ଫାଇନାନ୍ସ କମ୍ପାନିକୁ ଠକିଲା ଫାଇନାନ୍ସ କମ୍ପାନି

ଭୁବନେଶ୍ୱର: ଗୋଟିଏ ଅର୍ଥଲଗାଣକାରୀ ସଂସ୍ଥା ଅନ୍ୟ ଏକ ଅର୍ଥ ଲଗାଣକାରୀ ସଂସ୍ଥାକୁ ୫କୋଟିର ଚୂନ ଲଗାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସମ୍ବନ୍ଧ ଫିନ୍‍ସର୍ଫ ପ୍ରାଇଭେଟ୍‍ ଲିମିଟେଡ୍‍ ସଂସ୍ଥା ଏଭଳି ଠକେଇ କରିଥିବା ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ଆଉ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍‍ ଲିମିଟେଡ୍‍ର ସଂସ୍ଥାର ଅଧିକାରୀ ସବ୍ୟସାଚ୍ଚୀ ରାଉତ। ଏନେଇ କ୍ରାଇମ୍‍ବ୍ରାଞ୍ଚ ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ଠକେଇର ପଛର ମାଷ୍ଟରମାଇଣ୍ଡ ଥିବା ସମ୍ବନ୍ଧ ଫିନ୍‍ସର୍ଫ ଅର୍ଥଲଗାଣକାରୀ ସଂସ୍ଥାର ଏମ୍‍ଡି ଦୀପକ କିଣ୍ଡୋକୁ ଧରିବା ପାଇଁ ଇଓଡବ୍ଲ୍ୟ ଚଢଉ ଜାରି ରଖିଛି। ଚନ୍ଦ୍ରଶେଖରପୁର,ସାଇବର ସିଟିରେ ଥିବା ଅଫିସ୍‍ରେ ଇଓଡବ୍ଲ୍ୟୁ ଚଢ଼ଉ କରି ଏକାଧିକ ଦସ୍ତାବିଜ୍‍ ଜବତ କରିଛି।

ମିଳିଥିବା ଅଭିଯୋଗ ଅନୁସାରେ, ସମ୍ବନ୍ଧ ଫିନ୍‍ସର୍ଫ ପ୍ରାଇଭେଟ୍‍ ଲିମିଟେଡ୍‍ ନାମକ ଏକ ସଂସ୍ଥା ଚନ୍ଦ୍ରଶେଖରପୁର, ସାଇବର ସିଟିରେ ଅଫିସ୍‍ ଖୋଲିଥିଲା। ଏହି ଅଫିସ୍‍ର ଅନ୍ୟଏକ ବ୍ରାଞ୍ଚ ଅଫିସ୍‍ ରାଉରକେଲାରେ ମଧ୍ୟ ଖୋଲିଥିଲା। ଉକ୍ତ ସଂସ୍ଥା ବିଭିନ୍ନ ମହିଳା ସଂଗଠନ(ଏସ୍‍ଏଚ୍‍ଜି)କୁ ଋଣ ପ୍ରଦାନ କରୁଥିଲା। ଖଣ୍ଡଗିରି ବାରୀ ପ୍ଲଟ୍‍ ନଂ-୧୨୧୫/୧୪୧୦ରେ ଅନ୍ୟ ଏକ ଅର୍ଥଲଗାଣକାରୀ ସଂସ୍ଥା ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର ଅଫିସ ରହିଛି। ଏହି ସଂସ୍ଥା ମଧ୍ୟ ଅନ୍ୟମାନଙ୍କୁ ଋଣ ପ୍ରଦାନ କରେ। ୨୦୨୦ ମସିହାରେ ସମ୍ବନ୍ଧ ଫିନ୍‍ସର୍ଫ ଫାଇନାନ୍ସ ସଂସ୍ଥା ଲୋନ୍‍ ନେବା ପାଇଁ ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାରେ ଆବେଦନ କଲେ। ଏହି ଲୋନ୍‍ ନେଇ ସମ୍ବନ୍ଧ ଫିନ୍‍ସର୍ଫ ସଂସ୍ଥା ମହିଳା ଏଏଚ୍‍ଜି ଗ୍ରୁପ୍‍କୁ ଦେବ ବୋଲି କାଗଜପତ୍ରରେ ଦେଖାଇଥିଲା। ୧୨ମାସରେ ୧୫.୫୦ ପ୍ରତିଶତ ସୁଧ ଦେବାକୁ ମଧ୍ୟ ଚୁକ୍ତି ହୋଇଥିଲା।

