ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକରେ ଶତକକୁ ୧୦ ବର୍ଷ

ଆଜକୁ ୧୦ ବର୍ଷ ତଳେ (୧୬ ମାର୍ଚ୍ଚ ୨୦୧୨) କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର କ୍ରିକେଟ୍ ଇତିହାସ ପୃଷ୍ଠାରେ ଯୋଡ଼ିଥିଲେ ଆଉ ଏକ ରେକର୍ଡ। ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସର ପ୍ରଥମ ଖେଳାଳି ଭାବେ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଶତକରେ ଶତକ ହାସଲ କରିଥିଲେ। ଅର୍ଥାତ୍ ୧୦୦ଟି ଶତକ ଅର୍ଜନ କରିବାର ବିରଳ ସୌଭାଗ୍ୟ ଲାଭ କରିଥିଲେ। ଏହାରି ମଧ୍ୟରେ ୧୦ ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ସଚିନଙ୍କ ଏହି ମାଇଲଖୁଣ୍ଟକୁ ଛୁଇଁବା ବିଶ୍ୱର କୌଣସି ବ୍ୟାର୍ଟରଙ୍କ ପକ୍ଷେ ସମ୍ଭବପର ହୋଇନାହିଁ।

୨୦୧୨ରେ ଏସୀୟ ମହାଦେଶର ଶ୍ରେଷ୍ଠ ୪ ଗୋଟି ଦଳକୁ ଦେଇ ବାଂଲାଦେଶରେ ଏସିଆ କପ୍ ଆୟୋଜିତ ହୋଇଥିଲା। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ସମେତ ଆୟୋଜକ ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ଅଂଶଗ୍ରହଣ କରିଥିଲେ। ରାଉଣ୍ଡ ରବିନ୍ ପର୍ଯ୍ୟାୟରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଭାରତ ଏହାର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୫୦ ରନରେ ପରାସ୍ତ କରିଥିଲା। ଏହାପରେ ମାର୍ଚ୍ଚ ୧୬ରେ ଦ୍ୱିତୀୟ ମ୍ୟାଚରେ ଭାରତର ମୁକାବିଲା ଘରୋଇ ବାଂଲାଦେଶ ସହ ହୋଇଥିଲା। ମୀରପୁରର ଶେର୍ ଇ ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଦିବାରାତ୍ର ମୁକାବିଲାରେ ବାଂଲାଦେଶ ଅଧିନାୟକ ମୁସଫିକର ରହିମ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ପାଇଁ ଲିଟିଲ ମାଷ୍ଟର ସଚିନଙ୍କ ଗୌତମ ଗମ୍ଭୀର ଇନିଂସ ଆରମ୍ଭ କରିଥିଲେ। ସଫିଉଲ ଇସ୍ଲାମଙ୍କ ବଲ୍କୁ ଚିରାଚିତ ଶୈଳୀରେ କଭର-ଡ୍ରାଇଭରେ ଚୌକା ମାରି ସଚିନ ତାଙ୍କ ଖାତା ଖୋଲିଥିଲେ। ଏକଦିବସୀୟ କ୍ରିକେଟ୍ରେ ସଚିନଙ୍କ ଏହା ୨ ହଜାରତମ ଚୌକା ଥିଲା।

