ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ବଢୁଛି ଅନ୍‍ଲାଇନ୍‌ ଓ ଅଫ୍‍ଲାଇନ୍‍ ଠକେଇ; ହନିଟ୍ରାପରେ ଫସାଉଛନ୍ତି ସୁନ୍ଦରୀ ତରୁଣୀ

ଭୁବନେଶ୍ୱର: ସୋସିଆଲ ମିଡିଆ, ମାଟ୍ରିମୋନି ସାଇଟ୍‍ ରେ ଚିହ୍ନା ପରିଚିତ, ବନ୍ଧୁତା ଓ ପ୍ରେମ। ଆଉ ତା’ ପରେ ହନିଟ୍ରାପରେ ଫସାଉଛନ୍ତି ସୁନ୍ଦରୀ ତରୁଣୀ। ଏଭଳିଭାବେ ରାଜଧାନୀରେ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ ଠକେଇ ବୃଦ୍ଧି ହୋଇଛି। ସୁନ୍ଦରୀ ତରୁଣୀଙ୍କୁ ମୋହରା କରି ଠକ ବିଛାଇଛନ୍ତି ଠକେଇ ଜାଲ। ସୁନ୍ଦରୀଙ୍କ ମାୟାଜାଲରେ ଫସାଇବା ପରେ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ନେଇ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଫେସ୍‍ବୁକ୍‍ ଓ ହ୍ୱାଟ୍ସଆପ୍‍ ରେ ନିଜର ସୁନ୍ଦର ଫଟୋ ଦେଇ ଯୁବକଙ୍କୁ ଫସାଉଛନ୍ତି ଯୁବତୀ। ସୁନ୍ଦର ଚେହେରା ଦେଖି ଯୁବକ ପ୍ରେମରେ ଉବୁଟୁବୁ ହେଉଛନ୍ତି। ପ୍ରେମ ସମ୍ପର୍କ ଅଧିକ ନିବିଡ଼ ହେବା ପରେ ସେଇ ଚେହେରାକୁ ଆଳ କରି ଯୁବକଙ୍କଠୁ ଦାମୀ ଉପହାର ଓ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ୍‍ ହୋଇଯାଉଛନ୍ତି ମାୟାବିନୀ ଯୁବତୀ।

ଉପାନ୍ତରୁ ଉପକୂଳ ଓ ପଶ୍ଚିମରୁ ଉତ୍ତର ସବୁଆଡ଼େ ଏବେ ଡିଜିଟାଲ ସୁନ୍ଦରୀଙ୍କ ମାୟାଜାଲ। ଫେକ୍‍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡିଓ ଚାଟ୍‍ କରି ବ୍ଲାକମେଲିଂ କରି ଟଙ୍କା ଲୁଟି ନେଉଛନ୍ତି ଅଦୃଶ୍ୟ ଠକ। ଏଥିରେ ଯୁବବର୍ଗଠୁ ବୟସ୍କ ଫସି ହରାଉଛନ୍ତି ଟଙ୍କା। ସେ ବିଏସ୍‍ଏନ୍‍ଏଲ୍‍ର ବରିଷ୍ଠ ଅଧିକାରୀ ହୁଅନ୍ତୁ ଅବା ଆଇଟି ଏକ୍ସପର୍ଟ। ସମସ୍ତେ ଏବେ ସୁନ୍ଦରୀଙ୍କ ମାୟାଜାଲରେ ଉଠ୍‍ବସ୍‍ ହେଉଛନ୍ତି। ଅପରପକ୍ଷେ ଭୁବନେଶ୍ୱରରେ ଅନ୍‍ ଓ ଅଫ୍‍ଲାଇନ୍‍ ଠକେଇଜନିତ ମାମଲା ସାଇବର ଥାନାଠୁ ସମସ୍ତ ଥାନାରେ ଗଦାଗଦା ମାମଲା। ସବୁ ମାମଲାରେ ଯୁବତୀଙ୍କ ଚେହେରାକୁ ମୋହରା କରାଯାଇଥିବା ପ୍ରମାଣ ମିଳୁଛି। ଚଳିତବର୍ଷ ଅଫ୍‍ଲାଇନ୍‍ରେ ୫୦ରୁ ଊର୍ଦ୍ଧ୍ବ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଅନ୍‍ଲାଇନ୍‍ରେ ଏସଂଖ୍ୟା ୫୦୦ ପାର୍‍ ହୋଇଯାଇଛି ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି। ସେଭଳି ଫେସ୍‍ବୁକ୍‍ରେ ନକଲି ଆକାଉଣ୍ଟ ଖୋଲି ସାମାଜିକ ଗଣମାଧ୍ୟମକୁ ଅପବ୍ୟବହାର କରାଯାଉଛି। ନକଲି ଆକାଉଣ୍ଟ ଖୋଲିବା ଏକ ଦଣ୍ଡନୀୟ ଅପରାଧ। ଏଣୁ ଏଥିରୁ ଦୂରେଇ ରହିବା ସହ ସତର୍କ ରହିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବିନା ଓଟିପିରେ ନେଇଗଲେ ଅଢ଼େଇ ଲକ୍ଷ
ନା ଓଟିପି ଦେଇଥିଲେ ନା କୌଣସି ବ୍ୟାଙ୍କ ତଥ୍ୟ। ହେଲେ ଆଧାର କାର୍ଡ ଓ ପାନକାର୍ଡର ତଥ୍ୟ ୱେବ୍‍ସାଇଟ୍‍ରେ ଅପଲୋଡ୍‍ କରୁ କରୁ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଇଛନ୍ତି ସାଇବର୍‍ ଠକ। ଠକେଇର ଶିକାର ହୋଇଛନ୍ତି ଏକ ଘରୋଇ କଲେଜର ଅଧ୍ୟାପକ ବିବେକାନନ୍ଦ ରଣା। ସେ ଅନ୍‍ଲାଇନ୍‍ରେ ବିଦ୍ୟୁତ ବିଲ୍‍ ପୈଠ କରୁଥିବା ବେଳେ ଠକେଇର ଶିକାର ହୋଇଛନ୍ତି। ତାଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ଠକେଇ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତନାଘନା କରୁଛି। ଘରର ବିଦ୍ୟୁତ୍‍ ବିଲ୍‍ ପୈଠ କରିବାକୁ ବିବେକାନନ୍ଦଙ୍କ ପାଖକୁ ମେସେଜ ଆସିଥିଲା। ମେସେଜରେ ଥିବା ନମ୍ୱରରେ କଲ୍‍ କରିବା ପରେ କିପରି ଟଙ୍କା ପୈଠ କରିବେ ତାହାର ପ୍ରକ୍ରିୟା ବୁଝାଇଥିଲା ସାଇବର୍‍ ଠକ। ପରେ ଠକ ପ୍ରସ୍ତୁତ କରିଥିବା ଫେକ୍‍ ୱେବ୍‍ସାଇଟ୍‍ରେ କିଛି ତଥ୍ୟ ଅପଲୋଡ କରିବା ପରେ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା। ତାଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟରୁ ଅଢ଼େଇ ଲକ୍ଷ ଟଙ୍କା ଗାଏବ୍‍ ହୋଇଯାଇଛି। ଏନେଇ ସେ ସାଇବର୍‍ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅଫଲାଇନ୍‍ ଠକେଇ…

