ଖୁବ୍ ଶୀଘ୍ର ଅନ୍ଲାଇନ୍ ଔଷଧ ବିକ୍ରି ଉପରେ ଲାଗିପାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଏଣିକି ଅନ୍ଲାଇନ୍ରେ ଆଉ ମିଳିବନାହିଁ ଔଷଧ ସାମଗ୍ରୀ। କାରଣ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ଇ-ଫାର୍ମାସୀ ବ୍ୟବସ୍ଥା। କେନ୍ଦ୍ର ସରକାର ଇ-ଫାର୍ମାସୀ ବ୍ୟବସ୍ଥାରେ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। ଏହାଫଳରେ ଇ-ଫାର୍ମାସୀ ବା ଅନ୍ଲାଇନ୍ ଔଷଧ ବିକ୍ରି ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ଇ-ଫାର୍ମାସୀ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କର ଏକ ମନ୍ତ୍ରୀ ଗୋଷ୍ଠୀ ବିଚାର କରୁଛି। ଗତ ମାସରେ ଔଷଧ ବିକ୍ରି ନିୟମ ଉଲ୍ଲଂଘନ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦ ଟି କମ୍ପାନୀକୁ ନୋଟିସ ଜାରି କରାଯାଇଥିଲା।
ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ଇ-ଫାର୍ମାସୀ ବ୍ୟବସ୍ଥାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏବେ ଆଲୋଚନା ଚାଲିଛି। ଏଥିପାଇଁ ଏକ ନୂତନ ବିଲ୍ ଉପରେ ମଧ୍ୟ ସରକାର ବିଚାର କରୁଥିବା ଜଣାଯାଇଛି।
ଆଲୋଚନା ଚାଲିଥିବାବେଳେ ଇ-ଫାର୍ମାସି ଉପରେ ନିଷେଧାଦେଶ ଜାରି କରାଯାଇଛି। ଇ-ଫାର୍ମାସୀ ଦ୍ବାରା ରୋଗୀଙ୍କ ତଥ୍ୟର ଗୋପନୀୟତା, ବିନା ପ୍ରେସକ୍ରିପ୍ସନ୍ରେ ଔଷଧ ବିକ୍ରି ଏବଂ ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ଏହା ଅତ୍ୟନ୍ତ ବିପଦଜନକ। ଏହି କାରଣରୁ ଖୁଚୁରା ବଜାର ଦୁର୍ବଳ ହେଉଛି। ଇ-ଫାର୍ମାସୀ ଔଷଧ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ମଧ୍ୟ କରିପାରିବ ଯାହା ରୋଗୀର ସୁରକ୍ଷା ସହିତ ଜଡିତ ବିପଦକୁ ବଢ଼ାଇବ। ସୂଚନା ଅନୁଯାୟୀ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଗତ ମାସରେ ବଜେଟ୍ ଅଧିବେଶନରେ ଔଷଧର ଅନ୍ଲାଇନ୍ ବିକ୍ରିକୁ ବ୍ୟାପକ ଭାବେ ନିୟନ୍ତ୍ରଣ କରିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ସରକାର ସୂଚନା ଦେଇଥÒଲେ। ନୂତନ ଔଷଧ, ମେଡିକାଲ୍ ଡିଭାଇସ୍ ଏବଂ କସମେଟିକ୍ସ ବିଲ୍ ୨୦୨୩ର ସଂଶୋଧିତ ଚିଠା ପ୍ରସ୍ତାବ ଅନୁଯାୟୀ କୁହାଯାଇଛି ଯେ ଅନଲାଇନ୍ ମାଧ୍ୟମରେ କୌଣସି ଔଷଧ ବିକ୍ରୟ କିମ୍ବା ବିତରଣକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିପାରିବେ। ସରକାରୀ ସୂତ୍ର ଅନୁଯାୟୀ, ଏହିପରି ଇ-ଫାର୍ମାସିଗୁଡିକର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିବା, ପ୍ରେସକ୍ରିପସନ୍ ଅନୁଯାୟୀ, ଔଷଧ ଦେବା ଏବଂ ରୋଗୀଙ୍କ ତଥ୍ୟର ଗୋପନୀୟତା ବଜାୟ ରଖିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।