ବିରୋଧୀ ଦଳ ନେତା ନିଜ ସୀମା ଭିତରେ ରହି କାମ କରିବା ଦରକାର : ବିଜୟ ମହାପାତ୍ର

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଜଣେ କାର୍ଯ୍ୟରତ ମହିଳା ଆଇଆଇସିଙ୍କୁ ମାଡ ମାରିବା ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ସଙ୍ଗଠନ ଠୁ ଆରମ୍ଭ କରି ସାଧାରଣ ଜନତା ଜୟନାରାୟଣଙ୍କୁ ସମାଲୋଚନା କରୁଛନ୍ତି। ସମ୍ବଲପୁରଠୁ ଆରମ୍ଭ କରି ଭୁବନେଶ୍ବର ସବୁଠି ଜୟନାରାୟଣଙ୍କୁ ନେଇ ଅସନ୍ତୋଷ ଦେଖାଦେଇଛି। ତେବେ ଏସବୁ ମଧ୍ୟରେ ଜୟନାରାୟଣ ପୂର୍ବତନ ବିରୋଧୀ ଦଳ ନେତା ମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ପୁଣି ସମାଲୋଚିତ ହୋଇଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଜୟନାରାୟଣଙ୍କ ଉପରେ ବର୍ଷିଛନ୍ତି।

ବିଜୟ କହିଛନ୍ତି, ‘ବିରୋଧୀ ଦଳ ନେତା ପଦ ଏକ ମର୍ଯ୍ୟାଦାଜନକ ଓ ସାମ୍ବିଧାନିକ ପଦବୀ । ଏହାର ମର୍ୟ୍ୟାଦା ରକ୍ଷା କରିବା ବିରୋଧୀ ଦଳ ନେତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ଜୟନାରାୟଣ ମିଶ୍ରଙ୍କ ଅହଙ୍କାର ଗ୍ରହଣୀୟ ନୁହେଁ । ବିରୋଧୀ ଦଳ ନେତା ନିଜ ସୀମା ଭିତରେ ରହି କାମ କରିବା ଦରକାର ।’

ସେହିପରି ବିରୋଧୀ ଦଳ ନେତା ମ୍ୟାନେଜ ହେଉଥିବା ନେଇ ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ବିଜୟ । କହିଛନ୍ତି, ‘ଅତୀତରେ ବିରୋଧୀ ଦଳ ନେତାମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ବିଶ୍ୱାସ ଭାଜନ ହୋଇଛନ୍ତି । ସେମାନଙ୍କ ସମ୍ପର୍କରେ ଏଭଳି ଟିପ୍ପଣୀ ଦେବା ଆଦୌ ଉଚିତ ନୁହେଁ ।’

ସୂଚନାଯୋଗ୍ୟ ଜୟନାରାୟଣ ଗତକାଲି କହିଥିଲେ ପୂର୍ବରୁ ବିରୋଧୀ ଦଳ ନେତାମାନେ ଶାସକ ଦଳ ଦ୍ୱାରା ପରିଚାଳିତ(ମ୍ୟାନେଜ) ହେଉଥିଲେ। ବିଶେଷକରି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପରେ ବିରୋଧୀ ଦଳ ନେତାଙ୍କୁ ହିଁ ସର୍ବାଧିକ ସମ୍ମାନ ଏବଂ ଅଗ୍ରାଧିକାର ମିଳିଥାଏ। ସରକାରଙ୍କୁ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବା ଏବଂ ଉଚିତ୍‌‌ ପରାମର୍ଶ ଦେବାରେ ବିରୋଧୀ ଦଳ ନେତାଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ଜୟ ନାରାୟଣ ନିଜ ପଦମର୍ଯ୍ୟାଦାକୁ ତ କ୍ଷୁର୍ଣ୍ଣ କରିଛନ୍ତି; ଏହା ସହ ଏହି ପଦରେ ପୂର୍ବରୁ ଅବସ୍ଥାପିତ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ବିରୋଧରେ କିପରି ଦାୟିତ୍ୱହୀନ ମନ୍ତବ୍ୟ ଦେଇପାରିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ କଂଗ୍ରେସ ସମେତ ବହୁ ରାଜନୈତିକ ବିଶେଷଜ୍ଞ ଜୟ ନାରାୟଣଙ୍କ ଏପରି ମନ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି; ଏପରିକି ଜୟନାରାୟଣ ନିଜ ଦଳର ପୂର୍ବତନ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ଉପନେତା ସ୍ୱର୍ଗତ ବିଷ୍ଣୁଚରଣ ସେଠୀ ଏବଂ ବର୍ତ୍ତମାନର ସରକାରୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନୈତିକତା ଉପରେ ପ୍ରଶ୍ନଚିହ୍ନ ଲଗାଇଥିବା ସାଧାରଣରେ ଆଲୋଚନା ହେଉଛି। ଏପଟେ ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି କରିବା ସହ ବିରୋଧୀ ଦଳ ନେତା ପରି ସାମ୍ବିଧାନିକ ପଦକୁ ବାରମ୍ବାର ଅପମାନିତ କରୁଥିବା ଜୟ ନାରାୟଣଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କ ଦଳ ଭୟ କରୁଛି କି ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a comment