ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଣିକି ସାଟେଲାଇଟ୍ କରିବ ଧାନକ୍ଷେତ ଚିହ୍ନଟ, ସମ୍ପୂର୍ଣ୍ଣ ଦଲାଲ ମୁକ୍ତ ହେବ ଧାନ ସଂଗ୍ରହ

ଭୁବନେଶ୍ୱର: ଦଲାଲମୁକ୍ତ ହେବ ଧାନ କିଣା ବ୍ୟବସ୍ଥା । ଆଇଭିଆର୍‌ଏସ୍-‌ ୧୯୬୭ରେ ଯୋଡ଼ି ହେଲା ନୂଆ ବ୍ୟବସ୍ଥା । ସେହିପରି ସାଟେଲାଇଟ୍‌ ମ୍ୟାପିଂ ଜରିଆରେ ଚିହ୍ନଟ ହେବ ଚାଷୀଙ୍କ ଧାନକ୍ଷେତ । ମ୍ୟାପିଂରେ ଜାଲ୍‌ ପଞ୍ଜୀକୃତ ୬୮ ହଜାର ପ୍ଲଟ୍‌ ଧରା ପଡ଼ିଛି । ଏଣିକି ଟୋକନ୍‌ ଅବଧି ୧୫ ଦିନ ବଦଳରେ ୧ ମାସକୁ ବୃଦ୍ଧି କରାଯାଇଛି । କର୍ମଚାରୀ କି ଅଧିକାରୀ ଚାଷୀଙ୍କୁ ଠକିଲେ ବା ବେନିୟମ କାମ କଲେ ଆଉ ନିସ୍ତାର ପାଇବେନି ।

ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ନବୀନ ସରକାର । ଶତ ପ୍ରତିଶତ ଦଲାଲ ମୁକ୍ତ ହେବ ଧାନ ସଂଗ୍ରହ, ଆସିବ ପୂର୍ଣ୍ଣ ସ୍ୱଚ୍ଛତା । ଚାଷୀଙ୍କୁ ଠକିଲେ କି ବେନିୟମ କାମ କଲେ ନିସ୍ତାର ପାଇବେନି ଅଧିକାରୀ । ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ୧୯୬୭- ଆଇଭିଆର୍‌ଏସ୍‌ ବ୍ୟବସ୍ଥାରେ ୩ଟି ନୂଆ ବ୍ୟବସ୍ଥା ଯୋଡ଼ାଯିବା ଅବସରରେ ଏହି ଚେତାବନୀ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୂର୍ବରୁ ଚାଷୀ ନିଜ ପଞ୍ଜୀକୃତ ଫୋନରୁ ଆଇଭିଆର୍‌ଏସ୍‌ ୧୯୬୭ର ୧, ୨, ୩, ୪କୁ ଡାଏଲ କରି କେବଳ ଅଭିଯୋଗ କରିପାରୁଥିଲେ । ଟୋକନ୍‌ ନେଇ ସୂଚନା ପାଉଥିଲେ ।

ଏଣିକି ୫, ୬ ଓ ୭ ଦବାଇଲେ ପଞ୍ଜୀକୃତ ଜମିର ବିବରଣୀ, ଧାନ ସଂଗ୍ରହ ପରିମାଣ ଓ ପ୍ରାପ୍ୟ ଅର୍ଥ ନେଇ ସୂଚନା ପାଇବେ । ଧାନଜମିର ଚିହ୍ନଟ ସାଟେଲାଇଟ୍‌ ଜରିଆରେ ହୋଇପାରିବ । ଏଥିପାଇଁ ଓରସାକ୍ ସହାୟତା କରୁଛି । ଚାଷୀଙ୍କ ଅଭିଯୋଗ ସମାଧାନ ପାଇଁ କଲ୍‌ ସେଣ୍ଟର ସଂଖ୍ୟା ୧୦ରୁ ୩୦ କରାଯାଇଛି । ପଞ୍ଜୀକୃତ ଚାଷୀଙ୍କ ଦେହାନ୍ତ ହେଲେ ତାଙ୍କ ଉତ୍ତରାଧିକାରୀ ଯେପରି ଅସୁବିଧାରେ ନପଡ଼ିବେ, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ।

ଚଳିତବର୍ଷ ଚାଷୀ ପଞ୍ଜିକରଣରେ ଶତ ପ୍ରତିଶତ ସ୍ୱଚ୍ଛତା ପାଇଁ ସାଟେଲାଇଟ୍‌ ଚିତ୍ର ବ୍ୟବହାର କରାଯାଇଛି । ଦଲାଲମାନେ ଅନ୍ୟ ଫସଲ ଓ ବାଳୁଙ୍ଗା କିଆରିକୁ ଧାନ ଜମି‌ ଦେଖାଇ ପଞ୍ଜିକୃତ କରିଦେଉଥିଲେ । ସାଟେଲାଇଟ୍‌ ଯାଞ୍ଚ ପରେ ଏବେ ସୁଦ୍ଧା ୬୮ ହଜାର ଅଣଧାନ ପ୍ଲଟକୁ ବାଦ ଦିଆଯାଇଛି । ପୂର୍ବରୁ ଟୋକନ ପ୍ରଦାନ ପରେ ଧାନ ସଂଗ୍ରହ ଅବଧି ୧୫ ଦିନ ଥିଲା । ଖରିଫ ଋତୁ ପାଇଁ ଟୋକନ୍‌ ଅବଧି ୧ ମାସ କରାଯାଇଛି । ଏପରି ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚଳିତବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ୧୫ ଲକ୍ଷ ୦୭୪ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଯାହାକି ଗତବର୍ଷଠାରୁ ୫ ପ୍ରତିଶତ ଅଧିକ ।

Leave A Reply

Your email address will not be published.