  • ଯୁବତୀଙ୍କୁ ମୋହରା କରି ଯୁବକଙ୍କୁ ଏସ୍କର୍ଟ ସର୍ଭିସ୍‍ ଆଳରେ ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‍କୁ ଠାବ କରିଥିଲା ସାଇବର୍‍ ଥାନା ପୁଲିସ। ଏଥିରେ ସମ୍ପୃକ୍ତି ରହିଥିବା ୫ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ସୁନ୍ଦରୀ ତରୁଣୀଙ୍କ ଫଟୋ ଦେଇ ଜାଲ ବିଛାଇଥିଲେ। ଏଥିରେ ଫସୁଥିବା ଯୁବକଙ୍କଠାରୁ ଟଙ୍କା ନେଇ ଛୁ ହୋଇଯାଉଥିଲେ।
  • ସହିଦନଗର ଥାନା ପୁଲିସ ଫେସ୍‍ବୁକ୍‍ ଜରିଆରେ ହନିଟ୍ରାପ୍‍ କରୁଥିଲେ ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଡା। ସେ ଫେସ୍‍ବୁକ୍‍ରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଯୁବକଙ୍କୁ ଫସାଉଥିଲା। କାହାକୁ ଡାକ୍ତର ତ ଆଉ କାହାକୁ ଇଞ୍ଜିନିୟରର ପରିଚୟ ଦେଇ ବନ୍ଧୁତାସ୍ଥାପନ କରି ସମ୍ପର୍କ ବଢ଼ାଉଥିଲା। ପରେ ଯୁବକଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିଲା।
  • ବାଙ୍କୁଆଳର ଜୟକୃଷ୍ଣ ଦାସଙ୍କୁ ହ୍ୱାଟ୍ସଆପ୍‍ ଜରିଆରେ ଫସାଇଥିଲେ ପିହୁ ବିଶ୍ୱାସ। ସେ ମେକ୍‍ଅପ୍‍ ନେଇ ନିଜର ସୁନ୍ଦର ଚେହେରା ଓ ସମ୍ଭ୍ରାନ୍ତ ପରିବାର କହି ଜୟକୃଷ୍ଣଙ୍କୁ ବୀମା କରାଇଦେବା ଆଳରେ ଫସାଇଥିଲେ। ରାତିରେ ଜୟକୃଷ୍ଣଙ୍କ ଘରେ ରହିବା ଆଳରେ ଖାଇବାରେ ନିଶାଦେଇ ୩୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ।
  • ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆର୍‍ଡିଓ) କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟକୁ ସେଠାରେ କାର୍ଯ୍ୟ କରୁଥିବା ୫ ଅଭିଯୁକ୍ତ ହନିଟ୍ରାପ୍‍ରେ ଫସି ଶତ୍ରୁରାଷ୍ଟ୍ରକୁ ଦେଇଥିଲେ। ପାକିସ୍ତାନୀ ତରୁଣୀ ଫେସ୍‍ବୁକ୍‍ରେ ୭ଟି ଆକାଉଣ୍ଟ ଖୋଲି ସେଥିରେ ସୁନ୍ଦର ଫଟୋ ଦେଇ ଅଭିଯୁକ୍ତଙ୍କୁ ଫସାଇଥିଲା। କାହାକୁ ବିବାହ ପ୍ରତିଶ୍ରୁତି ଦେଖାଇ ଥିଲା ତ ଆଉ କାହାକୁ ଅଶ୍ଳୀଳ ଭିଡିଓ କଲ୍‍ କରି ଫସାଇଥିଲା। ମାୟାବିନୀ ପଞ୍ଝାରେ ପଡ଼ି ୫ ଅଭିଯୁକ୍ତ ପାଇଲଟ ବିହୀନ ଏୟାରକ୍ରାଫ୍ଟ ଟେଷ୍ଟ ସମ୍ପର୍କିତ ତଥ୍ୟ ଶତ୍ରୁ ରାଷ୍ଟ୍ରକୁ ଦେଇଥିବା ସନ୍ଦେହ କରାଯାଇଥିଲା।

