ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଗବାନଙ୍କ ଉପରେ ଆସ୍ଥା: ଓଡିଶାର ଏମିତି ଏକ ଗାଁ, ଯେଉଁ ଗାଁରେ କାହା ଘରେ ବି ଲାଗିନାହିଁ କବାଟ

ଓଳାଭର(ସୁଶାନ୍ତ ନାୟକ): ଭଗବାନଙ୍କ ଉପରେ ଆସ୍ଥା ଥିଲେ ବଡ଼ ସଂକଟରେ ବି ରାସ୍ତା ମିଳେ। ଏ ସବୁ ବିଶ୍ୱାସର କଥା, ଅତି ବିଶ୍ୱାସର କଥା। ଖାସ୍‌‌ ସେଥିପାଇଁ ଆମେ ସବୁ କିଛି ତାଙ୍କ ଉପରେ ହିଁ ଛାଡ଼ି ଦିଅନ୍ତି। କିନ୍ତୁ ସୁନା, ରୁପା, ଟଙ୍କା ପଇସା କଥା ଆସିଲେ ଆମେ କାହାକୁ ଭରସା କରିପାରନ୍ତି ନାହିଁ। ଚାବି ଉପରେ ଚାବି, ସିସିଟିଭି, ବ୍ୟାଙ୍କ ଲକର; ଏମିତି କେତେ କ’ଣ। ତଥାପି ଚୋରି ହୋଇଯାଏ। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଏମିତି ଏକ ଗାଁ ଅଛି ଯେଉଁ ଗାଁରେ କାହା ଘରେ ବି କବାଟ ଲାଗିନାହିଁ। କାହିଁ କେବେଠାରୁ ସେ ଗାଁରେ କବାଟ ନାହିଁ। କଟକ-ଚାନ୍ଦବାଲି ରାସ୍ତାର ପୂର୍ବ ଦିଗରେ ୩ କିଲୋମିଟର ଗଲେ ପଡ଼େ ଏହି ଗାଁ ସିଆଳିଆ।

ଲୋକଙ୍କ ଭିତରେ ଏତେ ବିଶ୍ୱାସ, ଏତେ ଭଲ ପାଇବା କ୍ୱିଚିତ କେଉଁ ଗାଁରେ ଦେଖିବାକୁ ମିଳିବ। ଏ ବିଶ୍ୱାସ, ଏ ଆସ୍ଥାର କେନ୍ଦ୍ର ହେଉଛନ୍ତି ଗାଁରେ କେଉଁ କାଳରୁ ଅଧିଷ୍ଠିତ ଗ୍ରାମଦେବୀ ମାଆ ଖରାଖାଇ। ଗାଁର ଉତ୍ତର ଦିଗକୁ ଶେଷମୁଣ୍ଡରେ ବିଜେ ମାଆ ଖରାଖାଇ। ମାଆଙ୍କ ଆସ୍ଥାନ ଉପରେ ଛାତ ନାହିଁ। ଖୋଲା ଆକାଶ ତଳେ ମାଆ ବିରାଜମାନ। ସେଥିପାଇଁ କାଳେ ମାଆଙ୍କ ନାମ ଖରାଖାଇ ହୋଇଛି।

ସିଆଳିଆ ଗାଁରେ ରହନ୍ତି ୪୦ ପରିବାର। ଧାଡ଼ିଧାଡ଼ି ହୋଇ ରହିଛି ଘର। କାହା ଘରେ କବାଟ ଲାଗିନି। ମାଆଙ୍କ ଉପରେ ଭରସା ଯୋଗୁ କାହିଁ କେଉଁ କାଳରୁ ଏମାନଙ୍କ ଘର ଦ୍ୱାର ମୁକୁଳା ପଡ଼ିଛି। ଧନୀ କି ଗରିବ କାହା ଘରେ କବାଟ ଲାଗିନି। ସେମାନଙ୍କ ବିଶ୍ୱାସ ଯେଉଁଠି ମାଆ ସେମାନଙ୍କ ଘର ଜଗିଛନ୍ତି ସେଠି ଚୋରଡାକୁ ଭୟ କ’ଣ ପାଇଁ। କାଳେ କୁକୁର ବିଲେଇ ପଶିଯିବେ ସେଥିପାଇଁ ସବୁ ଘର ଆଗରେ ତାଟିଟିଏ ଡେରା ହୋଇଥାଏ। କବାଟ ନ ଥିଲେ ବି ଦିନେ କାଳେ ଏଠାରୁ ଚୋରି ହୋଇନାହିଁ। ସୁନାରୁୁପା ସବୁ ସେମିତି ଥାଏ। କେହି ବାକ୍ସରେ ଚାବି ପକାନ୍ତି ନାହିଁ। କେବେ କିଛି ଅସୁବିଧା ହୋଇ ନ ଥିବା ଗାଁ ଲୋକେ କହନ୍ତି।

ଆଉ ଗୋଟିଏ ବିଶେଷ କଥା ହେଉଛି ଏହି ଗାଁରେ ବାଦବିବାଦ କିମ୍ୱା କଳହ ଦେଖା ଦେଲେ ତାହା ସେହି ଗ୍ରାମରେ ହିଁ ତୁଟିଯାଏ। ଥାନା ପର୍ଯ୍ୟନ୍ତ କଥା ଯାଏନି। ପୁଲିସ କେବେ ଗାଁକୁ ଆସିନାହିଁ ବୋଲି ଲୋକେ କୁହନ୍ତି। ଏ ପର୍ଯ୍ୟନ୍ତ କୋର୍ଟ କଚେରୀକୁ ମଧ୍ୟ ଗାଁର କୌଣସି ମାମଲା ଯାଇନାହିଁ।

ଏଥିସହିତ ପଢ଼ନ୍ତୁ

ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ନିକଟରେ ପ୍ରବଳ ଭିଡ଼ ହୁଏ। ମା’ଙ୍କ ପାଦୁକା ପାନ କରି ଲୋକମାନେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଉଥିବା ବିଶ୍ୱାସ ରହିଛି। ଏହା ସହିତ ମା’ଙ୍କ ପାଖରେ ମାନସିକ କଲେ ନିଶ୍ଚୟ ପୂରଣ ହେଉଥିବା ଲୋକମାନେ କହୁଛନ୍ତି। ସେଥିଲାଗି ମାନସିକ ପୂରଣ ପରେ ମା’ଙ୍କ ନିକଟରେ ମାଟି ଘୋଡ଼ା ଦାନ ଦେଇ ଭୋଗ କରିଥାନ୍ତି।

Leave A Reply

Your email address will not be published.