ଯୁବତୀଙ୍କ ମିଠା କଥାକୁ ପ୍ରେମ ଭାବି ମାନସିକ ଯନ୍ତ୍ରଣା ଦେଉଛି ଏକ ତରଫା ପ୍ରେମିକ, ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ପୁଲିସର ତଦନ୍ତ ଜାରି

କେନ୍ଦ୍ରାପଡା: ଏକତରଫା ପ୍ରେମ କରି ଯୁବତୀଙ୍କ ପିଛା ଛାଡ଼ୁନି ଅଭିଯୁକ୍ତ । ଏମିତିକି ଯୁବତୀଙ୍କ ବିଷୟରେ ମିଥ୍ୟା ଅପପ୍ରଚାର କରିବା ସହ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଇଥିବା ନେଇ ପାଟକୁରା ଥାନାରେ ଗରଦପୁର ଅଞ୍ଚଳର ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ଗତ ୬ ମାସ ତଳେ କଟକ ସାଲେପୁର ଅଞ୍ଚଳରେ ଥିବା ଏକ ଏନଜିଓ ସଂସ୍ଥାରେ ଯୁବତୀ ଜଣଙ୍କ ଚାକିରୀ କରୁଥିଲେ । ସେହି ସମୟରେ କଟକ ମାହାଙ୍ଗା ଅଞ୍ଚଳର ବସନ୍ତ କୁମାର ସ୍ୱାଇଁ ମଧ୍ୟ ସେଠାରେ ଚାକିରୀ କରୁଥିଲେ । ଯୁବତୀ ଜଣଙ୍କ ଚାକିରୀରେ ନୂତନ ଭାବେ ଯୋଗଦାନ ଦେଇଥିବାରୁ ଏନଜିଓ କର୍ତ୍ତୃପକ୍ଷଙ୍କ ନିର୍ଦେଶରେ ଯୁବତୀଙ୍କୁ ବସନ୍ତ ଖାଇବା ପିଇବା ରହିବାରେ ସହଯୋଗ କରିଥିଲେ ।

ଯୁବତୀ ଜଣକ ଅଭିଯୁକ୍ତଙ୍କ ସହ ଷ୍ଟାଫ ଭଳି ବ୍ୟବହାର କରୁଥିଲେ । ଯୁବତୀଙ୍କ ମିଠା କଥାକୁ ଅଭିଯୁକ୍ତ ପ୍ରେମ ଭାବିନେଲେ । ପରେ ପ୍ରେମିକ ଭଳି ବ୍ୟବହାର ଆରମ୍ଭ କଲେ । ଏମିତିକି ଖାଇବା ପିଇବା ଯିବା ଆସିବା ସବୁଥିରେ ପ୍ରତିବନ୍ଧକ ହେଲେ । ଯୁବତୀ ଯୁଆଡେ ଗଲେ ତାଙ୍କ ବିନା ଅନୁମତିରେ କାହିଁକି ଗଲେ ପଚାରି ଜେରା କରୁଥିଲେ । ଏହିଭଳି ଅଭିଯୁକ୍ତଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ଚାକିରୀ ଛାଡି ଯୁବତୀ ଜଣକ ନିଜ ଘରକୁ ପଳାଇ ଆସିଲେ । ହେଲେ ଅଭିଯୁକ୍ତ ଜଣକ ଯୁବତୀଙ୍କ ଗାଁକୁ ଆସି ତାଙ୍କ ଘରେ ପହଞ୍ଚିଥିଲେ । ସମସ୍ତଙ୍କୁ ଧମକଚମକ ଦେଲେ । ଯୁବତୀଙ୍କ ସହ ବିବାହ ନକରାଇଲେ ସମସ୍ତଙ୍କୁ ଜୀବନରୁ ମାରିଦେବାର ଧମକ ଦେଲେ । ଏମିତିକି ବାରମ୍ବାର ଯୁବତୀଙ୍କ ନମ୍ବର ଆଉ ତାଙ୍କ ଘର ନମ୍ବରକୁ ନୂଆ ନୂଆ ନମ୍ବରରୁ କଲ କରି ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କଲେ। ବିଭିନ୍ନ ସମୟରେ ଯୁବତୀଙ୍କ ଘରକୁ ଅଶ୍ଲୀଳ ଭାଷାରେ ଚିଠି ଲେଖି ପଠାଉଥିଲେ ।

ଏତିକିରେ ଯୁବକର ମନ ଭରିଲା ନାହିଁ ଯେ, ଯୁବତୀଙ୍କ ଗାଁରେ ପହଂଚି ହାଟ, ବଜାର ବୁଲି ବୁଲି ତାଙ୍କ ଚରିତ୍ର ସଂହାର କଲେ । ଅନେକ ଦିନ ଏହିଭଳି ଚାଲିଲା ପରେ ଯୁବତୀ ଜଣଙ୍କ ଅସହ୍ୟ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତିଲେ । ଶେଷରେ ଆଉ କିଛି ଉପାୟ ନପାଇ ଯୁବତୀଙ୍କ ବାପା ପାଟକୁରା ଥାନାରେ ନ୍ୟାୟ ପାଇବା ପାଇଁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ବସନ୍ତ ବିରୋଧରେ ଏକ ମାମଲା ୧୨/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a comment