣସି ନୂତନ କଥା ନାହିଁ। ଭାରତୀୟ ସେନା ସର୍ବଦା ସରକାରଙ୍କ ଆଦେଶର ପାଳନ ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିଛି। ସରକାର ଯେବେ ବି ଆଦେଶ ଦେବେ ସେନା ନିଜର ପୂରା ପ୍ରସ୍ତୁତି ସହ ଆଗକୁ ବଢିବ। ଏହାପୂର୍ବରୁ ଚିନାର କପର୍ସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏଡିଏସ ଔଜଲା କହିଥିଲେ, ପିଓକେ ଦଖଲ ପାଇଁ ଭାରତୀୟ ସେନା ସର୍ବଦା ପ୍ରସ୍ତୁତ। ଥରୁଟିଏ ପିଓକେ ହାସଲ କରିବାର ଆଦେଶ ମିଳିଗଲେ ସେନା ଆଉ ପଛକୁ ହଟିବେ ନାହିଁ।

ଅନ୍ୟପଟେ ପାକ୍-ଅଧିକୃତ କାଶ୍ମୀର (ପିଓକେ) ଓ ଗିଲଗିଟ-ବଲ୍ଟିସ୍ତାନ (ଜିବି)କୁ ପୁନର୍ଦଖଲ କରିବା ପାଇଁ ଭାରତ ସରକାରଙ୍କ ଆଭିମୁଖ୍ୟ ଜାଣିବା ପରେ ଭୟଭୀତ ପାକିସ୍ତାନ ଡିଫେନ୍ସିଭ୍ ମୋଡ୍‌ ଆପଣେଇଛି।ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗରରେ କହିଥିଲେ ଯେ ପିଓକେ ଓ ଜିବି ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଭାରତ ଏହାକୁ ନିଶ୍ଚୟ ପୁନର୍ଦଖଲ କରିବ। ରାଜନାଥଙ୍କ ଏହି ଭାଷଣରେ ପାକିସ୍ତାନ ଏକ ଝଟ୍‌କା ଅନୁଭବ କରିଥିବା ବେଳେ ପିଓକେ-ଜିବି ବାସିନ୍ଦାଙ୍କ ମନରେ ପାକିସ୍ତାନର ଦାସତ୍ବରୁ ମୁକ୍ତିର ଆଶା ଉଙ୍କିମାରିଛି। ରାଜନାଥ କହିଥିଲେ ଯେ, ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟ (ଜେକେୟୁଟି)ର ବିକାଶ ସେତେବେଳେ ସମ୍ପୂର୍ଣ୍ଣ ହେବ ଯେତେବେଳେ ଗିଲଗିଟ୍-ବଲ୍ଟିସ୍ତାନ ଓ ପିଓକେ ଭାରତ ସହ ମିଶିବ।

୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭାଷଣରେ ଗିଲଗିଟ କଥା ଉଠାଇଥିଲେ ଏବଂ ଏହାପରେ ଗିଲଗିଟବାସୀ ତାଙ୍କ ଅଧିକାର ପ୍ରସଙ୍ଗ ଉଠାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ୨୦୧୬ ଅଗଷ୍ଟ ୧୨ରେ ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀରରେ ଏକ ସର୍ବଦଳୀୟ ବୈଠକରେ କହିଥିଲେ ଯେ ପିଓକେ ଓ ବେଲୁଚିସ୍ତାନରେ ପାକିସ୍ତାନ ଲୋକଙ୍କୁ ନିର୍ୟାତନା ଦେଉଛି। ୨୦୧୯ ଅଗଷ୍ଟରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରାଗଲା। ଏହାପରେ ଭାରତ ବାରମ୍ବାର ପିଓକେ-ଜିବି ପ୍ରସଙ୍ଗ ଉଠାଇବା ଓ ଏହାକୁ ପୁନର୍ଦଖଲ କଥା କହିବା ପାକିସ୍ତାନ ମନରେ ଭୀତି ସଂଚାର କରିଛି। ସର୍ଜିକାଲ ଷ୍ଟ୍ରାଇକ୍ ପରି ଭାରତ କେତେବେଳେ ଆକ୍ରମଣ କରି ଏହାକୁ ନିଜ ଦଖଲକୁ ନେଇପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି।

ସୂଚନାଯୋଗ୍ୟ, ଶୌର୍ଯ୍ୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ-କାଶ୍ମୀରରୁ ପାକିସ୍ତାନକୁ ଚ୍ୟାଲେଞ୍ଜ ଦେଇଥିଲେ। ସେ କହିଥିଲେ, ପାକିସ୍ତାନକୁ ପିଓକେ ପାଇଁ ବହୁ ମୂଲ୍ୟ ଦେବାକୁ ପଡିବ। ପାକିସ୍ତାନ କବଜା କରିଥିବା କାଶ୍ମୀରରେ ଲୋକଙ୍କ ଅତ୍ୟାଚାର କରୁଛି। ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ। ଆମେ କାଶ୍ମୀରରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଦେଇଛୁ। ମାତ୍ର ଆମେ ସେ ପର୍ଯ୍ୟନ୍ତ ଅଟକିବୁ ନାହିଁ ଯେ ପର୍ଯ୍ୟନ୍ତ ଆମେ ଗିଲଗିଟ୍ ବଲ୍ଟିସ୍ତାନ ନ ପହଞ୍ଚି ଯାଇଛୁ।

Leave A Reply

Your email address will not be published.