ଦିଶା ଦେଖାଇଛି ‘ମୋ ସ୍କୁଲ୍‍’ : ସବୁକ୍ଷେତ୍ରରେ ଆଗୁଆ ହେବେ ଓଡ଼ିଆ ପିଲା

ଭୁବନେଶ୍ୱର : ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ବାବଦରେ ଜାଣନ୍ତୁ। ବଡ ବଡ ସପ୍ନ ଦେଖନ୍ତୁ ଓ ଜୀବନର ସବୁ ଆହ୍ୱାନକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍ୱପ୍ନ ଏବେ ବାସ୍ତବ ରୂପ ନେଇଛି। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଘରୋଇ ସ୍କୁଲର ଭ୍ରମ ସୃଷ୍ଟି କରିବା ସହିତ ଉଭୟ ଶୈକ୍ଷିକ ଭିତ୍ତିଭୂମିକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଛି। ଏ କ୍ଷେତ୍ରରେ ମୋ ସ୍କୁଲ ଏବଂ ୫-ଟି ହାଇସ୍କୁଲ ରୂପାନ୍ତରଣ ଗୁରୁଦାୟିତ୍ୱ ବହନ କରିଛି। ମୋ ସ୍କୁଲ ଓ ରାଜ୍ୟ ସରକାରଙ୍କ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ।

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦିଆଯିବା ଲାଗି ପ୍ରସ୍ତୁତ ହୋଇଛି ସୁଦୃଢ଼ ଭିତ୍ତିଭୂମି। ତେବେ ସ୍କୁଲ ରୂପାନ୍ତରଣକୁ ବାସ୍ତବ ରୂପରେଖ ଦେବାରେ ‘୫-ଟି’ ସଚିବ ଭିକେ ପାଣ୍ଡିଆନ ଗୁରୁଦାୟିତ୍ୱ ବହନ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟର ରୂପାନ୍ତରଣ କାର୍ଯ୍ୟକ୍ରମରେ ସ୍କୁଲ ବିକାଶ ସହ ଜଡିତ ଥିବା ୯ହଜାର ବ୍ୟକ୍ତି ବିଶେଷଙ୍କ ସହ ୭ହଜାର ମିନିଟ୍‍ ଭିଡିଓ କନଫରେନସିଂ କରି ୫-ଟି ସଚିବ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ସହ ନିଜେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ରୂପାନ୍ତରଣ ସ୍ଥିତି ପରଖିଛନ୍ତି। ଏହାର ସମୀକ୍ଷା ମଧ୍ୟ ସେ ନିଜେ ନିୟମିତ କରିଛନ୍ତି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ରୁ ୫୦ ସ୍କୁଲକୁ ଲୋକାର୍ପିତ କରିଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ରୂପାନ୍ତରିତ ସ୍କୁଲଗୁଡ଼ିକୁ ଲୋକାର୍ପଣ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ବିଦ୍ୟାଳୟର ରୂପାନ୍ତରଣ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୨୬ଟି ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରୟା ଚାଲିଛି। ଆସନ୍ତା ଦେଢବର୍ଷ ମଧ୍ୟରେ ସମସ୍ତ ସରକାରୀ ସ୍କୁଲକୁ ରୂପାନ୍ତରିତ କରିବା ଲକ୍ଷ୍ୟ ରହିଛି। ସରକାରଙ୍କ ଏହି ପ୍ରୟାସ ଦ୍ୱାରା ସହର ଏବଂ ଗାଁ ସ୍କୁଲଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ଦୂର ହୋଇଛି। ସ୍କୁଲରେ ସ୍ମାର୍ଟ କ୍ଳାସ ରୁମ୍‍, ଇ-ଲାଇବ୍ରେରୀ, କମ୍ପ୍ୟୁଟର୍‍ ଲ୍ୟାବ୍‍ ଆଧୁନିକ ପରୀକ୍ଷାଗାରର ସୁବିଧା ମିଳୁଛି। ମୋ ସ୍କୁଲ କାର୍ଯ୍ୟକ୍ରମରେ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସାମିଲ ହୋଇଛନ୍ତି।

Leave a comment