ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ବଡ ମେଡିକାଲରେ ଲମ୍ବା ଧାଡିର ଯୁଗ ଶେଷ, ଆଜିଠୁ ଅନ୍‌ଲାଇନରେ ଆଉଟ୍‌ଡୋର୍‌ ଟିକଟ

କଟକ : ସୋମବାରଠାରୁ ଏସ୍‍ସିବି ମେଡିକାଲ ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ପ୍ରଥମଥର ନିମନ୍ତେ ରାଜ୍ୟର ଏହି ସର୍ବବୃହତ୍ତ ସରକାରୀ ହସ୍ପିଟାଲରେ ଆଉଟଡୋର ଟିକଟ ନିମନ୍ତେ ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। କର୍ତ୍ତୃପକ୍ଷ ଏଥିନିମନ୍ତେ ପରୀକ୍ଷଣ ସଫଳପୂର୍ଣ୍ଣ ଭାବେ ଶେଷ କରିବା ପରେ ସୋମବାର ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।

ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନସାଧାରଣ eswasthya.odisha.gov.in ୱେବସାଇଟକୁ ଯାଇ ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ ।  ଅନଲାଇନ୍‍ ଟିକଟ ବୁକିଂ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି। ଆଉଟଡୋରରେ ରୋଗୀ ଦେଖାଇବାର ଗୋଟିଏ ଦିନ ଆଗରୁ ଟିକେଟ କରିବାର ବ୍ୟବସ୍ଥା ରହିଛି । ସୋମବାର ଦିନ ଯେଉଁମାନେ ଟିକଟ ବୁକିଂ କରିବେ ସେମାନେ ମଙ୍ଗଳବାର ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ। ଏହାଛଡ଼ା ଆଗୁଆ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଟିକଟ ବୁକ୍‍ ହୋଇପାରିବ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‍ eswasthya.odisha.gov.inରେ ଟିକଟ୍‍ ବୁକିଂ ନିମନ୍ତେ ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ କାଉଣ୍ଟରରେ ମଧ୍ୟ ଆଉଟଡୋର ଟିକଟ ଉପଲବ୍ଧ ରହିବ। ଯେଉଁମାନେ ଚାହିଁବେ କାଉଣ୍ଟରରୁ ଟିକେଟ କରିପାରିବେ।

ସୂଚନାଯୋଗ୍ୟ, ଆଉଟଡୋର ଟିକଟ୍‍ ବୁକିଂ ନିମନ୍ତେ ଏସ୍‍ସିବି ମେଡ଼ିକାଲରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳେ। ଆଉଟଡୋରର ଟିକଟ ବୁକିଂ ସକାଳ ୮ଟାରେ ଆରମ୍ଭ ହୁଏ। ହେଲେ ଭୋର ସମୟରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସି ଧାଡ଼ି ଲଗାଇଥାନ୍ତି। ବହୁ ସମୟ ଧରି ଟିକଟ ପାଇବା ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ଏସ୍‍ସିବିର ବହୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ରୋଗୀଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ରାଜ୍ୟ ସରକାର ଏହାକୁ ଉପଲବ୍ଧି କରିବା ସହ ବହୁବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେଇଛନ୍ତି। ସୋମବାରଠାରୁ ଏହି ସେବା ବିଧିବଦ୍ଧ ଭାବେ ଆରମ୍ଭ କରାଯିବ। ପ୍ରତ୍ୟେକ ଦିନ ମୁଖ୍ୟ ଆଉଟଡୋର ଓ ବିଭିନ୍ନ ବିଭାଗର ଆଉଟଡୋରରେ ଟିକଟ କରିବା ପାଇଁ ପ୍ରାୟ ୨ହଜାର ରୋଗୀ ଏସ୍‍ସିବିକୁ ଆସନ୍ତି। ଯା’ଫଳରେ ଏଠାରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୁଏ। ଭିଡ଼କୁ ହଟାଇବା ହିଁ ଅନଲାଇନ ଟିକଟ ବୁକିଂ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ।

Leave A Reply

Your email address will not be published.