ଖୋଜିଲେ କନ୍ୟା; ପାଇଲେ ଅନ୍ତର୍ଜାତୀୟ ଚୋରଣୀ
ପତିଙ୍କ ସହ ମିଶି ୫ ହଜାର କାର୍ ଚୋରି

ପୋରବନ୍ଦର : ଗୁଜରାଟର ଜଣେ ଯୁବକ ମାଟ୍ରିମୋନିୟାଲ ଆପ୍ରୁ ଖୋଜି ଜଣେ ଯୁବତୀଙ୍କୁ ବାହା ହୋଇଥିଲେ। ଏବେ ସେହି ଯୁବତୀ ଅନ୍ତର୍ଜାତୀୟ ଚୋରଣୀ ବୋଲି ଜଣାପଡ଼ିଛି। ବିବାହର ଛଅ ମାସ ପରେ ଏହା ଜାଣିବା ପରେ ଯୁବକଙ୍କ ପାଦ ତଳୁ ମାଟି ଖସିଯାଇଛି। ଯୁବତୀ ପୂର୍ବରୁ ମଧ୍ୟ ବିବାହିତା ଥିଲେ। ଏହା ସହିତ ତାଙ୍କ ବିରୋଧରେ ୫ ହଜାରରୁ ଅଧିକ କାର୍ ଚୋରାଇବାର ଅଭିଯୋଗ ରହିଛି। ସେ ପୂର୍ବ ପତିଙ୍କ ସହ ମିଶି ସବୁ କାର୍ ଚୋରି କରିଥିଲେ। ତାଙ୍କ ପ୍ରଥମ ପତିଙ୍କ ବିରୋଧରେ ହତ୍ୟା, ଲୁଟ୍ ଏବଂ ଗଣ୍ଡା ଶିକାର ଭଳି ଅନେକ ମାମଲା ରୁଜୁ ହୋଇଛି। ପୀଡ଼ିତ ଯୁବକ କହିଛନ୍ତି ଯେ ଗୌହାଟୀରେ ଏହି ମହିଳା ନିଜକୁ ରୀତା ଦାସ କହିଥିଲେ। ମ୍ୟାଟ୍ରିମୋନିୟାଲ ସାଇଟରୁ ସେ ଛାଡ଼ପତ୍ର ପାଇଥିବା ଲେଖିଥିଲେ।
କିନ୍ତୁ ପ୍ରମାଣ ମାଗିବାରୁ କମ୍ ବୟସରେ ପଞ୍ଚାୟତରେ ବିବାହ ହୋଇଥିବାରୁ କୌଣସି ପ୍ରମାଣ ନ ଥିବା କହିଥିଲେ। ତେବେ ବିବାହର ୬ ମାସ ପରେ ମହିଳା ନିଜ ଘରକୁ ପଳାଇ ଥିଲେ। ପରେ ଯୁବକଙ୍କ କୌଣସି କଲ୍ ଗ୍ରହଣ କରି ନଥିଲେ। ଥରେ ତାଙ୍କ ଓକିଲ କଲ୍ ଉଠାଇ ରୀତା ଜେଲ୍ରେ ଥିବା କହିଥିଲେ ଏବଂ ଜାମିନ ପାଇଁ ଲକ୍ଷେ ଟଙ୍କା ମାଗିଥିଲେ। ଯୁବକ ଟଙ୍କା ପଠାଇବା ପରେ କୋର୍ଟଙ୍କ ଦଲିଲ୍ ମଗାଇଥିଲେ। ଏଥିରେ ଯୁବତୀଙ୍କ ନାମ ରୀତା ଚୌହାନ ଲେଖା ଯାଇଥିଲା। ପରେ ଓକିଲ କି ରୀତା କେହି ଆଉ କଲ୍ ଗ୍ରହଣ କରି ନଥିଲେ। ତେବେ ଯୁବକ ଅନ୍ଲାଇନରେ ସର୍ଚ୍ଚ କରିବା ପରେ ରୀତାଙ୍କ ଅସଲ କାରନାମା ସାମ୍ନାକୁ ଆସିଥିଲା।