ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲାଖୋଲି ଅପଚୟ ହେଉଛି ବିଦ୍ୟୁତ: ଦିନରେ ଜଳୁଛି ଲାଇଟ୍‌, ବିଲ ଗଣୁଛି ପଞ୍ଚାୟତ

କେନ୍ଦ୍ରାପଡା: ଅହରହ ଜଳୁଛି ବିଦ୍ୟୁତ। ବିଦ୍ୟୁତ ଅପଚୟ ହେବା ସହ ଲକ୍ଷ ଲକ୍ଷ ଟଙ୍କା ବିଲ ବାବଦକୁ ବିଦ୍ୟୁତ କମ୍ପାନୀକୁ ଦିଆଯାଉଛି। ଦିନରେ ଅପଚୟ ହେଉଥିବା ବିଦ୍ୟୁତକୁ ଯଦି ସଠିକଭାବେ ପରିଚାଳନା ହୋଇପାରନ୍ତା ତେବେ ଅଯଥାରେ ଦିଆଯାଉଥିବା କୋଟି କୋଟି ଟଙ୍କା ବିଜୁଳି ବିଲକୁ ରୋକ ଦେଇହୁଅନ୍ତା ବୋଲି ମତ ପ୍ରକାଶ ପାଇଛି। ବିଦ୍ୟୁତ ଶକ୍ତିକୁ ଖୋଲାଖୋଲି ଅପଚୟ କରାଯାଉଥିବାବେଳେ ଏହାର କାରଣ ଆଉ ନିରାକାରଣ ପାଇଁ ଜିଲ୍ଲା ପ୍ରଶାସନର ନିଘା ନାହିଁ। ପ୍ରଶାସନର ବେଖାତିର ମନୋଭାବ ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡୁଛି। ପରିଚାଳନା ଗତ ତ୍ରୁଟି ଯୋଗୁ ସାଧାରଣ ଲୋକଙ୍କ ଅର୍ଥ ଆଉ ସରକାରୀ ଯୋଜନାଗୁଡିକ ସବୁ ଧୂଳିସାତ ହେଉଥିବା ନେଇ ଅଭିଯୋଗ ହେଉଛି। ଅପଚୟ ହେଉଥିବା ଏହି ବିଦ୍ୟୁତ ବିଲକୁ ପ୍ରତ୍ୟେକ ପଞ୍ଚାୟତ ପାଣ୍ଠିରୁ ପୈଠ କରାଯାଉଛି।

ତେବେ ମିଳିଥିବା ସୂଚନା ମୁତାବକ, ଗରଦପୁର ବ୍ଳକର ବଙ୍ଗାଳପୁର ଆଉ ତେଣ୍ଡାକୁଡ଼ାର ପଂଚାୟତର ବିଦ୍ୟୁତ ବିଲ ମାସକୁ ପ୍ରାୟ ୬ ଲକ୍ଷ ଲେଖାଏଁ ଗଣାଯାଉଛି। ସେହିପରି ଗରଦପୁର ପଞ୍ଚାୟତର ୩୫ ହଜାର ଟଙ୍କା ବିଦ୍ୟୁତ ବିଲ ଦିଆଯାଉଛି। ପ୍ରତ୍ୟେକ ପଞ୍ଚାୟତର ରାସ୍ତାଘାଟରେ ଏଲଇଡ଼ି ବଲବ, ହାଇମାକ୍ସ ଲାଇଟ ସବୁ ଲଗାଯାଇଛି। ଗରଦପୁର ପଞ୍ଚାୟତରେ ପାଖାପାଖି ୧୩୦ଟି, ବଙ୍ଗାଳପୁର ଆଉ ତେଣ୍ଡାକୁଡ଼ାରେ ୨ ଶହରୁ ଉର୍ଦ୍ଧ୍ବ ଲେଖାଏଁ ଏଲଇଡ଼ି ବଲବ ସହିତ ହାଇମାକ୍ସ ଲାଇଟ ସବୁ ଲାଗିଛ। ଏହି ତିନୋଟି ପଂଚାୟତରେ ଏଲଇଡି ବଲବ, ହାଇମାକ୍ସ ଲାଇଟ ବାବଦ ସମୁଦାୟ ବିଦ୍ୟୁତ ବିଲର ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ତେବେ ଗରଦପୁର ପଞ୍ଚାୟତରେ ୩୫ ହଜାରରୁ ପ୍ରାୟ ୨୦ ହଜାର ଟଙ୍କା ରାସ୍ତାରେ ଲାଗିଥିବା ଲାଇଟରେ ଖର୍ଚ୍ଚ ହେଉଛି। ତେବେ ଏହି ପଂଚାୟତରେ ଦିନ ଆଉ ରାତିରେ ଲାଇଟ ଜଳୁଛି। ତେବେ ପଂଚାୟତତମାମ ଦିନରେ ଜଳୁଥିବା ବିଦ୍ୟୁତ ପାଇଁ ପ୍ରାୟ ୧୦ ହଜାର ଟଙ୍କା ଅପଚୟ ହେଉଛି। ସେହିପରି ବଙ୍ଗାଳପୁର ଆଉ ତେଣ୍ଡାକୁଡ଼ା ପଂଚାୟତରେ ଦିନରେ ଜଳୁଥିବା ଲାଇଟ ବାବଦ ଲକ୍ଷ ଲକ୍ଷ ଟଙ୍କା ଅପଚୟ ହେଉଛି।