ତେବେ ପ୍ରାରମ୍ଭରୁ ଗମ୍ଭୀର (୧୧ ରନ) ସଅଳ ପ୍ୟାଭିଲିୟନ ଫେରିଯାଇଥିଲେ। କିନ୍ତୁ ଅପରପାର୍ଶ୍ବରେ ତେନ୍ଦୁଲକର ଦ୍ୱିତୀୟ ଓ ୩ୟ ୱିକେଟ୍ ଯୋଡ଼ିରେ ଯଥାକ୍ରମେ ବିରାଟ କୋହଲି (୬୬ ରନ) ଓ ସୁରେଶ ରାଇନା (୫୧ ରନ)ଙ୍କ ସହ ଦୁଇଟି ବଡ଼ ଭାଗୀଦାରି କରି ଭାରତକୁ ୫୦ ଓଭରରେ ୫ ୱିକେଟ୍ରେ ୨୮୯ ରନର ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଏହିକ୍ରମରେ ସଚିନ ଏକଦିବସୀୟ କ୍ୟାରିୟରର ୪୯ତମ ଶତକ ହାସଲ କରିଥିଲେ। ସେ ୧୪୭ ବଲରୁ ୧୧୪ ରନ କରି ଇତିହାସ ପୃଷ୍ଠାରେ ତାଙ୍କ ନାମକୁ ଲିପିବଦ୍ଧ କରିଥିଲେ। ଏହାମଧ୍ୟ ତାଙ୍କ ଜାଜ୍ଜ୍ୱଲ୍ୟମୟ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ ଶତକ ଥିଲା। ଏଥିପୂର୍ବରୁ ସେ ଟେଷ୍ଟରେ ୫୧ଟି ଶତକ ଅର୍ଜନ କରିସାରିଥିଲେ। ୧୦୦ ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଓ ଏକମାତ୍ର କ୍ରିକେଟର୍ ହୋଇରହିଛନ୍ତି। ୧୦୦ତମ ଶତକ ହାସଲ କରିବାକୁ ତାଙ୍କୁ ୩୩ଟି ଇନିଂସ ଅପେକ୍ଷା କରିବାକୁ ପଡ଼ିଥିଲା।

ତେବେ ଏହି ମ୍ୟାଚରେ ଭାରତକୁ ପରାଜୟବରଣ କରିବାକୁ ପଡ଼ିଥିଲା। ଭାରତ ପକ୍ଷରୁ ଧାର୍ଯ୍ୟ ୨୯୦ ରନର ଲକ୍ଷ୍ୟକୁ ବାଂଲାଦେଶ ୪ଟି ବଲ୍ ଓ ୫ ୱିକେଟ୍ ବଳକା ଥାଇ ବିଜୟୀ ହୋଇଥିଲା। ତମିମ୍ ଇକବାଲ (୭୦ ରନ), ସାକିବ ଅଲ୍ ହାସନ (୪୯), ନାସର ହୋସେନ (୫୪), ଜହୁରୁଲ ଇସଲାମ (୫୩) ଉଲ୍ଲେଖନୀୟ ବ୍ୟାଟିଂ କରି ବାଂଲାଦେଶକୁ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ। ପ୍ରତିଯୋଗିତାରେ ଭାରତ ଓ ଶ୍ରୀଲଙ୍କା ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲେ। ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପାକିସ୍ତାନ ବାଜିମାତ୍ କରିନେଇଥିଲା।

ଅନ୍ତର୍ଜାତୀୟ କ୍ରିକେଟରେ  ସର୍ବାଧିକ ଶତକ
ଖେଳାଳି      ମ୍ୟାଚ୍    ଶତକ     ଅର୍ଦ୍ଧଶତକ     ଶୂନ
ସଚିନ ତେନ୍ଦୁଲକର ୬୬୪       ୧୦୦      ୧୬୪           ୩୪
ରିକି ପଣ୍ଟିଂ            ୫୬୦       ୭୧         ୧୪୬           ୩୯
ବିରାଟ କୋହଲି   ୪୫୮        ୭୦         ୧୨୨            ୩୨
କୁମାର ସାଙ୍ଗାକାରା ୫୯୪     ୬୩        ୧୫୩           ୨୮
ଜ୍ୟାକ୍ କାଲିସ      ୫୧୯         ୬୨         ୧୪୯         ୩୩
ହାସିମ ଅମଲା   ୩୪୯        ୫୫           ୮୮           ୧୯
ମାହେଲା ଜୟବର୍ଦ୍ଧନେ ୬୫୨  ୫୪        ୧୩୬         ୪୭
ବ୍ରାଏନ ଲାରା     ୪୩୦        ୫୩       ୧୧୧         ୩୩
ରାହୁଲ ଦ୍ରାବିଡ୍  ୫୦୯           ୪୮        ୧୪୬        ୨୧
ଏବି ଡି ଭିଲର୍ସ  ୪୨୦          ୪୭        ୧୦୯          ୨୦

Leave A Reply

Your email address will not be published.