ଦେଶରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ଓମିକ୍ରନ

ନୂଆଦିଲ୍ଲୀ : ସାରା ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନାର ଓମିକ୍ରନ ଭାରିଆଣ୍ଟ ଦେଶରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଅନେକ ମହାନଗରରେ ଏହା ଅଧିକ ପ୍ରଭାବୀ ହୋଇଯାଇଛି। ଏହି ସବୁ ସ୍ଥାନରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଇଣ୍ଡିଆନ ସାର୍ସ-ସିଓଭି-୨ ଜିନୋମିକ୍ସ କନସୋର୍ଟିୟମ (ଆଇଏନଏସଏସିଓଜି)ର ନୂଆ ବୁଲେଟିନରେ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଅନେକ ସ୍ଥାନରୁ ଓମିକ୍ରନର ନୂଆ ଉପ-ପ୍ରଜାତୀ ବିଏ୨ ଭାରିଆଣ୍ଟକୁ ଚିହ୍ନଟ କରାଯାଇଛି। ଗତ ବର୍ଷ ଡିସେମ୍ବର ୨ ତାରିଖରେ ଦେଶରୁ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ କରାଯାଇଥିଲା। ଏହି ଭାରିଆଣ୍ଟ ଯୋଗୁଁ ମେଟ୍ରୋ ସହର ସହିତ ଦେଶର ଅନେକ ସ୍ଥାନରେ ସଂକ୍ରମଣ ମାମଲା ବଢି ବଢି ଚାଲିଥିଲା। ସୂଚନାଯୋଗ୍ୟ ଯେ ଆଇଏନଏସଏସିଓଜି ସାରା ଦେଶରେ ଭୂତାଣୁରେ ହେଉଥିବା ପରିବର୍ତ୍ତନର ଯାଞ୍ଚ କରୁଛି। ଏହା ଦ୍ବାରା ଭୂତାଣୁକୁ ରୋକିବାରେ ସହଯୋଗ ମିଳିବ।
ବ୍ରିଟେନରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା ଓମିକ୍ରନର ନୂଆ ଉପ-ପ୍ରଜାତୀ ବିଏ୨ ଭାରିଆଣ୍ଟ। ବିଶ୍ୱବ୍ୟାପୀ ଏହା ବଡ଼ ଧରଣର କୋଭିଡ୍ ସଂକ୍ରମଣ ଲହର ଆଣିପାରେ । ଏପରିକି ଏହି ଭ୍ୟାରିଆଂଟ ଆରଟିପିସିଆର ଟେଷ୍ଟକୁ ବି ଚକମା ଦେଇପାରେ ବୋଲି ଆଶଙ୍କା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ର ସଂଗଠନର କହିବା ଅନୁସାରେ, ବିଏ.୨ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଜାନୁଆରୀ ୨୦ରେ ଡେନମାର୍କରେ ଚିହ୍ନଟ ହୋଇଥିବା ଅଧା ମାମଲାରେ ବିଏ.୨ ସବଷ୍ଟ୍ରେନ୍ ରହିଥିଲା । ବବ୍ରିଟେନ୍, ଡେନମାର୍କ ବ୍ୟତୀତ ସ୍ୱିଡେନ୍, ନରୱେ ଓ ଭାରତରେ ଏହି ଭ୍ୟାରିଆଂଟ ଚିହ୍ନଟ କରାଗଲାଣି । ବିଏ.୧ରେ ରହୁଥିବା ମ୍ୟୁଟେସନଗୁଡ଼ିକ ବିଏ.୨ରେ ନଥିବାରୁ ପରୀକ୍ଷା ଦ୍ୱାରା ଏହାକୁ ଚିହ୍ନଟ କରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହାକୁ ଚୋରା ବା ଗୁପ୍ତ ଓମିକ୍ରନ୍ ବୋଲି କୁହାଯାଉଛି ।