ସେହିଭଳି କେନ୍ଦ୍ରାପଡା ପୌରପରିଷଦରେ ୨୧ଟି ୱାର୍ଡର ଅଧାରୁ ଅଧିକ ସ୍ଥାନରେ ଦିନରାତି ଜଳୁଛି ଷ୍ଟ୍ରିଟ ଲାଇଟ। ତେବେ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ସମଗ୍ର ଜିଲ୍ଲାର ୨୪୯ ପଂଚାୟତରେ ସମାନ ଅବସ୍ଥା। ତେବେ ଯଦି ଗୋଟିଏ ଗୋଟିଏ ପଂଚାୟତରେ ୧୦ ହଜାର ଲେଖାଏଁ ଟଙ୍କା ଦିନରେ ଜଳୁଥିବା ଲାଇଟ ବାବଦ ଅଯଥାରେ ଖର୍ଚ୍ଚ ହେଉଛି। ତେବେ ୨୪୯ ପଂଚାୟତରେ ୨୪ ଲକ୍ଷ ୯୦ ହଜାର ଟଙ୍କା ଅଯଥା ଖର୍ଚ୍ଚ ହେଉଛି। ଏହାଛଡା ବଙ୍ଗାଳପୁର ଆଉ ତେଣ୍ଡାକୁଡ଼ା ଭଳି ବଡ଼ ବଡ଼ ପଂଚାୟତର ବିଲକୁ ହିସାବକୁ ନେଲେ କେନ୍ଦ୍ରାପଡା ଜିଲ୍ଲାରେ ଅଯଥାରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ପାଣିରେ ପଡୁଥିବା ଜାଣିବାକୁ ମିଳିଛି। ଯଦି ଏହାକୁ ରୋକାଯିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରନ୍ତା ତେବେ ଜିଲ୍ଲାରେ ବିଦ୍ୟୁତ ଅପଚୟ ହୁଅନ୍ତା ନାହିଁ ମତ ପ୍ରକାଶ ପାଇଛି।

ଏନେଇ ଜିଲ୍ଲା ପ୍ରଶାସନ ପ୍ରତି ପଂଚାୟତରେ ଦିନରେ ଜଳୁଥିବା ବିଦ୍ୟୁତ ବନ୍ଦ କରିବା ପାଇଁ କିଛି ବ୍ୟକ୍ତିଙ୍କୁ ମାସିକ ଦରମା ହିସାବରେ ରଖାଯାଇପାରନ୍ତା ତେବେ ବେକାରୀ ସମସ୍ୟା ଦୂର ହେବା ସହ ବିଦ୍ୟୁତ ଅପଚୟ ରୋକାଯାଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। କୋଟି କୋଟି ଟଙ୍କା ବ୍ୟୟରେ ସରକାର ଲୋକଙ୍କୁ ଆଲୁଅ ଯୋଗାଇ ଦେଇଛନ୍ତି। ରାଜ୍ୟ ତଥା ଜାତୀୟ ସଡକ ଠାରୁ ଆରମ୍ଭ କରି ଗ୍ରାମର ଗଳି ଗଳିରେ ହଜାର ହଜାର ଲାଇଟ ଲାଗିଛି। ହାଇମାକ୍ସ ଲାଇଟ, ସେମି ହାଇମାକ୍ସ ଲାଇଟ, ଆଉ ବିଭିନ୍ନ ବିଦ୍ୟୁତ ଖୁଣ୍ଟି ଗୁଡିକରେ ୨୦, ୩୫, ୪୫, ୭୦, ୯୦, ୧୧୦, ୧୨୦ ୱାଟର ବଲ ଆଉ ଏଲଇଡି ସବୁ ଲାଗିଛି। ଏହିସବୁ ବଲ ଆଉ ଏଲଇଡି ସବୁ ୨୪ ଘଣ୍ଟା ଲେଖାଏଁ ଜଳୁଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଦିନରେ ଜଳୁଛି ରାତିରେ ଅନ୍ଧକାରମୟ। ତେବେ ଏହାର ସମାଧାନ କରିବାକୁ ଆଉ ବିଦ୍ୟୁତ ଶକ୍ତି ଅପଚୟ ରୋକିବା ଜିଲ୍ଲା ପ୍ରଶାସନର ନୈତିକ ଦାୟିତ୍ୱ ଆଉ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.