ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ ଦିଗଦର୍ଶନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରଆରେ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇ ନବନିଯୁକ୍ତି ଅଧିକାରୀଙ୍କୁ ଦିଗର୍ଶନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକାରୀମାନେ ନିଜ ପଦର କାର୍ଯ୍ଯର ସୂଚାରୁରୂପେ ସମ୍ପାଦନ କରି ଲୋକଙ୍କୁ ଉତ୍ସାହିତ କରି ମତ୍ସ୍ୟଚାଷ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ । ଏଥିସହ ଲୋକମାନଙ୍କ ଉପାର୍ଜନ ବଢ଼ାଇବାରେ ମଧ୍ୟ ସହଯୋଗ କରିବା ଆବଶ୍ୟକ । ବର୍ତ୍ତମାନ ଓଡ଼ିଶା ଦେଶରେ ମତ୍ସ୍ୟ ଉତ୍ପାଦନରେ ୪ର୍ଥ ସ୍ଥାନରେ ରହିଛି । ତେଣୁ ନବନିଯୁକ୍ତ ଅଧିକାରୀମାନେ ମିଶନ ମୋଡରେ କାର୍ଯ୍ଯ କରି ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ୪ର୍ଥ ସ୍ଥାନରୁ ପ୍ରଥମ ସ୍ଥାନକୁ ନେବା ପାଇଁ କାର୍ଯ୍ଯ କରିବା ଦରକାର । ୫ଟି ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ, ୫-ଟି ଆସିବା ଦ୍ୱାରା ସରକାରୀ କାର୍ଯ୍ଯକ୍ଷେତ୍ରରେ ସ୍ୱଚ୍ଛତା ଆସିଛି । ଜ୍ଞାନକୌଶଳ ମାଧ୍ୟମରେ ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚାଇବାରେ ଏହା ସହାୟତା ହେବ ।

ତେଣୁ ୫-ଟିର ସିଦ୍ଧାନ୍ତକୁ ଅନୁସରଣ କରି ସଚ୍ଚୋଟତାର ସହ କାର୍ଯ୍ଯକରନ୍ତୁ। ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ, ଗତ ଦୁଇ ଦଶନ୍ଧିରେ ରାଜ୍ୟ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଗତ ଆର୍ଥିକ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଏହି ଦୁଇ ଦଶନ୍ଧିରେ ରାଜ୍ୟରେ ସିଫୁଡ ରପ୍ତାନୀ ୧୨ ଗୁଣା ବଢ଼ିଛି । ଏହି ଅବସରରେ ୫-ଟି ସଚିବ ଭିକେ ପାଣ୍ଡିଆନ ‘ମୋ ସରକାର’ର ଜନାଦେଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଲୋକମାନଙ୍କଠାରୁ ମତାମତ ଗ୍ରହଣ କରି ଏହା ଉପରେ କାର୍ଯ୍ଯ କରିବା ଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା ଓ ବିଶ୍ୱାସ ବଢ଼ିବ ।

ଯୁବ ଅଧିକାରୀମାନେ ରାଜ୍ୟର ଭିଜନକୁ ପୂରଣ କରିବା ପାଇଁ କଠନ ପରିଶ୍ରମ କରନ୍ତୁ ବୋଲି ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଏହି ଦିଗଦର୍ଶନ କାର୍ୟ୍ୟକ୍ରମରେ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ସୁରେଶ ବଶିଷ୍ଟ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment