ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାହିଁକି ଫାଟୁଛି ଇ-ବାଇକ୍‌ର ବ୍ୟାଟେରୀ, ଯାଞ୍ଚ ପାଇଁ ୧୪୦୦ରୁ ଅଧିକ ଗାଡି ଫେରାଇ ନେବାକୁ ‘ଓଲା’ର ନିଷ୍ପତ୍ତି

ନୂଆଦିଲ୍ଲୀ :ଦେଶରେ ହୁ ହୁ ହୋଇ ବଢୁଥିବା ପେଟ୍ରୋଲ-ଡିଜେଲ କାରଣରୁ ଲୋକମାନେ ଏବେ ଇଲେକ୍ଟ୍ରିକ ଗାଡି ପାଇଁ ବେଶ ଆଗ୍ରହୀ ହେଉଛନ୍ତି। ଇଲେକ୍ଟ୍ରିକ୍ ଗାଡି ଗୁଡିକ ନୂଆ ନୂଆ ମଡେଲ ସହ ବିଭିନ୍ନ ନୂଆ ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଆଉ ଏହାରି ମଧ୍ୟରେ ଦେଶରେ ଇ-ବାଇକର ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି। ଲୋକମାନେ ଇ-ବାଇକ ଚଳାଇବାକୁ ବେଶ ପସନ୍ଦ କରୁଛନ୍ତି କାରଣ ପେଟ୍ରୋଲ ଗାଡି ଭଳି ସମସ୍ତ ସୁବିଧା ଇ-ବାଇକରେ ରହୁଛି। କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି  ଇ-ବାଇକରେ ନିଆଁ ଲାଗିବା ସମସ୍ୟା। ଗତକିଛି ଦିନ ମଧ୍ୟରେ ଇ-ବାଇକର ବ୍ୟାଟେରୀରେ ବିସ୍ଫୋରଣ, ଗାଡିରେ ନିଆଁ ଲାଗିବା ଆଦି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି । ଆଉ ଏଥିରୁ ବାଦ୍‌ପଡିନି ଦେଶର ସବୁଠୁ ବଡ ଇ-ବାଇକ କମ୍ପାନୀ ଓଲାର ଇ- ସ୍କୁଟର।

ଆଉ ଏହାରି ମଧ୍ୟରେ ବ୍ୟାଟେରୀରେ ବିସ୍ଫୋରଣ ଅଭିଯୋଗ ଆସିବା ପରେ ୧୪୪୧ଟି ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇନେବାକୁ ଓଲା ନିଷ୍ପତ୍ତି ନେଇଛି ।  ନିକଟରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନରେ ଅଗ୍ନିକାଣ୍ଡ ଘଟିବା ପରେ କମ୍ପାନି ଏହି ପଦକ୍ଷେପ ନେଇଛି।କମ୍ପାନି ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୨୬ ରେ ପୁଣେରେ ଏସ୍‌୧ ପ୍ରୋ ମଡେଲ୍‌ର ଏକ ସ୍କୁଟରରେ ନିଆଁ ଲାଗିବା ଘଟଣାକୁ ନେଇ ତଦନ୍ତ କରାଯାଉଛି । ତେବେ କମ୍ପାନି କହିଛି ଯେ ସୁରକ୍ଷା ଦୃଷ୍ଟିକୋଣରୁ ବଜାରରୁ ୧,୪୪୧ଟି ବୈଦ୍ୟୁତିକ ସ୍କୁଟର ଫେରାଇନେବାକୁ ନିଷ୍ପତ୍ତି ନେଇଛି । ଏହି ସ୍କୁଟରଗୁଡ଼ିକୁ ଓଲା ର ବୈଷୟିକ ଦଳ ପରୀକ୍ଷା କରିବେ । ଓଲା ଇଲେକ୍ଟ୍ରିକ୍ ପକ୍ଷରୁ କୁହାଯାଇଛି ଯେ “ଏହି ସ୍କୁଟରଗୁଡିକୁ ଇଞ୍ଜିନିୟରମାନେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ ।

ଦେଶରେ କିଛି ଦିନ ମଧ୍ୟରେ ଇ-ବାଇକ ଗୁଡିକରେ  ଯେପରି ନିଆଁ ଲାଗିବାର ଖବର ଆସିଲା ତାହା ବେଶ ଚିନ୍ତାଜନକ ଥିଲା। ଏହିଭଳି ଘଟଣାକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଚିନ୍ତା ପ୍ରକଟ କରିବା ସହ ସ୍ବଚ୍ଛାକୃତ ଭାବେ ଗାଡ଼ି ରିକଲ୍‌ କରିବାକୁ କଂପାନିଗୁଡ଼ିକୁ କହିଥିଲେ। ଏଥି ସହିତ ଚେତାବନୀ ଦେଇ ଜଣାଇଥିଲେ ଯେ କଂପାନିର ଅବହେଳା ଯୋଗୁଁ ଦୁର୍ଘଟଣା ଘଟୁଥିବା ଯଦି ପ୍ରମାଣ ହୋଇଯିବ ତେବେ ସେହି କଂପାନିଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ । କଂପାନି ବ୍ୟାଟେରୀ ସିଷ୍ଟମ, ଥର୍ମାଲ ସିଷ୍ଟମ ଠାରୁ ଆରମ୍ଭ କରି ସୁରକ୍ଷା ସିଷ୍ଟମ ପର୍ଯ୍ୟନ୍ତ ସବୁକିଛି ପୁନଃ ଯାଞ୍ଚ କରିବା ପରେ ଲୋକମାନଙ୍କୁ ଗାଡି ଦେବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସମସ୍ତ ଇ-ବାଇକ କମ୍ପାନିମାନଙ୍କୁ କହିଥିଲେ।

ଯାହା ପରେ ଇ-ବାଇକ କମ୍ପାନୀ ମାନେ ନିଜ ନିଜର କିଛି ଗାଡି ଫେରାଇ ନେଇ ଯାଞ୍ଚ କରୁଛନ୍ତି। ଓଲା ହେଉଛି ତୃତୀୟ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଯାହା ନିଜର ଗାଡ଼ି ରିକଲ୍‌ କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଓକିନାୱା ଓ ପ୍ୟୁର୍ ଇଭି ନାମକ ସଂସ୍ଥା ଯଥାକ୍ରମେ ୩,୦୦୦ ଓ ୨,୦୦୦ ଗାଡ଼ିକୁ ରିକଲ୍‌ କରିସାରିଛନ୍ତି। ଓଲା ଇଲେକ୍ଟ୍ରିକ୍ ଯେଉଁ ସ୍କୁଟରଗୁଡ଼ିକ ରିକଲ୍ କରିବ ତାହାକୁ କଂପାନିର ସର୍ଭିସ୍ ଇଞ୍ଜିନିୟରମାନେ ଭଲ ଭାବେ ଯାଞ୍ଚ କରିବେ। ବ୍ୟାଟେରି ବ୍ୟବସ୍ଥା, ତାପଜ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ କଂପାନି ଭଲ ଭାବେ ଯାଞ୍ଚ କରିବ।କଂପାନି ଇଲେକ୍ଟ୍ରିକ୍ ଯାନରେ ବିଶ୍ବସ୍ତରୀୟ ସୁରକ୍ଷା ଲାଗି ପ୍ରତିବଦ୍ଧ ରହିଛି ବୋଲି ଓଲା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.