ଅନ୍‍ଲାଇନ୍‍ ଠକେଇ…

  • ବିଏସ୍‍ଏନ୍‍ଏଲ୍‍ର ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ଅଦୃଶ୍ୟ ସୁନ୍ଦରୀ ଅଶ୍ଳୀଳ ଚାଟିଂ ଓ ଭିଡିଓ କଲ୍‍ କରିଥିଲେ। ପରେ ଉକ୍ତ ଦୃଶ୍ୟକୁ ରେକର୍ଡିଂ କରି ବ୍ଲାକମେଲିଂ କରିଥିଲେ ଡିଜିଟାଲ ସୁନ୍ଦରୀ। ଲୋକଲଜ୍ୟା ଭୟରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ ବରିଷ୍ଠ ନାଗରିକ।
  • ମାଟ୍ରିମୋନି ସାଇଟ୍‍ରେ ଝିଅ ଖୋଜୁଖୋଜୁ ବିଦେଶିନୀ ହାବୁଡ଼ରେ ପଡ଼ିଥିଲେ ଆଇଟି ପ୍ରଫେସନାଲ ରାମଚନ୍ଦ୍ର ମହାପାତ୍ର। ମାୟାବିନୀ ସୁନ୍ଦରୀ କାଲିଫର୍ନିଆର ଏମ୍‍ବିବିଏସ୍‍ ଡାକ୍ତର ଥିବା ବାଲେଶ୍ୱରର ପ୍ରିୟା ଗୁପ୍ତାର ପରିଚୟ ଦେଇ ୨୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
  • ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ସହ ସୁନ୍ଦରୀ ଠକ ଅଶ୍ଳୀଳ ଚାଟିଂ କରିଥିଲା। ପରେ ଭିଡିଓ ଭାଇରାଲ୍‍ କରିବାକୁ ଧମକ ଦେଇଥିଲା। ସେ ଲୋକଲଜ୍ୟା ଭୟରେ ପର୍ଯ୍ୟାୟକ୍ରମେ ୧୫ ଲକ୍ଷ ଟଙ୍କା ଦେଇଥିଲେ।
  • ବିଦେଶିନୀଙ୍କ ମାୟାଜାଲରେ ପଡ଼ିଥିଲେ ଇଲେକ୍ଟ୍ରିକାଲ ଠିକାଦାର ଜ୍ଞାନରଞ୍ଜନ ଦାସ। ଇଂଲଣ୍ଡର ‘ସିଲାଇନ ଜୁଲି ଆଣ୍ଟ୍ରସନ’ ଫେସ୍‍ବୁକ୍‍ରେ ଜ୍ଞାନରଞ୍ଜନଙ୍କ ଠାରୁ ୫ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ।
  • ବିଦେଶିନୀଙ୍କ ପଞ୍ଝାରେ ପଡ଼ିଥିଲେ ବିଟେକ ଛାତ୍ର କିଶନ କୁମାର ବେହେରା। ଇନ୍‍ଷ୍ଟାଗ୍ରାମରେ ବିଦେଶିନୀଙ୍କ ସହ କିଶନଙ୍କ ବନ୍ଧୁତା ହୋଇଥିଲା। ତାଙ୍କ ସହ ମିଠାମିଠା କଥା କହି ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲା।
Leave A Reply

Your email address will not be published.