୨୦୨୦ ସେପ୍ଟେମ୍ବର ୨୮ ତାରିଖରେ ପ୍ରଥମେ ୨କୋଟିର ଲୋନ୍‍ ନେଇଥିବା ବେଳେ। ପରେ ପୁଣି ଆଉ ୩କୋଟିର ଲୋନ୍‍ ମିଳିଥିଲା। ଏହିଭଳି ସମ୍ବନ୍ଧ ଫିନ୍‍ସର୍ଫ ଅର୍ଥଲଗାଣକାରୀ ସଂସ୍ଥା ୫କୋଟି ଟଙ୍କା ଲୋନ୍‍ ନେଇଥିଲା। ସମ୍ବନ୍ଧ ଫିନ୍‍ସର୍ଫ ସଂସ୍ଥା ଲୋକଙ୍କୁ ଠକିଥିବା ପରେ ବିଭିନ୍ନ ଗଣମାଧ୍ୟମର ଖବରରୁ ଅନ୍ନପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର ଏମ୍‍ଡି ଜାଣିବାକୁ ପାଇଥିଲେ। ତେଣୁ ଲୋନ୍‍ ସୁଝିବାକୁ ସମ୍ବନ୍ଧ ଫିନ୍‍ସର୍ଫ ସଂସ୍ଥାକୁ କହିଥିଲେ। ଉକ୍ତ ସଂସ୍ଥା ପ୍ରଥମେ ୫୦ଲକ୍ଷ ଟଙ୍କା ଫେରାଇଥିବା ବେଳେ ବାକି ଟଙ୍କା ଫେରାଇନଥିଲା। ଶେଷରେ ଅନ୍ନପୂର୍ଣ୍ଣା ସଂସ୍ଥା ଲୋନ୍‍ ନେଇଥିବା ଅର୍ଥଲଗାଣକାରୀ ସଂସ୍ଥାର ସମସ୍ତ କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ବ୍ୟାଙ୍କ୍‍ ଷ୍ଟେଟ୍‍ମେଣ୍ଟ ମଧ୍ୟ ନକଲି ଦେଇଛନ୍ତି। କାରଣ ସମ୍ବଦ୍ଧ ଫିନ୍‍ସର୍ଫ ସଂସ୍ଥାର ଆକାଉଣ୍ଟରେ ୧୭ କୋଟି ଥିବା ଦର୍ଶାଯାଇଥିଲା। କିନ୍ତୁ ଯାଞ୍ଚ ପରେ ଜଣାପଡ଼ିଥିଲା ଆକାଉଣ୍ଟରେ କେବଳ ମାତ୍ର ୧୫ଲକ୍ଷ ଟଙ୍କା ରହିଥିଲା।

ଶେଷରେ ଟଙ୍କା ଫେରାଇବା ପାଇଁ ଅନ୍ନପୂର୍ଣ୍ଣ ଫାଇନାନ୍ସ ସଂସ୍ଥା ବାରମ୍ବାର ନୋଟିସ୍‍ କରିବା ପରେ ମଧ୍ୟ ସେମାନେ ଧରାଛୁଅାଁ ଦେଇନଥିଲେ। ଶେଷରେ ଅନ୍ନପୂର୍ଣ୍ଣ ଫାଇନାନ୍ସ ସଂସ୍ଥା ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।ହାଇଦ୍ରାବାଦରେ ମଧ୍ୟ ସମ୍ବନ୍ଧ ଫିନ୍‍ସର୍ଫ ଫାଇନାନ୍ସ ସଂସ୍ଥା ନାମରେ ୨କୋଟି ଠକେଇ ଅଭିଯୋଗ ହୋଇଥିଲା। ହାଇଦ୍ରାବାଦ ପୁଲିସ ଉକ୍ତ ସଂସ୍ଥାର ଏମ୍‍ଡି ଦୀପକ କିଣ୍ଡୋକୁ ଗିରଫ କରିଥିଲେ। ଏହି ଠକେଇର ଚେର ଓଡ଼ିଶାରୁ ହାଇଦ୍ରାବାଦକୁ ଲମ୍ବିଛି। ରାଉରକେଲା, ଭୁବନେଶ୍ୱର ଏବଂ କଟକରେ ଏହି ସଂସ୍ଥା ଠକେଇ କରିଥିବା ପୂର୍ବରୁ ଅଭିଯୋଗ ହୋଇଛି।

Leave a comment